ଯୁଦ୍ଧଗ୍ରସ୍ତ ମ୍ୟାମାରରେ ଦୁଃଖ ବଢ଼ାଇଲା ଭୂକମ୍ପ

ନାପିଦା: ଦୀର୍ଘ ୪ ବର୍ଷର ଗୃହଯୁଦ୍ଧ, ଉତ୍କଟ ଖାଦ୍ୟ ସଙ୍କଟ ଏବଂ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ପଡ଼ିଥିବା ମ୍ୟାମାର୍ର ଏବେ ଦୁଃଖ ବଢ଼ାଇଛି ଭୂକମ୍ପ। ଶୁକ୍ରବାର ମ୍ୟାମାରର ସଗାଇଙ୍ଗ ସହରରେ ୭.୭ ତୀବ୍ରତାର ଭୂକମ୍ପ ଭୟଙ୍କର କ୍ଷତି ଘଟାଇଛି। ୧୯୪୮ରେ ମ୍ୟାମାର ବ୍ରିଟେନଠାରୁ ସ୍ବାଧୀନ ହେବାପରେ ଏଠାରେ ଦୀର୍ଘ ବର୍ଷ ଧରି ସାମରିକ ଶାସନ ଚାଲିଥିଲା। ତେବେ କିଛି ବର୍ଷ ପାଇଁ ମ୍ୟାମାର୍ରେ ନିର୍ବାଚନ ହୋଇଥିଲେ ମଧ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥା ବିଫଳ ହୋଇଛି। ୨୦୨୧ରେ ପୁଣିଥରେ ଏଠାରେ ସେନା ଶାସନ ଭାର ଗ୍ରହଣ କରିଛି। ଯୁଦ୍ଧ ଯୋଗୁଁ ୨୦ ଲକ୍ଷରୁ ଅଧିକ ଲୋକ ଘୋର ଦୁର୍ଦ୍ଦିନରେ ଅଛନ୍ତି। ୩.୫ ନିୟୁତରୁ ଅଧିକ ଲୋକ ଯୁଦ୍ଧ ଯୋଗୁଁ ବିସ୍ଥାପିତ ହୋଇଥିବାବେଳେ ଏବେ ପୁଣି ଭୂକମ୍ପ ସେମାନଙ୍କ ପାଇଁ ଘୋର ଦୁର୍ଦ୍ଦିନ ଆଣିଛି। ଖାଦ୍ୟ ସଙ୍କଟ ମ୍ୟାମାରରେ ଅତି ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଦରବୃଦ୍ଧି ଯୋଗୁଁ ଅନେକ ଲୋକ ପେଟ ପୂରା ଖାଇବାକୁ ସକ୍ଷମ ହୋଇପାରୁ ନାହାନ୍ତି। ଚଳିତ ସପ୍ତାହରେ ଜାତିସଂଘ ଘୋଷଣା କରିଛି ଯେ ବୈଶ୍ବିକ ପାଣ୍ଠି କମୁଥିବାରୁ ଏହା ମ୍ୟାମାରରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସହାୟତା ଦେବା ବନ୍ଦ କରିବ। ଟାଇଫୁନ୍ ୟାଗି ମ୍ୟାମାର୍ରେ ବ୍ୟାପକ କ୍ଷତି ଘଟାଇବାପରେ ଆଜିର ଭୂକମ୍ପ ଯୋଗୁଁ ହଜାର ହଜାର ଘର ମାଟିରେ ମିଶିଯାଇଛି। ଆଜିର ଭୂକମ୍ପ ଦେଶର ୫୦ ନିୟୁତରୁ ଅଧିକ ଲୋକଙ୍କ ସମସ୍ୟା ବଢ଼ାଇବ ଏବଂ ଖାଦ୍ୟ ସଙ୍କଟ ଅତି ଜଟିଳ ରୂପ ନେବ ବୋଲି ଆଶଙ୍କା କରାଯାଉଛି।
ମ୍ୟାମାରରେ ଭୂକମ୍ପ ଇତିହାସ
ନୂଆଦିଲ୍ଲୀ: ମ୍ୟାମାରରେ ଆଜି ହୋଇଥିବା ଭୂକମ୍ପରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ପ୍ରାୟ ୧ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ଏହା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ମ୍ୟାମାରରେ ଅନେକ ବଡ଼ ଭୂକମ୍ପ ହୋଇଛି। ମ୍ୟାମାର ହେଉଛି ବିଶ୍ବରେ ଭୂକମ୍ପ ପ୍ରବଣ ଅଞ୍ଚଳ ମଧ୍ୟରୁ ଗୋଟିଏ। ସଗାଇଙ୍ଗରେ ଦେଶର ବଡ଼ ଭୂକମ୍ପ ଜୋନ୍ ଭାବେ ପରିଚିତ। ଏହା ପୂର୍ବରୁ ୨୦୧୬ ଜାନୁଆରି ୪ରେ ମ୍ୟାମାରରେ ୬.୭ ତୀବ୍ରତାର ଭୂକମ୍ପ ହୋଇ ୧୧ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୨୦୧୨ ନଭେମ୍ବର ୧୧ ରେ ମ୍ୟାମାରର ସଗାଇଙ୍ଗରେ ଅନ୍ୟ ଏକ ଭୂକମ୍ପରେ ୨୬ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଶତାଧିକ ଆହତ ହୋଇଥିଲେ। ୨୦୧୧ ମାର୍ଚ୍ଚ ୨୪ରେ ୬.୯ ତୀବ୍ରତାର ଏକ ଭୂକମ୍ପରେ ୧୫୧ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୩ ଶହରୁ ଅଧିକ ଆହତ ହୋଇଥିଲେ। ଏହା ପୂର୍ବରୁ ୨୦୧୧ ମାର୍ଚ୍ଚ ୧୦ ତାରିଖରେ ୫.୪ ତୀବ୍ରତାର ଏକ ଭୂକମ୍ପରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୧୩ ଜଣ ଆହତ ହୋଇଥିଲେ। ୨୦୦୪ ଡିସେମ୍ବର ୨୬ରେ ଭାରତ ମହାସାଗର ଭୂକମ୍ପରେ ମ୍ୟାମାରରେ ପ୍ରାୟ ୭୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ୨୦୦୩ ସେପ୍ଟେମ୍ବର ୨୧ରେ ୬.୬ ତୀବ୍ରତାର ଭୂକମ୍ପରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୪୩ ଜଣ ଆହତ ହୋଇଥିଲେ। ଏହା ପୂର୍ବରୁ ୧୯୯୭ରେ ନଭେମ୍ବର ୨୧ ତାରିଖରେ ଭୂକମ୍ପ ହୋଇ ୨୩ ଲୋକଙ୍କ ମୃତ୍ୟୁ ହୋଇଥିଲା ।