ଜଣାଅଜଣା ଓଡ଼ିଶା: ନା, ଅସ୍ତ୍ରାଗାର ଖୋଲିବ ନାହିଁ!

ଲଣ୍ଡନଠାରେ ଅନୁଷ୍ଠିତ ପ୍ରଥମ ଗୋଲ୍ଟେବୁଲ ବୈଠକରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର କାଳଜୟୀ ଅଭିଭାଷଣ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନର ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ଥିଲା। ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଓ ସେକ୍ରେଟାରି ଅଫ୍ ଷ୍ଟେଟ୍ସଙ୍କ ସହ ନିଜର ବ୍ୟକ୍ତିଗତ ସଂପର୍କ ଓ ପ୍ରଭାବ ବଳରେ ୧୯୩୧ ଜାନୁଆରି ୧୬ରେ ନିଜ ବକ୍ତବ୍ୟ ଉପସ୍ଥାପନ ପାଇଁ ସଭାପତିଙ୍କ ସ୍ବତନ୍ତ୍ର ଅନୁମତି ଜୁଟାଇଥିଲେ ଗଜପତି।
ସେ ଐତିହାସିକ ଅଭିଭାଷଣ ଏତେ ପ୍ରଭାବଶାଳୀ ଥିଲା ଯେ ସଭିଏଁ ଅଭିଭୂତ ହୋଇ ପଡ଼ିଥିଲେ। କି ଚମତ୍କାର ତଥ୍ୟ ସମ୍ବଳିତ ଯୁକ୍ତି! କି ମର୍ମସ୍ପର୍ଶୀ ଉପସ୍ଥାପନା!
ଏ ଭାଷଣ ପାଇଁ ଆନୁଷଙ୍ଗିକ ତଥ୍ୟ ଓ ଦଲିଲ ପ୍ରସ୍ତୁତ କରିବାରେ ଯିଏ ତାଙ୍କୁ ସବୁଠାରୁ ବେଶୀ ସାହାଯ୍ୟ କରିଥିଲେ ଏବଂ ତାଙ୍କର ଡାହାଣ ହାତ ଭଳି କାମ କରିଥିଲେ, ସେ ହେଲେ ଆଇନଶାସ୍ତ୍ରରେ ପ୍ରବୀଣ ତାଙ୍କର ଦେବାନ୍ ପୂର୍ବତନ ସବ୍ଜଜ୍ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବାପା। ୧୮୭୫ ମସିହାରେ ଭଞ୍ଜନଗର ନିକଟସ୍ଥ ନୂଆଗାଁରେ ଜନ୍ମିତ ଲକ୍ଷ୍ମୀନାରାୟଣ ମାନ୍ଦ୍ରାଜରୁ ବି.ଏଲ୍. ପାସ୍ କରି ୧୯୦୪ ମସିହାରେ ମୁନ୍ସିଫ୍ ଚାକିରିରେ ଯୋଗ ଦେଇଥିଲେ। ଚାକିରିରୁ ଅବସର ନେବା ପରେ ସେ ପାରଳା ମହାରାଜାଙ୍କ ଦେବାନ ରୂପେ ଯୋଗ ଦେଇଥିଲେ।
ପ୍ରଥମ ଗୋଲ୍ଟେବୁଲ ବୈଠକ ପାଇଁ ସେ ଓ ସତ୍ୟ ନାରାୟଣ ରାଜଗୁରୁ ମିଶି ଗଜପତିଙ୍କ ପାଇଁ ସମସ୍ତ ଦଲିଲ ପ୍ରସ୍ତୁତ କରିଥିଲେ। ମାତ୍ର ସୀମା ନିର୍ଦ୍ଧାରଣ ପାଇଁ ଗଠିତ ଓ’ଡନେଲ୍ କମିଟିର ରିପୋର୍ଟ ଭିତ୍ତିରେ ୧୯୩୩ ମାର୍ଚ୍ଚ ମାସରେ ଯେଉଁ ଶ୍ବେତପତ୍ର ପ୍ରକାଶ ପାଇଲା, ତାହା