ରାଜ୍ୟ ସରକାର ଆଦିବାସୀ ସ୍ୱାର୍ଥ ବିରୋଧୀ: କଂଗ୍ରେସ – Utkal Mail
ଭୁବନେଶ୍ୱର: ରାଜ୍ୟ ବିଜେଡ଼ି ସରକାର ଆଦିବାସୀ ସ୍ୱାର୍ଥ ପରିପନ୍ଥି। ଉଭୟ ବିଜେଡ଼ି ଏବଂ ବିଜେପି ଆଦିବାସୀଙ୍କ ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି। ଲୋକ ସଂଖ୍ୟା ଅନୁପାତରେ ସରକାରୀ ଉଚ୍ଚଶିକ୍ଷା ଅନୁଷ୍ଠାନ ମାନଙ୍କରେ ଆଦିବାସୀ ଓ ଦଳିତ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ନାମ ଲେଖାରେ ସୁଯୋଗ ଦିଆଯାଉନାହିଁ। ଏଭଳି ବିଭିନ୍ନ ଅଭିଯୋଗ ନେଇ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ, କଂଗ୍ରେସ ଭବନ ଠାରେ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
ଗଣେଶ୍ୱର ବେହେରା ଅଭିଯୋଗ କରିଛନ୍ତି ଯେ ଓଡ଼ିଶା ଅନୁସୂଚିତ ଅଂଚଳ ଅସ୍ଥାବର ସମ୍ପତି ହସ୍ତାନ୍ତର ନିୟମ-୧୯୫୬ (ଓସାଟିପ)ର ସଂଶୋଧନ ଏହାର ସଦ୍ୟତମ ଉଦାହରଣ। ନଭେମ୍ବର ୧୪ ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏପରି ଏକ ଦୁର୍ଭାଗ୍ୟଜନକ ନିଷ୍ପତି ନିଆଗଲା ଏବଂ ନଭେମ୍ବର ୧୬ ରେ କ୍ୟାବିନେଟର ଏପରି ନିଷ୍ପତିର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କରାଗଲା। ଏହା ସ୍ପଷ୍ଟ ପ୍ରମାଣ କରେ ଯେ ବିନା ବୁଝିବିଚାରି ସରକାର ନିଷ୍ପତି ସରକାର ଗ୍ରହଣ କରୁଛନ୍ତି। ଆଦିବାସୀଙ୍କ ଜମି ଅଧିକାରର ସୁରକ୍ଷା ପ୍ରଥମେ ୧୯୫୬ ରେ ଓସାଟିପ ନିୟମ, ୨୦୦୬ ରେ ଜଙ୍ଗଲ ଜମି ଅଧିକାର ଆଇନ ଓ ୨୦୧୩ ଜମି ଅଧିଗ୍ରହଣ ଓ ପୁନର୍ବସତି ଆଇନରେ ପ୍ରଶସ୍ଥ ପ୍ରାବଧାନ ମାନ କରାଯାଇଥିଲେ ମଧ୍ୟ ବିଜେଡ଼ି ସରକାରଙ୍କର ଏହି ନିଷ୍ପତି ଅଭିସନ୍ଦି ମୂଳକ।
ଆଦିବାସୀ ଜମି ଅଣଆଦିବାସୀଙ୍କୁ ହସ୍ତାନ୍ତର ପାଇଁ ନଭେମ୍ବର ୧୪ରେ କ୍ୟାବିଟେର ନିଷ୍ପତି ଆଦିବାସୀ ପରାମର୍ଶ ଦାତା ପରିଷଦ (ଟିଏସି)ର ସୁପାରିଶ କ୍ରମେ ନିଆଯାଇଛି ବୋଲି ସରକାର କହୁଛନ୍ତି। କିନ୍ତୁ ବାସ୍ତବରେ ଟିଏସି ବୈଠକରେ ଆଦିବାସୀ ଜମି ଅଣଆଦିବାସୀଙ୍କୁ ହସ୍ତାନ୍ତର କୌଣସି ନିଷ୍ପତି ନିଆଯାଇନଥିଲା। ସରକାର ଚଂଚକତା କରି ଅଣଆଦିବାସୀ, ଶିଳ୍ପପତି ଓ ପୁଞ୍ଜିପତିଙ୍କ ସ୍ୱାର୍ଥ ସାଧନ ପାଇଁ ଏପରି ହେରଫେର କରିବା ଅକ୍ଷମଣୀୟ। ସେହିପରି ୨୦୧୦ ରେ ରାଜ୍ୟସରକାରଙ୍କର ଅନୁରୂପ ଉଦ୍ୟମ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିଲା। ସୁତରାଂ ଯେତେବେଳେ ୨୦୧୦ ରେ ରାଷ୍ଟ୍ରପତି ଓସାଟିପର ସଂଶୋଧନକୁ ଅନୁମୋଦନ କରିବାକୁ ମନା କରିଦେଇଥିଲେ ଏବଂ ଯେତେବେଳେ ସିଏଜି ରିପୋର୍ଟ ଅନୁସାରେ ଆଦିବାସୀଙ୍କର ଜମି ମାଲିକାନା ୨୦୦୫-୦୬ରୁ ୨୦୧୫-୧୬ ମଧ୍ୟରେ ୧୨ ଶତାଂଶ ହ୍ରାସ ପାଇଛି ସେତେବେଳେ ରାଜ୍ୟ ସରକାରଙ୍କର ନିଷ୍ପତି ଆଦିବାସୀ ବିରୋଧି ନୁହେଁତ ଆଉ କ’ଣ ?
