ଦେଶ ବିଦେଶ

ତୁର୍କୀରୁ ଡ୍ରୋନ୍ କିଣି ଭାରତ ସୀମାରେ ମୁତୟନ କଲା ବାଂଲାଦେଶ: ପାକିସ୍ତାନ-ବାଂଲାଦେଶ-ତୁର୍କୀ ସଂପର୍କ ଚିନ୍ତା ବଢ଼ାଉଛି

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ତିକ୍ତ ସଂପର୍କ ମଧ୍ୟରେ ବାଂଲାଦେଶର ଅନ୍ତରୀଣ ସରକାର ଗୋଟିଏ ପରେ ଗୋଟିଏ ଭାରତ ବିରୋଧୀ ପଦକ୍ଷେପ ନେବାରେ ଲାଗିଛି। ପାକିସ୍ତାନୀ ସେନା ଓ ସରକାର ସହ ବାଂଲାଦେଶ ଗୋଟିଏ ପଟେ ଘନିଷ୍ଠତା ବଢ଼ାଇଥିବା ବେଳେ ଅନ୍ୟପଟେ ଭାରତ ବିରୋଧୀ ତୁର୍କୀ ସହ ମଧ୍ୟ ସଂପର୍କରେ ସୁଧାର ଆଣିଛି। ଏବେ ବାଂଲାଦେଶ ଇସ୍‌ଲାମିକ ଦେଶ ତୁର୍କୀଠାରୁ ଶକ୍ତିଶାଳୀ ଟିବି-୨ ଡ୍ରୋନ୍‌ କିଣି ଭାରତ ସୀମାରେ ମୁତୟନ କରିଛି। ଏହି ଡ୍ରୋନ୍ ଦୀର୍ଘ ସମୟ ଧରି ଆକାଶରେ ଉଡ଼ିବାରେ ସକ୍ଷମ। ପାକିସ୍ତାନ ମଧ୍ୟ ତୁର୍କୀଠାରୁ ଏହି ‌ଶ୍ରେଣୀର ଡ୍ରୋନ୍ କିଣିଛି।

ତୁର୍କୀ ସହ ପାକିସ୍ତାନର ଦୀର୍ଘ ଦିନ ଧରି ଭଲ ସମ୍ପର୍କ ରହିଛି। କାଶ୍ମୀର ପ୍ରସଙ୍ଗରେ ମଧ୍ୟ ତୁର୍କୀ ପାକିସ୍ତାନର ଯୁକ୍ତିକୁ ସମର୍ଥନ କରି ଜାତିସଂଘ ମଞ୍ଚରୁ ଅନେକ ଥର ଭାରତ ବିରୋଧୀ ବୟାନ ଦେଇଛି। ଏବେ ପାକ୍‌-ବାଂଲାଦେଶ ରଣନୀତି ଯୋଗୁଁ ଭାରତ ମଧ୍ୟ ସୀମା ସୁରକ୍ଷା ନୀତିରେ କେତେକ ପରିବର୍ତ୍ତନ ଆଣିଛି। ଭାରତୀୟ ସୁରକ୍ଷା ବାହିନୀ ଏହି ଡ୍ରୋନ୍‌ ଉପରେ ଅହରହ ନଜର ରଖିଛି। ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ତୁର୍କୀ ନିର୍ମିତ ଡ୍ରୋନ୍‌ଗୁଡ଼ିକ ସୀମାରେ ଉଡ଼ୁଛି।  ଭାରତୀୟ ସୁରକ୍ଷା ବାହିନୀ ସୀମାରେ ସ୍ବତନ୍ତ୍ର ରାଡାର ଲଗାଇଛି ଯାହା ଦ୍ୱାରା ଏଭଳି ଉପକରଣ ଉପରେ ନଜର ରଖାଯାଇପାରିବ। ବାଂଲାଦେଶ ଆଣିଥିବା ଡ୍ରୋନ୍‌ ଥରେ ଚାର୍ଜ ହେବା ପରେ ପ୍ରାୟ ୨୭ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ଉଡ଼ିପାରିବ। କେବଳ ଏତିକି ନୁହେଁ ଏହା ପ୍ରାୟ ୮୨୩୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡ଼ିପାରିବ। ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଏହି ଡ୍ରୋନ୍ ଅନ୍ୟ ଦେଶର ଲଢୁଆ ବିମାନକୁ ମଧ୍ୟ ଟାର୍ଗେଟ୍‌ କରିପାରିବ।

ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ଭାରତ ସୀମା ପର୍ଯ୍ୟନ୍ତ ଆସି ସେଠାରେ ପାକିସ୍ତାନୀ ଅଧିକାରୀଙ୍କୁ ଭେଟିବା ମଧ୍ୟ ଭାରତ ପାଇଁ ଚିନ୍ତାର ବିଷୟ। ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ବାଂଲାଦେଶର ଚରମପନ୍ଥୀଙ୍କୁ ନେଇ ଭାରତ ବିରୋଧୀ ଷଡ୍‌ଯନ୍ତ୍ର କରିପାରେ ବୋଲି ସୁରକ୍ଷା ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ନିକଟରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ନିକଟରେ କହିଥିଲେ ଯେ ପାକିସ୍ତାନୀ ଅଧିକାରୀଙ୍କୁ ବାଂଲାଦେଶ ଦେଇ ଭାରତୀୟ ସୀମାକୁ ଆଣିବା ଚିନ୍ତାର ବିଷୟ। ସେ କହିଛନ୍ତି ଯେ ଆମେ ପାକିସ୍ତାନକୁ ଆତଙ୍କବାଦର କେନ୍ଦ୍ର ଭାବରେ ବିଚାର କରୁଛୁ।  ଅନ୍ୟପକ୍ଷରେ ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ କହିଛନ୍ତି ଯେ ଭାରତ ସହ ଆମ ସଂପର୍କ ସ୍ବାଭାବିକ ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button