ଗୋଟିଏ ପାଦରେ ଭାଇ ପାଇଁ ୧୦୦ କିଲୋମିଟର ଚାଲୁଛି ଭଉଣୀ – Utkal Mail
ବୈଶାଳୀ: ଏହି ମାସ ଶେଷ ଆଡକୁ ଭାଇ ଭଉଣୀଙ୍କ ଭଲପାଇବାର ପର୍ବ ରାକ୍ଷୀ ପୂର୍ଣ୍ଣିମା ଆସୁଛି | ଏହି ଅବସରରେ ଭଉଣୀମାନେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିବେ | ଭାଇମାନେ ମଧ୍ୟ ନିଜ ଭଉଣୀମାନଙ୍କୁ ସୁରକ୍ଷା ଦେବେ ବୋଲି ପ୍ରତିଶୃତି ଦେବେ | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଭଉଣୀଙ୍କ ବାବଦରେ କହିବୁ ଯିଏ କି ନିଜ ଭାଇର ସୁରକ୍ଷା ପାଇଁ ଏବେ ଏମିତି ଏକ ଶପଥ ନେଇଛନ୍ତି, ଯାହାକୁ ପୂରଣ କରିବା ପାଇଁ ସେ କଠିନ ପରିଶ୍ରମ କରୁଛନ୍ତି | ବାସ୍ତବରେ ଏହି କୁନି ଝିଅର ନାମ ରାଜନନ୍ଦିନୀ ହୋଇଥିବାବେଳେ ଜନ୍ମରୁ ସେ ଦିବ୍ୟାଙ୍ଗ | ତାଙ୍କର ଗୋଟିଏ ଗୋଡ ନଥିବାବେଳେ ଏବେ ନିଜ ଭାଇଙ୍କ ଆରୋଗ୍ୟ କାମନା କରି ମହାଦେବଙ୍କ ନିକଟରେ ପାଣି ଢ଼ାଳିବା ପାଇଁ ୧୦୦ କିଲୋମିଟର ଚାଲୁଛନ୍ତି | ବିହାରର ବୈଶାଳୀରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି |
ମୁଜାଫରପୁର-ହାଜିପୁର ଜାତୀୟ ରାଜପଥ ୨୨ରେ, ୧୧ ବର୍ଷର ରାଜନନ୍ଦିନୀ ତାଙ୍କ ପିତାଙ୍କ ସହ ଗୋଟିଏ ଗୋଡ଼ରେ ଚାଲୁଥିବାର ଦେଖିବାକୁ ମିଳିଥିଲା | ସେ ପହଲେଜା ଘାଟରୁ ଗଙ୍ଗା ପାଣି ନେଇ ମୁଜାଫରପୁରର ବାବା ଗରିବନାଥ ମନ୍ଦିରରେ ଜଳାଭିଷେକ କରିବାକୁ ଯାଉଥିଲେ | ରାଜନନ୍ଦିନୀ ହାଜିପୁରର ଲାଲପୋଖରର ବାସିନ୍ଦା। ରାଜନନ୍ଦିନୀ, ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଭାଇଙ୍କ ସୁରକ୍ଷା ପାଇଁ ଭୋଲେନାଥଙ୍କ ପାଖରେ ମାନସିକ କରିଥିଲେ | ଆଉ ଗୋଟିଏ ପାଦରେ ୧୦୦ କିଲୋମିଟର ଚାଲି ଚାଲି ବାବା ଗରିବନାଥଙ୍କ ମନ୍ଦିରରେ ପହଂଚିବାକୁ ମାନସିକ କରିଥିଲେ ।
ସେ କହିଥିଲେ ଯେ ତାଙ୍କ ଭାଇଙ୍କର ହୃତପିଣ୍ଡ ଅପରେସନ ହେବାର ଥିଲା | ସେତେବେଳେ ସେ ମାନସିକ କରିଥିଲେ ଯେ ଭାଇ ଯଦି ସୁସ୍ଥ ହୋଇଯାଏ, ତେବେ ସେ ଜଳାଭିଷେକ କରିବାକୁ ଯିବେ | ତାଙ୍କ ଭାଇର ସଫଳ ଅସ୍ତ୍ରୋପଚାର ପରେ ବର୍ତ୍ତମାନ ସେ ସୁସ୍ଥ ଥିବାରୁ ଏବେ ମାନସିକ ପୂରଣ ପାଇଁ ସେ ଜଳାଭିଷେକ କରିବାକୁ ବାହାରିଛନ୍ତି | ରାଜନନ୍ଦିନୀଙ୍କ ଭାଇଙ୍କ ପ୍ରତି ଏଭଳି ଭଲପାଇବା ଓ ଅସୀମ ଭକ୍ତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି |