ଦେଶ ବିଦେଶ

ମଣିପୁରରେ ସେନା ଯବାନଙ୍କୁ ଅପହରଣ ପରେ ହତ୍ୟା – Utkal Mail


ଇମ୍ଫାଲ: ମଣିପୁରର ଇମ୍ଫାଲ ପୂର୍ବ ଜିଲ୍ଲାର ଖୁନିଙ୍ଗଥେକ୍‌ ଗ୍ରାମରୁ ରବିବାର ଜଣେ ଭାରତୀୟ ସେନା ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସଂପୃକ୍ତ ଯବାନ ଜଣକ କଙ୍ଗପୋକପି ଜିଲ୍ଲାର ଲେଇମାଖୋଙ୍ଗ ଠାରେ ସେନାର ଡିଫେନ୍‌ସ ସିକ୍ୟୁରିଟି କର୍ପସ (ଡିଏସସି) ପ୍ଲାଟୁନର ସିପାହୀ ସେର୍ତୋ ଥାଙ୍ଗଥାଙ୍ଗକମ୍‌ ବୋଲି ଜଣାପଡ଼ିଛି। ସେ ଇମ୍ଫାଲ ପଶ୍ଚିମର ତରୁଣଗର ବାସିନ୍ଦା ବୋଲି ସେନା ଅଧିକାରୀମାନେ କହିଛନ୍ତି।

ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଅଜଣା ସଶସ୍ତ୍ର ଦୁର୍ବୃତ୍ତମାନେ ଛୁଟିରେ ଥିବା ସିପାହୀ କମ୍‌ଙ୍କୁ ତାଙ୍କ ଘରୁ ଅପହରଣ କରି ନେଇଥିଲେ।

ଏହି ଘଟଣାର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ତାଙ୍କ ୧୦ ବର୍ଷର ପୁଅଙ୍କ କହିବା ଅନୁସାରେ, ତାଙ୍କ ବାପା ଓ ସେ ବାରଣ୍ଡାରେ କାମ କରୁଥିବା ବେଳେ ୩ ଜଣ ଅଜ୍ଞାତ ବ୍ୟକ୍ତି ସେମାନଙ୍କ ଘରେ ପଶିଥିଲେ। ସଶସ୍ତ୍ର ଦୁର୍ବୃତ୍ତମାନେ ସିପାହୀଙ୍କ ମୁଣ୍ଡରେ ପିସ୍ତଲ ରଖି ତାଙ୍କୁ ଏକ ଧଳା ଗାଡିରେ ବସାଇ ଘଟଣାସ୍ଥଳରୁ ନେଇ ଫେରାର ହୋଇ ଯାଇଥିଲେ।

ରବିବାର ସକାଳ ପର୍ଯ୍ୟନ୍ତ ସିପାହୀ କମ୍‌ଙ୍କର କୌଣସି ଖବର ମିଳି ନଥିଲା। ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଇମ୍ଫାଲ ପୂର୍ବର ସୋଗୋଲମାଙ୍ଗ ପିଏସ୍‌ ଅନ୍ତର୍ଗତ ମୋଙ୍ଗଜାମର ପୂର୍ବରେ ଥିବା ଖୁନିଙ୍ଗଥେକ୍‌ ଗ୍ରାମରୁ ତାଙ୍କ ମୃତଦେହ ମିଳିଥିଲା। ତାଙ୍କ ପରିଚୟ ତାଙ୍କ ଭାଇ ଓ ଭିଣୋଇ ନିଶ୍ଚିତ କରି କହିଛନ୍ତି ଯେ ତାଙ୍କ ମୁଣ୍ଡରେ ଗୋଟିଏ ଗୁଳି ବାଜିଛି।

ସିପାହୀ କମ୍‌ଙ୍କ ପରିବାରରେ ପତ୍ନୀ, ଝିଅ ଓ ପୁଅ ଅଛନ୍ତି। ପରିବାର ଲୋକଙ୍କ ଇଚ୍ଛା ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଅଧିକାରୀମାନେ କହିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରକୁ ସାହାଯ୍ୟ କରିବା ପାଇଁ ସେନା ଏକ ଟିମ୍‌ ପଠାଇଛି।




Related Articles

Leave a Reply

Your email address will not be published. Required fields are marked *

Back to top button