ଦେଶ ବିଦେଶ

ରେକର୍ଡ ସ୍ତରରେ ଯମୁନା, ଦିଲ୍ଲୀର ବହୁ ଅଞ୍ଚଳ ଜଳବନ୍ଦୀ

ନୂଆଦିଲ୍ଲୀ: ଦିଲ୍ଲୀ ପାଇଁ ଚିନ୍ତାର କାରଣ ପାଲଟିଛି ଉଚ୍ଛୁଳୁଥିବା ଯମୁନା । ଯମୁନା ନଦୀର ଜଳସ୍ତର ଲଗାତାର ବଢ଼ି ରେକର୍ଡ ସ୍ତରରେ ପ୍ରବାହିତ ହେଉଛି । ଗୁରୁବାର ସକାଳ ୮ଟା ସୁଦ୍ଧା ଯମୁନାର ଜଳ ସ୍ତର ୨୦୮.୪୮ ମିଟରରେ ପହଞ୍ଚିଛି । ଏହା ଏକ ସର୍ବକାଳୀନ ରେକର୍ଡ। ଏହା ଆହୁରି ବଢ଼ିବା ସମ୍ଭାବନା ରହିଛି ‌। ଉଚ୍ଛୁଳୁଥିବା ଯମୁନାର ପାଣି ନିକଟସ୍ଥ ତଳିଆ ଅଞ୍ଚଳରେ ପଶିବାରୁ ବହୁଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଲ୍ଲୀରେ ବନ୍ୟା ପରିସ୍ଥିତି ମଧ୍ୟରେ ପ୍ରଶାସନ ଆଲର୍ଟ ମୋଡକୁ ଆସିଛି । ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନା ଯମୁନାର ଜଳ ସ୍ତରକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍ଏ)ର ଆଜି ଏକ ଜରୁରୀ ବୈଠକ ଡାକିଛନ୍ତି। ଜାତୀୟ ରାଜଧାନୀରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଏହାଛଡ଼ା ସହରକୁ ଭାରିଯାନ ପ୍ରବେଶ ଉପରେ କଟକଣା ଲଗାଯାଇଛି ।

ଗତ କିଛି ଦିନ ଧରି ଉତ୍ତର ଭାରତର ପାହାଡ଼ିଆ ରାଜ୍ୟ ଗୁଡିକରେ ଲଗାଣ ବର୍ଷା ଯୋଗୁଁ ଯମୁନାର ଜଳ ସ୍ତର ଭୟଙ୍କର ଭାବେ ବଢ଼ି ଚାଲିଛି। ଦିଲ୍ଲୀର ସମସ୍ତ ଡ୍ୟାମରେ ମଧ୍ୟ କ୍ଷମତାଠାରୁ ଅଧିକ ପାଣି ରହିଛି । ତେଣୁ କିଛି ଡ୍ୟାମର ଫାଟକ ଖୋଲାଯାଇଛି | ଫଳରେ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ବନ୍ୟା ପାଣି ପଶିଛି।

ଆଗାମୀ କିଛି ଦିନ ମଧ୍ୟରେ ଯମୁନା ପାଣି ସ୍ତର ହ୍ରାସ ହେବା ସମ୍ଭାବନା କମ୍। କାରଣ ଉପରମୁଣ୍ଡରେ ଆସନ୍ତା କିଛି ଦିନ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି।

ଉଲ୍ଲେଖଯୋଗ୍ୟ, ବୁଧବାର ଦିଲ୍ଲୀର ଯମୁନା ନଦୀର ଜଳ ସ୍ତର ୨୦୭.୮୩ ମିଟରକୁ ବୃଦ୍ଧି ପାଇ ୪୫ ବର୍ଷର ରେକର୍ଡ଼ ଭାଙ୍ଗିଥିଲା। ୧୯୭୮ ପରେ ଯମୁନାରେ ଏହା ସର୍ବୋଚ୍ଚ ଜଳସ୍ତର ଥିଲା।

ଯମୁନା ନଦୀର ବନ୍ୟା ପାଣି ମାଡ଼ି ଉତ୍ତର ଦିଲ୍ଲୀର ପ୍ରମୁଖ ରାସ୍ତାରେ ଜଳମଗ୍ନ ହୋଇଛି। କାଶ୍ମୀରୀ ଗେଟ୍, ରିଙ୍ଗ ରୋଡ୍, ଆଇଟିଓ ମଧ୍ୟ ଜଳବନ୍ଦୀ ହୋଇ ରହିଛି। ଯମୁନା ଜଳ ମଧ୍ୟ ପୂର୍ବ ଦିଲ୍ଲୀରୁ କେନ୍ଦ୍ରୀୟ ଦିଲ୍ଲୀ ଏବଂ କନ୍ନଟ୍ ପ୍ଲେସ୍ ପର୍ଯ୍ୟନ୍ତ କିଛି ମାର୍ଗରେ ପହଞ୍ଚିଥିବା ସୂଚନା ମିଳିଛି ।

ଯମୁନାର ଜଳସ୍ତର ଲଗାତାର ବୃଦ୍ଧି ପାଉଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ତାଙ୍କ ମନ୍ତ୍ରୀମାନଙ୍କ ସହ ଜରୁରୀ ବୈଠକ କରିଥିଲେ। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଯମୁନା କୂଳରେ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଅପେକ୍ଷା ନ କରି ତୁରନ୍ତ ସୁରକ୍ଷିତ ସ୍ଥାନକୁ ଯିବାକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଲୋକଙ୍କୁ ନିବେଦନ କରିଛନ୍ତି। ଏହାଛଡ଼ା କେଜ୍ରିୱାଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ସହାୟତା ଲୋଡିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button