‘ମଙ୍ଗଳ ଗ୍ରହରେ ଏଲିୟନକୁ ନାସା ଅଜଣାତରେ ମାରି ଦେଇଥିଲା’: ବୈଜ୍ଞାନିକଙ୍କ ଦାବି – Utkal Mail
ଓ୍ବାଶିଂଟନ୍: ଏଲିଅନକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରକାର ଘଟଣା ସାମ୍ନାକୁ ଆସିଥାଏ। କେହିକେହି ଏହାକୁ ଦେଖିଥିବା ବି ଦାବି କରିଛନ୍ତି। ଏହି କ୍ରମରେ ଜଣେ ବୈଜ୍ଞାନିକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।
ବୈଜ୍ଞାନିକ ଜଣକ ଦାବି କରି କହିଛନ୍ତି କି, ନାସା ପ୍ରାୟ ୫୦ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ଜୀବସତ୍ତାର ସନ୍ଧାନ ପାଇଥିଲା କିନ୍ତୁ ତାହା କ’ଣ ବୁଝିବା ପୂର୍ବରୁ ତାକୁ ଅଜଣାତରେ ନାସା ହତ୍ୟା କରି ଦେଇଥିଲା।
ବର୍ଲିନର ବୈଷୟିକ ବିଶ୍ୱବିଦ୍ୟାଳୟର ଜ୍ୟୋର୍ତିବିଜ୍ଞାନୀ ଡର୍କ ଶୁଲଜ-ମକୁଚ ଏକ ଆର୍ଟିକିଲରେ କହିଛନ୍ତି, ‘୧୯୭୬ମସିହାରେ ନାସାର ଭାଇକିଙ୍ଗ୍ ଲ୍ୟାଣ୍ଡର ମଙ୍ଗଳ ଗ୍ରହରେ ଅବତରଣ କରିଥିଲା। ଏହାପରେ ସେଠାରେ ଥିବା ପଥର ଭିତରେ ଛୋଟ, ଶୁଷ୍କ ପ୍ରତିରୋଧୀ ଜୀବସତ୍ତାର ନମୁନା ଦେଖିବାକୁ ମିଳିଥିଲା।
ମଙ୍ଗଳରେ ଜୀବସତ୍ତା ମହଜୁଦ ଥିଲେ ମଧ୍ୟ ଲ୍ୟାଣ୍ଡର ସେଗୁଡିକୁ ଗବେଷଣା ମାଧ୍ୟମରେ ହତ୍ୟା କରିଦେଇଥାଇପାରେ ବୋଲି କୁହାଯାଉଛି। ଏହି ପରୀକ୍ଷଣରେ ଯେକୌଣସି ପ୍ରକାରର ମାଇକ୍ରୋବ ମରିଯାଇଥାଏ ବୋଲି କୁହାଯାଏ। ଏହି ମାଇକ୍ରୋବ ଜୀବ ଯେପରି ପୃଥିବୀରେ ବାସ କରନ୍ତି ସେପରି ମଙ୍ଗଳ ଗ୍ରହରେ ମଧ୍ୟ ରହିପାରନ୍ତି ବୋଲି ଅନୁମାନ କରାଯାଉଛି।
ମଙ୍ଗଳ ଗ୍ରହରେ ଚାରୋଟି ପରୀକ୍ଷଣ କରାଯାଇଥିଲା। ଯେଉଁଥିରେ ମାଟିର ନମୁନା ନିଆଯାଇଥିଲା। ଭାଇକିଙ୍ଗ୍ ଲ୍ୟାଣ୍ଡରର ପରୀକ୍ଷଣର ଫଳାଫଳ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା । ଯାହା ଅନେକ ବୈଜ୍ଞାନିକଙ୍କୁ ଏବେ ବି ଦ୍ୱନ୍ଦ୍ୱରେ ପକାଇଛି।
କିଛି ପରୀକ୍ଷଣ ଏମିତି ଥିଲା ଯାହା ମଙ୍ଗଳଗ୍ରହରେ ଜୀବନ ଥିବାର ଏକ ବଡ଼ ସଙ୍କେତ ମିଳିଥିଲା। ପରୀକ୍ଷଣ ସମୟରେ କ୍ଲୋରିନଯୁକ୍ତ କାର୍ବନିକ ଥିବାର କିଛି ଚିହ୍ନ ମଧ୍ୟ ମିଳିଥିଲା। କିନ୍ତୁ ସେତେବେଳେ ବୈଜ୍ଞାନିକମାନେ ବିଶ୍ୱାସ କରୁଥିଲେ ଯେ, ଏହି କେମିକାଲ ସଫା କରିବା ପାଇଁ ପୃଥିବୀରୁ ଆସିଛି। କିନ୍ତୁ ପରେ ଲ୍ୟାଣ୍ଡର ଓ ରୋଭର ପ୍ରମାଣ କଲେ ଯେ ଏହି କେମିକାଲ ପ୍ରାକୃତିକ ଭାବରେ ମଙ୍ଗଳ ଗ୍ରହରେ ଅଛି।