ଦେଶ ବିଦେଶ

ଲେବାନନ୍‌ ସଂଘର୍ଷ ଆହୁରି ଭୀଷଣ ହେବ, ହେଜବୁଲ୍ଲାର ଡ୍ରୋନ୍‌ କମାଣ୍ଡର ନିହତ

ତେଲ୍ ଅବିବ: ଲେବାନନ୍ର ଇସ୍ଲାମିକ ଚରମପନ୍ଥୀ ସଂଗଠନ ହେଜବୋଲ୍ଲା ବିରୋଧରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ଅସ୍ତ୍ରବିରତି ପାଇଁ ଫ୍ରାନ୍ସ ଓ ଆମେରିକାର ପ୍ରସ୍ତାବକୁ ଇସ୍ରାଏଲ ଆଜି ପ୍ରତ୍ୟାଖ୍ୟାନ କରିଛି। ହେଜବୁଲ୍ଲାକୁ ସମୂଳେ ଧ୍ବଂସ କରାଯିବା ପର୍ଯ୍ୟନ୍ତ ଅଭିଯାନ ଜାରି ରହିବ ବୋଲି ଇସ୍ରାଏଲ ଘୋଷଣା କରିଛନ୍ତି।

ଇସ୍ରାଏଲ ଅର୍ଥମନ୍ତ୍ରୀ ବେଜାଲେଲ୍ ସ୍ମୋଟ୍ରିକ୍ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି ଯେ ୨୧ ଦିନିଆ ଯୁଦ୍ଧବିରତି ଡାକରା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ସୂଚନାଯୋଗ୍ୟ, ଗତ ୭୨ ଘଣ୍ଟା ମଧ୍ୟରେ ଇସ୍ରାଏଲ ଆକ୍ରମଣରେ ୬ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ହଜାରରୁ ଅଧିକ ଆହତ ହୋଇଛନ୍ତି। ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଲେବାନନ୍ରୁ ନିଜ ନାଗରିକଙ୍କୁ ତୁରନ୍ତ ପ୍ରତ୍ୟାବର୍ତ୍ତନ ପାଇଁ ପରାମର୍ଶ ଦେଇଥିବାରୁ ନାଗରିକଙ୍କ ଫେରିବା ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି।

ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଲେବାନନ୍ରେ ଇସ୍ରାଏଲ ସ୍ଥଳ ସେନାର ଅଭିଯାନ ପାଇଁ ଅନୁମୋଦନ ଦେଇସାରିଥିବାରୁ ଯେ କୌଣସି ମୁହୂର୍ତ୍ତରେ ଇସ୍ରାଏଲ ସେନା ଲେବାନନ୍ରେ ପ୍ରବେଶ କରିବ ବୋଲି କୁହାଯାଉଛି। ହେଜବୁଲ୍ଲା ଆତଙ୍କବାଦୀ ସଂଗଠନ ବିରୋଧରେ ଆମେ ଆମର ସମସ୍ତ ଶକ୍ତି ସହିତ ଲଢ଼େଇ ଜାରି ରଖିବୁ ବୋଲି ଇସ୍ରାଏଲ ଅର୍ଥମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ବିବୃତିରେ କହିଛନ୍ତି। ଲେବାନନ୍ ପ୍ରଧାନମନ୍ତ୍ରୀ ନଜିବ ମିକାଟି ଲେବାନନ୍ରେ ଶୀଘ୍ର ଅସ୍ତ୍ରବିରତି ପାଇଁ ବିଶ୍ବନେତାଙ୍କ ହସ୍ତକ୍ଷେପ ଲୋଡ଼ିବା ପରେ ଇସ୍ରାଏଲର ସହଯୋଗୀ ଓ ବନ୍ଧୁ ରାଷ୍ଟ୍ରମାନେ ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ ଏହା ଭଣ୍ଡୁର ହୋଇଥିବାରୁ ଆଗକୁ ସଂଘର୍ଷ ଭୀଷଣ ରୂପ ନେବାକୁ ଯାଉଛି। ଇସ୍ରାଏଲ ଓ ଇରାନ ସମର୍ଥିତ ହେଜବୁଲ୍ଲା ଗୋଷ୍ଠୀ ମଧ୍ୟରେ ପାଖାପାଖି ଦୁଇ ଦଶନ୍ଧି ମଧ୍ୟରେ ସବୁଠାରୁ ଭୟଙ୍କର ସଂଘର୍ଷ ଯୋଗୁଁ ଲେବାନନ୍ରେ ଏବେ ଧ୍ବଂସଲୀଳା ଆରମ୍ଭ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button