ଗଜପତିଙ୍କ ହୋସ୍ ଉଡ଼ାଇ ଦେଇଥିଲା। ସେଥିରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେବା ବିଷୟ ଉଲ୍ଲେଖ କରାଯାଇଥିଲେ ହେଁ ଆଶ୍ଚର୍ଯ୍ୟଜନକ ଭାବରେ ପାରଳାଖେମୁଣ୍ଡି ଓ ଜୟପୁର ଜମିଦାରୀ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶରେ ଅନ୍ତର୍ଭୁକ୍ତ ନ ଥିଲା। ଏତେ ଉଦ୍ୟମ କଲାପରେ ବି ତାଙ୍କ ନିଜ ଜମିଦାରୀ ଓଡ଼ିଶାରେ ରହିବା ଲାଗି କମିଟି ସୁପାରିସ ନ କରିବା ଗଜପତିଙ୍କ ପାଇଁ ଏକ ଶକ୍ତ ଧକ୍କା ଥିଲା। ଗଜପତି କୃଷ୍ଣଚନ୍ଦ୍ର ଥିଲେ ଭୀଷଣ ସ୍ବାଭିମାନୀ ଏବଂ ଜଣେ ଅତ୍ୟନ୍ତ ଆବେଗପ୍ରବଣ ମଣିଷ। ସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଢ଼ିବା ପାଇଁ ଦିନରାତି ଏକ କରି ଦେଇଥିଲେ ଗଜପତି। କିନ୍ତୁ ସେ ଯେତେବେଳେ ଦେଖିଲେ ଯେ ତାଙ୍କ ନିଜ ପାରଳାଖେମୁଣ୍ଡି ହିଁ ଅନ୍ତର୍ଭୁକ୍ତ ହୋଇ ପାରୁନାହିଁ, ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ।
ସେଦିନ ଶ୍ବେତପତ୍ର ପଢ଼ିସାରିବା ପରେ ମହାରାଜା ନିଜକୁ ସମ୍ଭାଳି ପାରୁ ନଥିଲେ। ନାନା ଦୁଶ୍ଚିନ୍ତା ତାଙ୍କୁ ଅସ୍ଥିର କରିପକାଉଥିଲା। ନିର୍ବାକ, ନିଶ୍ଚଳ ହୋଇ ବସି ରହିଥିଲେ ଘଣ୍ଟାଘଣ୍ଟା। ସଞ୍ଜ ଗଡ଼ି ରାତି ହୋଇ ସାରିଲାଣି ଅନେକବେଳୁ। କାହାରି ସହିତ କଥାବାର୍ତ୍ତା ନାହିଁ। ସାରା ରାଜନଅର ନିରବ ନିଶ୍ଚଳ।
ମହାରାଜା ହଠାତ୍ ଅସ୍ତ୍ରାଗାର ରକ୍ଷକକୁ ଡକାଇଲେ ପାଖକୁ ଏବଂ ତାକୁ ନିର୍ଦ୍ଦେଶ ଦେଲେ ଅସ୍ତ୍ରାଗାର ଖୋଲିବା ପାଇଁ। ଯୋଗକୁ ସେତେବେଳେ ସେଇଠି ପହଞ୍ଚିଗଲେ ଦେବାନ ଲକ୍ଷ୍ମୀନାରାୟଣ ପଟ୍ଟନାୟକ। ଅସମୟରେ ଅସ୍ତ୍ରାଗାର ଖୋଲାହେବାର ଦେଖି କର୍ମଚାରୀଙ୍କୁ ଅଟକାଇ ଦେଇ କହିଥିଲେ -”ନା, ଅସ୍ତ୍ରାଗାର ଖୋଲିବ ନାହିଁ।” ତା’ପରେ ମହାରାଜାଙ୍କ ନିକଟକୁ ଆସି ବିନମ୍ର ଭାବେ ପ୍ରଶ୍ନ କରିଥିଲେ- ”ବର୍ତ୍ତମାନ ଅସ୍ତ୍ରାଗାର ଖୋଲିବାର କି ଆବଶ୍ୟକତା ଅଛି, ମହାରାଜ!”
