ଦେଶ ବିଦେଶ

ଏହି ମନ୍ଦିରରେ ହୋଇଥିଲା ହରପାର୍ବତୀଙ୍କ ବିବାହ, ଏବେ ବି ଜଳୁଛି ଅଖଣ୍ଡ ଧୂନି

ଭାରତରେ ଅନେକ ପ୍ରାଚୀନ ମନ୍ଦିର ଅଛି । ଏଥିମଧ୍ୟରୁ କିଛି ମନ୍ଦିର ଆମକୁ ଆଶ୍ଚର୍ଯ୍ୟ କରେ । ଏହି ସମସ୍ତ ମନ୍ଦିର ସେମାନଙ୍କର ରହସ୍ୟ ଏବଂ ଚମତ୍କାରିତା ପାଇଁ ସାରା ବିଶ୍ୱରେ ଜଣାଶୁଣା । ତେବେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ଅବସ୍ଥିତ ଥିବା ତ୍ରିଯୁଗୀନାରାୟଣ ମନ୍ଦିର ସମ୍ପୂର୍ଣ୍ଣ ଭିନ୍ନ । କାହିଁକି ନା ଏହା କେବଳ ଏକ ଧାର୍ମିକ ସ୍ଥଳ ନୁହେଁ ବରଂ ଏକ ଚମତ୍କାର ସ୍ଥାନ । ଏହି ସ୍ଥାନରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଦିବ୍ୟ ବିବାହ ହୋଇଥିଲା । ତେଣୁ ଦୂରଦୂରାନ୍ତରୁ ନବ ବିବାହିତ ଦମ୍ପତିମାନେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଆଶୀର୍ବାଦ ପାଇବା ପାଇଁ ଏହି ମନ୍ଦିରକୁ ଆସନ୍ତି ।

ଏହି ମନ୍ଦିରର ଚମତ୍କାରିତା ନବ ଦମ୍ପତିକୁ ଏଠାକୁ ଟାଣି ଆଣିଥାଏ । ମାତା ପାର୍ବତୀ ଏବଂ ଭଗବାନ ଶିବଙ୍କ ସହିତ ଜଡିତ ତ୍ରିଯୁଗୀନାରାୟଣ ମନ୍ଦିର ବହୁତ ପବିତ୍ର, କାରଣ ଏଠାରେ ଉଭୟଙ୍କ ବିବାହ ହୋଇଥିଲା । ତ୍ରିଯୁଗୀନାରାୟଣ ମନ୍ଦିରର ଖାସ୍ କଥା ​​ହେଉଛି ସେଠାରେ ଥିବା ଅଖଣ୍ଡ ଧୂନି । ଏହି ଧୂନି ଶିବ ପାର୍ବତୀଙ୍କ ବିବାହ ପରଠାରୁ ନିରନ୍ତର ଭାବେ ଜଳୁଛି । ଏହି ଅଗ୍ନିକୁ ସାକ୍ଷର ରଖି ଶମ୍ଭୁବାବା ଓ ମା’ ପାର୍ବତୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେଣୁ ମନ୍ଦିରକୁ ଆସୁଥିବା ଭକ୍ତମାନେ ଏହି ପବିତ୍ର ଅଗ୍ନିକୁ ପ୍ରଜ୍ଜ୍ୱଳିତ କରିବା ପାଇଁ କାଠ ଆଣନ୍ତି ଏବଂ ଏଥିରୁ ବାହାରୁଥିବା ପାଉଁଶକୁ ପ୍ରସାଦ ଭାବରେ ଗ୍ରହଣ କରନ୍ତି ।

ଲୋକ ବିଶ୍ୱାସ ଅନୁସାରେ, କୁହାଯାଏ ଯେ ପାଉଁଶକୁ ପ୍ରସାଦ ଭାବରେ ଗ୍ରହଣ କରିବା ଦ୍ୱାରା ପ୍ରେମ ଏବଂ ଭକ୍ତିର ଆଶୀର୍ବାଦ ମିଳିଥାଏ । ଏହି ପବିତ୍ର ଅଗ୍ନି ଯୋଗୁଁ, ମନ୍ଦିରକୁ ଅଖଣ୍ଡ ଧୂନି ମନ୍ଦିର ମଧ୍ୟ କୁହାଯାଏ । ପୌରାଣିକ ଗ୍ରନ୍ଥ ଅନୁସାରେ, ସମସ୍ତ ଦେବାଦେବୀ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହରେ ଯୋଗ ଦେଇଥିଲେ । ଭଗବାନ ବ୍ରହ୍ମା ମୁଖ୍ୟ ପୁରୋହିତ ଭୂମିକାରେ ଶିବ-ପାର୍ବତୀଙ୍କ ବିବାହ କରିଥିଲେ । ସେହିପରି ଭଗବାନ ବିଷ୍ଣୁ ମାତା ପାର୍ବତୀଙ୍କ ଭାଇ ଭୂମିକାରେ ରହି ହରପାର୍ବତୀଙ୍କୁ ବିବାହ ବନ୍ଧନରେ ବାନ୍ଧିଥିଲେ ।

ନବ ବିବାହିତ ଦମ୍ପତିମାନେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଆଶୀର୍ବାଦ ପାଇବା ପାଇଁ ଏହି ମନ୍ଦିରକୁ ଆସନ୍ତି । ତ୍ରିଯୁଗିନାରାୟଣ ମନ୍ଦିର ଚାରୋଟି ପବିତ୍ର ଜଳ ପୁଷ୍କରିଣୀ ଦ୍ୱାରା ଘେରି ରହିଛି, ଯାହା ରୁଦ୍ର କୁଣ୍ଡ, ବିଷ୍ଣୁ କୁଣ୍ଡ, ବ୍ରହ୍ମ କୁଣ୍ଡ ଏବଂ ସରସ୍ୱତୀ କୁଣ୍ଡ ନାମରେ ଜଣାଶୁଣା । ବିଶ୍ୱାସ କରାଯାଏ ଯେ ଏହି ସମସ୍ତ କୁଣ୍ଡ ଅତ୍ୟନ୍ତ ପବିତ୍ର । ଏହି ପବିତ୍ର ଜଳକୁ ସେବନ କରିବା ଦ୍ୱାରା ବନ୍ଧ୍ୟାତ୍ୱ ସମସ୍ୟାର ସମାଧାନ ହୁଏ ।

ସମସ୍ତ କୁଣ୍ଡକୁ ଜଳ ଯୋଗାଇଥାଏ ସରସ୍ୱତୀ କୁଣ୍ଡ । ଯାହା ଭଗବାନ ବିଷ୍ଣୁଙ୍କ ନାଭିରୁ ଉତ୍ପନ୍ନ ହୋଇଛି । ମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ଅଧିକାଂଶ ଭକ୍ତ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଏହି କୁଣ୍ଡରେ ସ୍ନାନ କରନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button