କୋର୍ଟର ଇମେଲ୍ ଖୋଲିଲେନି ଜେଲ କର୍ତ୍ତୃପକ୍ଷ, ଅତିରିକ୍ତ ୩ ବର୍ଷ ଜେଲରେ ରହିଲେ ଯୁବକ – Utkal Mail
ଅହମଦାବାଦ: ଗୁଜରାଟରେ ଏକ ଅଜବ ମାତ୍ର ଦୁଃଖଦାୟକ ଘଟଣା ଘଟିଛି । ଜଣେ ଯୁବକକୁ କୋର୍ଟ ଜାମିନ ଦେବା ସତ୍ତ୍ବେ ଜେଲ ବିଭାଗର ଅବହେଳା ଯୋଗୁଁ ତାଙ୍କୁ ଅତିରିକ୍ତ ୩ ବର୍ଷ ଜେଲରେ ରହିବାକୁ ପଡ଼ିଛି । ୨୦୨୦ରେ ଗୁଜରାଟ ହାଇକୋର୍ଟ ସଂପୃକ୍ତ ଯୁବକକୁ ଜାମିନ ଦେବା ସହ କୋର୍ଟର ରେଜିଷ୍ଟ୍ରାର ଯୁବକ ରହୁଥିବା ଜେଲକୁ ଏକ ଇ-ମେଲ ମାଧ୍ୟମରେ ଜାମିନ ଆଦେଶ ପଠାଇଥିଲେ । କିନ୍ତୁ ଜେଲ କର୍ତ୍ତୃପକ୍ଷ ଅବହେଳା ବଶତଃ ଇମଲେର ସଂଲଗ୍ନ ଥିବା କୋର୍ଟଙ୍କ ଆଦେଶକୁ ଖୋଲିନଥିଲେ । ଏହା ଫଳରେ ଯୁବକଙ୍କୁ ଖଲାସ କରାଯାଇପାରିନଥିଲା । ଏହି ଘଟଣାକୁ ନେଇ କୋର୍ଟ ଆଶ୍ଚର୍ଯ୍ୟ ହେବା ସହ ଏହା ଆଖି ଖୋଲିଦେବା ଭଳି ଏକ ଘଟଣା ବୋଲି କହିଛନ୍ତି ।
ଜାମିନ ମିଳିବା ସତ୍ତ୍ୱେ ଅତିରିକ୍ତ ୩ ବର୍ଷ ଜେଲରେ ରହିବାକୁ ପଡ଼ିଥିବା ସଂପୃକ୍ତ ଯୁବକ ଚନ୍ଦନଜୀ ଠାକୋରଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଗୁଜରାଟ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟ କହିଛନ୍ତି ଯେ ଜେଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ସଂପୃକ୍ତ ଯୁବକ ଅତିରିକ୍ତ ୩ ବର୍ଷ ଜେଲରେ ରହିଲେ । ଏହି ସମୟରେ ସେ ନିଜର ସ୍ବାଧୀନତା ଉପଭୋଗ କରିପାରିଥାନ୍ତେ । ସଂପୃକ୍ତ ଜାମିନ ଆଦେଶ ସଂପର୍କରେ ଜେଲ କର୍ତ୍ତୃପକ୍ଷ ମଧ୍ୟ କୋର୍ଟ ରେଜିଷ୍ଟ୍ରି କିମ୍ବା ସେସନ୍ସ କୋର୍ଟଙ୍କ ସହ ଯୋଗାଯୋଗ କରିଥିଲେ ବି ଜାଣିପାରିଥାନ୍ତେ । କିନ୍ତୁ ଜେଲ କର୍ତ୍ତୃପକ୍ଷ ଏପରି କରିନଥିଲେ ।