ଏ ଯୁଗର ଶ୍ରବଣ କୁମାର ପ୍ରତୀକ୍ଷା: ଦିବ୍ୟାଙ୍ଗ ବାପାଙ୍କ ଆଶାବାଡ଼ି ୧୨ ବର୍ଷର ଝିଅ – Utkal Mail
ସେବା, ଶୁଶ୍ରୂଷା ପାଇଁ ପ୍ରଥମ ଶ୍ରେଣୀରୁ ଛାଡ଼ିଛନ୍ତି ପାଠ
ଜୟପୁର: ୨୦ ବର୍ଷ ହେଲା ବାପାଙ୍କ ଆଖିକୁ ଦିଶୁନି। ୩ ବର୍ଷ ତଳେ ମା’ ଆରପାରିକୁ ଚାଲିଗଲେ। ମା’ଙ୍କ ମୃତ୍ୟୁ ପରେ ଦିବ୍ୟାଙ୍ଗ ବାପାଙ୍କ ସାହାରା ପାଲଟିଛି ୧୨ ବର୍ଷର ଝିଅ ପ୍ରତୀକ୍ଷା। ଶ୍ରବଣ କୁମାର ଭଳି ବାପାଙ୍କ ସେବା ଶୁଶ୍ରୂଷା କରି ଚାଲିଛି। ମନ୍ଦିର ସମ୍ମୁଖରେ ଭିକ୍ଷାବୃତ୍ତି କରି ଦୁଃଖକଷ୍ଟରେ ଚଳୁଛନ୍ତି ବାପାଝିଅ। ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ନଥିବାରୁ ବିପଦସଂକୁଳ ସରକାରୀ ଘରେ ସେମାନେ ଦୟନୀୟ ଦିନ କାଟୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ସହରର ଜୟନଗର ଛକରେ।
ପ୍ରାୟ ୨୦ ବର୍ଷ ତଳେ ପୂର୍ଣ୍ଣଚନ୍ଦ୍ର ନାୟକ ପତ୍ନୀଙ୍କ ସହିତ ଜୟପୁରକୁ ଆସିଥିଲେ। ନିଜର ଘରବାଡ଼ି ନଥିବାରୁ ଜୟନଗର ଛକରେ ଥିବା ଅବକାରୀ ବିଭାଗର ପରିତ୍ୟକ୍ତ କୋଠା ପରିସରରେ ରହୁଥିଲେ। ତାଙ୍କ ଆଖିକୁ ଦେଖାଯାଉ ନଥିବାରୁ ପତ୍ନୀଙ୍କ ସହାୟତାରେ ଭିକ୍ଷାବୃତ୍ତି କରି ପରିବାର ଚଳାଉଥିଲେ। ପ୍ରାୟ ୮ ବର୍ଷ ପରେ ପତ୍ନୀ ଏକ ଶିଶୁକନ୍ୟା ଜନ୍ମ ଦେବାରୁ ପରିବାରରେ ଖୁସିର ଲହରି ଖେଳିଯାଇଥିଲା। ଅଭାବ, ଅସୁବିଧା ସତ୍ତ୍ବେ ନବଜାତ କନ୍ୟାକୁ ନେଇ ସେମାନେ ଖୁସିରେ ଥିଲେ। କିନ୍ତୁ ୩ ବର୍ଷ ତଳେ ହଠାତ୍ ପତ୍ନୀଙ୍କ ମୃତ୍ୟୁ ପରେ ଏକମାତ୍ର ଝିଅକୁ ନେଇ କିଭଳି ଚଳିବେ ସେନେଇ ପୂର୍ଣ୍ଣଚନ୍ଦ୍ର ଭାଙ୍ଗି ପଡ଼ିଥିଲେ।
ସେବା, ଶୁଶ୍ରୂଷା ପାଇଁ ପ୍ରଥମ ଶ୍ରେଣୀରୁ ଛାଡ଼ିଛନ୍ତି ପାଠ
ଭଙ୍ଗା ଦଦରା ସରକାରୀ କୋଠାରେ ବିତୁଛି ଦିନ
ମା’ଙ୍କ ମୃତ୍ୟୁ ସମୟରେ ଝିଅ ପ୍ରତୀକ୍ଷା ପ୍ରଥମ ଶ୍ରେଣୀରେ ପଢ଼ୁ୍ଥିଲେ। ବାପା ଦୃଷ୍ଟିବାଧିତ ହୋଇଥିବାରୁ ଭିକ୍ଷାବୃତ୍ତିରେ ସହଯୋଗ କରିବା ପାଇଁ ଝିଅ ପ୍ରତୀକ୍ଷା ପାଠ ଛାଡ଼ି ପୂର୍ଣ୍ଣଚନ୍ଦ୍ରଙ୍କୁ ସହଯୋଗ କରି ଆସୁଛନ୍ତି। ପେଟକୁ ଦାନା ମୁଠାଏ ଯୋଗାଡ଼ ପାଇଁ ପ୍ରତୀକ୍ଷା ବାପାଙ୍କ ସହିତ ଜୟନଗର ଛକରେ ଥିବା ଶିବ ମନ୍ଦିର ସମ୍ମୁଖରେ ଭିକ୍ଷାବୃତ୍ତି କରୁଛନ୍ତି। ପୂର୍ଣ୍ଣଚନ୍ଦ୍ରଙ୍କୁ ମିଳୁଥିବା ମାସିକ ୫୦୦ ଟଙ୍କା ଭତ୍ତା ଓ ୧୦ କିଲୋ ଚାଉଳ ପୂର୍ଣ୍ଣଚନ୍ଦ୍ରଙ୍କୁ ମିଳୁଛି। ଅନ୍ୟପଟେ ବାପାଝିଅ ରହୁଥିବା ଘର ଛାତରୁ ପ୍ଲାଷ୍ଟର ଓ ଛାତ ଖସୁଥିବାରୁ କେତେବେଳେ ଘର ଭୁଶୁଡ଼ି ଅଘଟଣ ଘଟିବ ସେନେଇ ଆଶଙ୍କା ଦେଖାଦେଇଛି। ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଗଳୁଥିବା ବେଳେ ଝରକା କିମ୍ବା କବାଟ ମଧ୍ୟ ନାହିଁ।
ବିଦ୍ୟୁତ୍ ସଂଯୋଗ ନଥିବାରୁ ଡିବିରି ଆଲୁଅରେ ଉଭୟଙ୍କ ରାତି କଟୁଛି। ମୁଣ୍ଡ ଗୁଞ୍ଜିବା ନିମନ୍ତେ ଘର ଖଣ୍ଡିଏ ଯୋଗାଇ ଦେବାକୁ ଆଜି ପ୍ରତୀକ୍ଷା ନିଜ ବାପାଙ୍କ ସହିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। କିନ୍ତୁ କୌଣସି କାରଣରୁ ଉପଜିଲ୍ଲାପାଳଙ୍କୁ ଭେଟିବାର ସୁଯୋଗ ପାଇପାରି ନଥିଲେ। ଏମାନଙ୍କୁ ସେଠାରେ ଜଣେ କର୍ମଚାରୀ ତହସିଲଦାରଙ୍କ ନିକଟକୁ ଯିବାକୁ ପରାମର୍ଶ ଦେଇଥିବା ବାପାଝିଅ କହିଛନ୍ତି। ପାଠ ପଢ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ପ୍ରତୀକ୍ଷା ଇଚ୍ଛା ରଖିଥିଲେ ମଧ୍ୟ ଭିନ୍ନକ୍ଷମ ବାପାଙ୍କୁ ଛାଡ଼ି ସ୍କୁଲ୍ ଯାଇପାରୁନାହାନ୍ତି। ଯଦି ସେ ପାଠ ପଢ଼ିବାକୁ ସ୍କୁଲ୍ ଯିବେ ତେବେ ବାପାଙ୍କ ସେବା ଶୁଶ୍ରୂଷା ଓ ତଦାରଖ କିଏ କରିବେ ବୋଲି ପ୍ରତୀକ୍ଷା କହିଛନ୍ତି। ବର୍ତ୍ତମାନର ସ୍ବାର୍ଥପର ଦୁନିଆରେ ପୁଅଝିଅ ନିଜ ବାପାମାଆଙ୍କୁ ପଚାରୁ ନଥିବାର ବହୁ ନଜିର ରହିଛି। ହେଲେ ବାପାଙ୍କ ପାଇଁ ନିଜ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଭିନ୍ନକ୍ଷମ ବାପାଙ୍କ ସେବା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ପ୍ରତୀକ୍ଷା। ଜିଲ୍ଲା ପ୍ରଶାସନ ଏହି ପରିବାରର ଦାବିକୁ ବିଚାରକୁ ନେଇ ତୁରନ୍ତ ଘର ଖଣ୍ଡିଏ ଯୋଗାଇଦେବା ସହ ଥଇଥାନ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।