ଶ୍ରୀ ବେହେରା ଏହି ଓସାଟିପ ସଂଶୋଧନର ତୁରନ୍ତ ପ୍ରତ୍ୟାହାର ନିମନ୍ତେ ଦାବି କରିବା ସହ ସରକାର ଉଦାସୀନ ରହିଲେ ରାଜ୍ୟବ୍ୟାପି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ ଆନ୍ଦୋଳନ କରିବ ବୋଲି ସତର୍କ କରାଇ ଦେଇଥିଲେ। ଆଦିବାସୀ ସ୍ୱାର୍ଥ ବିରୋଧି ଆଇନର ପ୍ରତ୍ୟାହାର ନିମନ୍ତେ ରାଜ୍ୟ ଆଦିବାସୀ ବିଧାୟକ ଓ ସାଂସଦମାନେ ପ୍ରତିଜ୍ଞାବଧ ଉଦ୍ୟମ ନକରନ୍ତି ତାହାହେଲେ ଭବିଷ୍ୟତ ତାଙ୍କୁ କେବେ କ୍ଷମା ଦେବନାହିଁ । ଶ୍ରୀ କାନୁନଗୋ ୧୯୯୬ ରେ କଂଗ୍ରେସ ସରକାର ଅମଳରେ ପ୍ରଣୀତ ପେଶା ଆଇନ କାର୍ଯ୍ୟକାରୀ କରିବା ନିମନ୍ତେ ନିୟମାବଳୀ ପ୍ରସ୍ତୁତ କରିବାରେ ରାଜ୍ୟ ସରକାରଙ୍କ ହେୟଜ୍ଞାନର ଘୋର ପ୍ରତିବାଦ କରିବା ସହ ତୁରନ୍ତ ନିୟମାବଳୀ ପ୍ରଣୟନ କରିବାକୁ ଆହ୍ୱାନ ଦେଇଥିଲେ।
ତାଳଚେର ଥାରେ ମହାନଦୀ କୋଲଫିଲ୍ଡ ଲିମିଟେଡ ତରଫରୁ ପ୍ରତିଷ୍ଠିତ ମେଡିକାଲ କଲେଜରେ ବିଭିନ୍ନ ପଦ ପଦବୀରେ ସଂରକ୍ଷଣ ଆଇନକୁ କାର୍ଯ୍ୟକାରୀ ନକରିବା ଉଦ୍ଦେଶ୍ୟରେ ଆଉଟ ସୋର୍ସିଂ ଦ୍ୱାରା ବେସରକାରୀ ସଂସ୍ଥା ମାନଙ୍କ ଦ୍ୱାରା ନିଯୁକ୍ତି କରାଯାଉଛି। ଏମସିଏଲ ଏକ ସରକାରୀ ସଂସ୍ଥା ହୋଇଥିବାରୁ ଏହାର ପ୍ରତ୍ୟେକ ନିଯୁକ୍ତିରେ ସଂରକ୍ଷଣ ଲାଗୁ କରିବା ଆଇନତଃ ଅପରିହାର୍ଯ୍ୟ। କିନ୍ତୁ କଂଗ୍ରେସର ପ୍ରତିବାଦ ସତ୍ୱେ ଏମସିଏଲର ଆଉଟ ସୋର୍ସିଂ ନିଷ୍ପତି ପ୍ରମାଣ କରେଯେ କେନ୍ଦ୍ର ମୋଦି ସରକାର ଏବଂ ଭାରତୀୟ ଜନତାପାର୍ଟି ଉଭୟ ଆଦିବାସୀ ମାନଙ୍କୁ ନିଯୁକ୍ତି ସୁଯୋଗରୁ ବଂଚିତ କରୁଛନ୍ତି। ରାଜ୍ୟ ସରକାର ଯେ ଆଦିବାସୀ ଓ ଦଳିତ ବିରୋଧି ଏହା କହିବା ନିସ୍ପ୍ରୟୋଜନ ।