ମହାରାଜାଙ୍କର ଓଠ ଥରୁଛି, ଆଖି ଛଳଛଳ। ସେ କିଛି କହିଲେ ନାହିଁ। ଦେବାନଙ୍କ ଆଖି ମଧ୍ୟ ଲୁହ ଡବଡବ। ଉଭୟେ ପରସ୍ପରର ମନର ଭାଷା ପଢ଼ିପାରୁଥିଲେ ଯେମିତି।
୧୯୬୯ ମସିହାରେ ପ୍ରକାଶିତ ଏକ ସ୍ମରଣିକାରେ ବର୍ଣ୍ଣିତ ଆଖ୍ୟାନ ଅନୁସାରେ ସେଦିନ ମହାରାଜାଙ୍କୁ ସ୍ବପ୍ନରେ ଗଡ଼ର ଇଷ୍ଟଦେବୀ ମାଣିକେଶ୍ବରୀ ଦର୍ଶନ ଦେଇଥିଲେ। ମା’ ତାଙ୍କୁ ଅଭୟ ଦେଇ କହିଥିଲେ- ତୁମେ ପୁଣିଥରେ ବିଲାତ ଯାଅ, ଉଦ୍ୟମ କର। ଦେଖ, କାର୍ଯ୍ୟ ସଫଳ ହେବ। ଏଥର ପୁଣିଥରେ ଅଣ୍ଟା ଭିଡିଲେ ଗଜପତି। ନୂଆ ରଣନୀତି ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ମୀନାରାୟଣ ଥାଆନ୍ତି ପାଖେ ପାଖେ। ୧୯୩୩ ଏପ୍ରିଲ୍ ଶେଷ ସପ୍ତାହରେ ସେ ପୁଣିଥରେ ବାହାରିଗଲେ ଲଣ୍ଡନ। ଲର୍ଡ ଲିନ୍ଲିଥ୍ଗୋଙ୍କ ଅଧ୍ୟକ୍ଷତାରେ ଗଠିତ ବିଲାତ ପାର୍ଲାମେଣ୍ଟର ମିଳିତ ସଂସଦୀୟ କମିଟି ଆଗରେ ୧୯୩୩ ଜୁଲାଇ ୩ରେ ପାରଳାଖେମୁଣ୍ଡି ଓ ଜୟପୁର ଦୁଇ ଜମିଦାରୀକୁ ଓଡ଼ିଶାରେ ମିଶାଇବା ସଂପର୍କରେ ସ୍ମାରକପତ୍ର ଦେଲେ। କମିଟି ଠାରୁ ଭରସା ପାଇବା ପରେ ସେ ଫେରିଆସିଥିଲେ ପାରଳାଖେମୁଣ୍ଡି।
ମାତ୍ର ମଝିରେ ଆସିଲା ଲଣ୍ଡନରୁ ଜଣେ ବନ୍ଧୁଙ୍କ ସୂଚନା। ମିଳିତ ସଂସଦୀୟ କମିଟିର ରିପୋର୍ଟରେ ଓଡ଼ିଶା ସହ ଜୟପୁରର ଅଧିକାଂଶ ଅଞ୍ଚଳ ମିଶ୍ରଣ ପାଇଁ ସୁପାରିସ ଅଛି ସତ, ମାତ୍ର ପାରଳାଖେମୁଣ୍ଡି ପୁଣିଥରେ ଉପେକ୍ଷାର ଶିକାର ହେବାକୁ ଯାଉଛି। ଗଜପତି ଜାଣିପାରିଲେ,୧୯୩୧ ମସିହା ଜନଗଣନାର ଭ୍ରମାତ୍ମକ ତଥ୍ୟାବଳି ହିଁ ଏହି ବିପର୍ଯ୍ୟୟର ମୁଖ୍ୟ କାରଣ। ସେତେବେଳେ ପାରଳାଖେମୁଣ୍ଡି ମାନ୍ଦ୍ରାଜ ପ୍ରେସିଡେନ୍ସି ଅଧୀନରେ ଥିଲା ଏବଂ ଜନଗଣନା ରିପୋର୍ଟରେ ପାରଳାଖେମୁଣ୍ଡି ଜମିଦାରୀରେ ଓଡ଼ିଆ ଭାଷାଭାଷୀଙ୍କର ସଂଖ୍ୟା କମ୍ ଦର୍ଶାଯାଇଥିବାରୁ ଏହାକୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶରେ ଅନ୍ତର୍ଭୁକ୍ତ କରାଯିବା ନେଇ ପ୍ରଶ୍ନ ଉଠିଥିଲା। ବାସ୍ତବତା କିନ୍ତୁ ଥିଲା ଭିନ୍ନ। ଏ ଅଞ୍ଚଳର ଅଧିକାଂଶ ଓଡ଼ିଆ ଲୋକ ସୁନ୍ଦର ତେଲୁଗୁ କହିପାରୁଥିବାରୁ ଜନଗଣନା ଅଧିକାରୀମାନେ ସେମାନଙ୍କ ଭିତରୁ ଅନେକଙ୍କୁ ତେଲୁଗୁଭାଷୀ ରୂପେ ଚିହ୍ନିତ କରିଥିଲେ।
ଗଜପତି କୃଷ୍ଣଚନ୍ଦ୍ର କିନ୍ତୁ ହାରମାନିବା ଲୋକ ନଥିଲେ। ଲକ୍ଷ୍ମୀନାରାୟଣଙ୍କ ସହାୟତାରେ ସେ ସମଗ୍ର ପାରଳାଖେମୁଣ୍ଡି ଜମିଦାରୀର ଜନଗଣନା ମ୍ୟାପ୍ ପ୍ରସ୍ତୁତ କରାଇ ୧୯୩୪ ମସିହା ଏପ୍ରିଲ୍ ମାସରେ ବଡ଼ଲାଟ୍ଙ୍କୁ ଦିଲ୍ଲୀରେ ସାକ୍ଷାତ୍ କରିଥିଲେ। ଏଥର ସେ ତାଙ୍କ ମୂଳ ଦାବିରେ କିଛି ପରିବର୍ତ୍ତନ କରିବା ପାଇଁ ବାଧ୍ୟ ହୋଇଥିଲେ। ଯେତେବେଳେ ସେ ଜାଣିଲେ ଯେ ସମଗ୍ର ଜମିଦାରୀ ଓଡ଼ିଶାରେ ମିଶିବା ସମ୍ଭବ ହେଉନାହିଁ ଏବଂ ଜନଗଣନାର ଦଲିଲ ଅକାଟ୍ୟ, ଯେତେ ଯନ୍ତ୍ରଣାଦାୟକ ହେଲେ ମଧ୍ୟ ସେ ଜମିଦାରୀ ଅଞ୍ଚଳକୁ ଦୁଇ ଭାଗରେ ବିଭକ୍ତ କଲେ। ସମଗ୍ର ପାରଳା ରାଜ୍ୟ ଓଡ଼ିଶା ଶାସନରେ ନ ରହିପାରିଲେ ମଧ୍ୟ ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକ ଅନ୍ତତଃ ଓଡ଼ିଶା ସହ ରହୁ ବୋଲି ସେ ଶେଷ ଯୁକ୍ତି ରଖିଥିଲେ। ବଡ଼ଲାଟ୍ ଏହାକୁ ଗ୍ରହଣ କରି ଅନୁକୂଳ ମତ ସହ ସୁପାରିସ କରିବା ଫଳରେ ପାରଳାଖେମୁଣ୍ଡି ଶେଷରେ ଓଡ଼ିଶାରେ ମିଶି ପାରିଥିଲା।