ଓଡିଶା

ସଫଳ ଯୋଡ଼ି ବସନ୍ତ-ସ୍ବରୂପ

କାଧାରରେ ଜଣେ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, ଗାୟକ ଓ ଅଭିନେତା ଭାବେ ସ୍ୱରୂପ ନାୟକ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ଛାପ ଛାଡ଼ିଯାଇଛନ୍ତି। ଦୁର୍ଗା ନନ୍ଦଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ହୀରାନୀଳା’ (୧୯୮୬)ରେ ସେ ସଂଗୀତ ନିର୍ଦ୍ଦେଶନା ଦେଇ ଓଲିଉଡ୍ରେ ସଂଗୀତକାର ଭାବେ ପାଦ ରଖିଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ।

ନିଜ କ୍ୟାରିଅର୍ରେ ସେ ୫୦ରୁ ଅଧିକ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଷାଠିଏରୁ ଅଧିକ ଓଡ଼ିଆ ଛବିରେ ଗୀତ ରଚନା କରିଥିଲେ। ତେବେ ଓଲିଉଡ୍ର ପ୍ରଖ୍ୟାତ ନିର୍ଦ୍ଦେଶକ ବସନ୍ତ ସାହୁଙ୍କର ୯ଟି ସିନେମାରେ ସ୍ବରସଂଯୋଜନା କରିଥିଲେ ସ୍ବରୂପ। ବସନ୍ତଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଛବି ‘କି ହେବ ଶୁଆ ପୋଷିଲେ’ (୧୯୯୧)ରୁ ବସନ୍ତ-ସ୍ବରୂପ ଯୋଡ଼ିର ମୂଳଦୁଆ ପଡ଼ିଥିଲା। ରବି ସ୍ବାଇଁଙ୍କ ପ୍ରଯୋଜିତ ଏହି ସିନେମାର ଶୀର୍ଷକ ଗୀତ ସମେତ ‘ବର୍ଷା ପଡ଼ିଲାଣି…’, ‘ବାଣୀ ଲୋ ବାଣୀ ମୋର ଆକାଶବାଣୀ…’ ଆଦି ଗୀତ ବେଶ୍ ଲୋକପ୍ରିୟ ହୋଇଥିଲା।

ପ୍ରଶାନ୍ତ ନନ୍ଦ ଓ ମହମ୍ମଦ ମହସୀନଙ୍କ ଠାରୁ ଆରମ୍ଭ କରି ଅଶୋକ ପତିଙ୍କ ଭଳି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସହ ସଙ୍ଗୀତକାର ସ୍ବରୂପ ନାୟକ କାମ କରିଥିଲେ। ହେଲେ ସର୍ବାଧିକ ନଅଟି ସିନେମା କରିଥିଲେ ନିର୍ଦ୍ଦେଶକ ବସନ୍ତ ସାହୁଙ୍କ ସହ। ବସନ୍ତ-ସ୍ବରୂପଙ୍କ ଯୋଡ଼ି ବେଶ୍ ସଫଳ ଏବଂ ସେମାନେ ଓଡ଼ିଆ ଶ୍ରୋତାଙ୍କୁ ଏକାଧିକ ଭଲ ଗୀତ ଭେଟି ଦେଇଛନ୍ତି।

