କ୍ରାଇମ

ଜମି ବିବାଦ ନେଇ ସାନଭାଇର ତୀର ମାଡ଼ରେ ବଡ଼ ଗୁରୁତର – Utkal Mail


କାଲିମେଳା: ଜମି ବିବାଦକୁ କେନ୍ଦ୍ର କରି ଜଣେ ଭାଇ ଯେ ନିଜ ଭାଇର ବଇରୀ ସାଜିପାରେ ତାର ଏକ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଧୀନ ମାରିଗୁଡ଼ା ଗ୍ରାମରେ। ଆଜି ଦିନ ଦ୍ୱିପ୍ରହରରେ ନିଜ ସାନଭାଇର ତୀରମାଡ଼ର ଶିକାର ହୋଇ ବଡ଼ଭାଇ ଏବେ ମେଡ଼ିକାଲରେ ମୃତ୍ୟୁସହ ସଂଗ୍ରାମ କରୁଥିବାର ଜଣାପଡ଼ିଛି। ବଡ଼ଭାଇର ପେଟରେ ଦୁଇଟି ତୀର ବାଜିଛି। ଏଥିରୁ ଗୋଟିଏ ସାମାନ୍ୟ ବାଜି ତଳେ ପଡ଼ିଯାଇଥିବା ବେଳେ ଅନ୍ୟଟି ପେଟ ଭିତରେ ପଶି ରହିଯାଇଥିବାର ଦେଖିବାକୁ ମିଳିଛି। ଆଜି ଦିନ ସାଢ଼େ ଗୋଟାଏ ବେଳେ କାଲିମେଳା ଥାନା ଅନ୍ତର୍ଗତ ନାଲାଗୁଂଠି ପଂଚାୟତ ଅନ୍ତର୍ଗତ ମାରିଗୁଡ଼ା ଗ୍ରାମରେ ଘଟିଯାଇଛି ଏପରି ଘଟଣା। ଗୁରୁତର ବଡ଼ଭାଇ ହେଲେ ଦୁଲା ମାଡ଼କାମୀ(୬୦)। ଅଭିଯୁକ୍ତ ସାନଭାଇର ନାମ ଭୀମା ମାଡ଼କାମୀ।

ଦୁଲା ଆଜି ଜମିକୁ ଯାଉଥିବା ବେଳେ ବାଟରେ ଛକି ଥିବା ସାନଭାଇ ଭୀମା ଅଟକାଇବା ପରେ ଉଭୟ ପକ୍ଷ ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ଯୁକ୍ତିତର୍କ ହୋଇଥିଲା। ଏତିକି ବେଳେ ଭୀମା ଅତର୍କିତ ଭାବରେ ବଡ଼ଭାଇକୁ ଲକ୍ଷ୍ୟ କରି ତୀରମାଡ଼ କରିଥିଲା। ଦୁଇଟି ତୀର ବଡ଼ଭାଇର ପେଟରେ ବାଜି ଥିଲା। ଗୋଟିଏ ତୀର ପେଟରେ ପଶି ଯାଇ ଭାଂଗି ଯାଇଥିଲା। କିନ୍ତୁ ଆଉ ଗୋଟିଏ ତୀର ପେଟରେ ସାମାନ୍ୟ ବାଜିଥିଲା। ବଡ଼ଭାଇ ଚିତ୍କାର କରିବାରୁ ପାଖରେ ଥିବା ଗ୍ରାମବାସୀ ଘଟଣାସ୍ଥଳକୁ ଧାଇଁ ଆସି ଦେଖିଲା ବେଳକୁ ଦୁଲାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ସେ ରକ୍ତଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ି ଛଟପଟ ହେଉଥିବାବେଳେ ପେଟରେ ସାମାନ୍ୟ ବାଜିଥିବା ତୀରକୁ ବାହାର କରି ଦିଆଯାଇଥିଲା। ହେଲେ ଆଉ ଗୋଟିଏ ତୀର ପେଟ ଭିତରେ ପଶି ରହିଥିଲା। ତୁରନ୍ତ ଗାଡ଼ି ଯୋଗେ ଗୁରୁତର ଦୁଲା ମାଡ଼କାମୀଙ୍କୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବାବେଳେ ତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା କରାଯାଇ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ମେଡ଼ିକାଲକୁ ସ୍ଥାନାନ୍ତରିତ କରିଦିଆଯାଇଥିଲା।

ସୂଚନାଯୋଗ୍ୟ ଯେ କିଛି ମାସ ପୂର୍ବରୁ ମୋଟୁ ଥାନା ଅନ୍ତର୍ଗତ ମାଲାଭରମ ପଂଚାୟତ ଅନ୍ତର୍ଗତ ନିଲାକୋଟା ଗ୍ରାମରେ ମଧ୍ୟ ଜମିଜମା ବିବାଦକୁ କେନ୍ଦ୍ର କରି ନିଜ ସଂପର୍କୀୟ ତୀର ମାଡରେ ଜଣେ ଆଦିବ୍ୟକ୍ତି ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button