ଏହାପରେ ବସନ୍ତ-ସ୍ବରୂପଙ୍କ ଯୋଡ଼ି ରଣଜିତ ରାଉତଙ୍କ ପ୍ରଯୋଜିତ ‘ସୌଭାଗ୍ୟବତୀ’, ବିଶ୍ବନାଥ ପ୍ରଧାନଙ୍କ ‘କଳାମାଣିକ’, ସନକ ଦେବତାଙ୍କ ‘ମା ଗୋଜବାୟାଣୀ’, ଶୁଭକାନ୍ତ ସାହୁଙ୍କ ‘ଲାଟ୍ ସାହେବ’, ବିଜୟ କାନ୍ଦୋଇ, ପପି ସନ୍ତୁକା ଓ ଅନିଲ ଅଗ୍ରୱାଲଙ୍କ ‘ରକତ ଚିହ୍ନିଛି ନିଜର କିଏ’ , ବିଜୟ କାନ୍ଦୋଇଙ୍କ ‘ମାତୃଶକ୍ତି’, ରାଜଶ୍ରୀ ପ୍ରଡକସନ୍ସର ‘ଶାଶୂ ଘର ଚାଲିଯିବି’, ବିରଞ୍ଚି ନାରାୟଣ ପଣ୍ଡାଙ୍କ ପ୍ରଯୋଜିତ ‘ସତ୍ୟମେବ ଜୟତେ’ ଜରିଆରେ ଅନେକ ମନଛୁଆଁ ଗୀତ ଓଡ଼ିଆ ଶ୍ରୋତାଙ୍କୁ ଭେଟି ଦେଇଥିଲେ। ଏହି ଯୋଡ଼ିଙ୍କର କେତେକ ଜନପ୍ରିୟ ଗୀତ ହେଲା ତୁଳସୀ ଚଉରା ମୂଳେ…( ସୌଭାଗ୍ୟବତୀ), କଳାମାଣିକରେ ମୋର…( କଳାମାଣିକ), ଶାଢ଼ି କାନ୍ଧରେ ରହିଲେ କାନି…( ଶାଶୂ ଘର ଚାଲିଯିବି), ଆଖିରେ ତୁମ ନୀଳ ଆଖିରେ…(ଲାଟ୍ ସାହେବ), ମାଟି ସବୁ କିଛି ସହେ… (ସତ୍ୟମେବ ଜୟତେ), ଘର ଏରୁଣ୍ଡି ବନ୍ଧ ଡେଇଁ..(ମା’ ଗୋଜବାୟାଣୀ), ହୋ ପ୍ରିୟା ମୋର ଚାଲିଗଲ କରି ମତେ ପର…(‘ମାତୃଶକ୍ତି’)।

ସ୍ବରୂପଙ୍କ ସଂପର୍କରେ ବସନ୍ତ ସାହୁ କହନ୍ତି, ‘‘ତାଙ୍କୁ ମୁଁ ଦାଦା ବୋଲି ଡାକେ। ସେ ମୋର ବାପାଙ୍କ ସମସାମୟିକ ହୋଇଥିବାରୁ ତାଙ୍କ ସହ ପାରିବାରିକ ସଂପର୍କ ଥିଲା। ହେଲେ ‘ଡୋରା’, ‘ଜଗାବଳିଆ’ ଓ ‘ସପନ ବଣିକ’ର ସୁଟିଂ ସମୟରେ ଆମ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ମୋତେ ପ୍ରଥମ ସିନେମା ମିଳିବା ପଛରେ ଯେଉଁ ତିନିଜଣଙ୍କର ଅବଦାନ ଥିଲା, ସେମାନଙ୍କ ମଧ୍ୟରେ ସ୍ବରୂପ ଦା’ଙ୍କର ପ୍ରମୁଖ ଭୂମିକା ଥିଲା। ସ୍ବରୂପ ନାୟକ ଏଭଳି ଜଣେ ସଙ୍ଗୀତକାର ଥିଲେ, ଯିଏ ଗୀତ ରେକର୍ଡିଂ ସମୟରେ ନାଚିବାର ମୁଁ ବହୁବାର ଦେଖିଛି। ସେହି ସମୟରେ ଗୀତ କେମିତି ପିକ୍ଚରାଇଜ୍ ହେବ, ତାହା ନିର୍ଦ୍ଦେଶକଙ୍କୁ ସେ ବୁଝାଇଥାନ୍ତି। ତାଙ୍କ ସହ କାମ କଲେ ଖୁବ୍ ରିଲାକ୍ସ ଲାଗେ।’’

Related Articles

Leave a Reply

Your email address will not be published. Required fields are marked *

Back to top button