ହାଭାର୍ଡ ବିଶ୍ବବିଦ୍ୟାଳୟରେ ପପ୍ ଗାୟିକାଙ୍କ ଉପରେ ଆରମ୍ଭ ହେବ ପାଠ୍ୟକ୍ରମ – Utkal Mail
ହାଭାର୍ଡ ବିଶ୍ବବିଦ୍ୟାଳୟ ତରଫରୁ ‘ଟେଲର ସ୍ବିଫ୍ଟ ଆଣ୍ଡ୍ ହର ୱାର୍ଲଡ୍’ ନାମରେ ଏକ ନୂଆ ପାଠ୍ୟକ୍ରମ ପ୍ରଚଳିତ ହେବାକୁ ଯାଉଛି, ଯେଉଁଥିରେ ପ୍ରଖ୍ୟାତ ପପ୍ ଗାୟିକା ଟେଲର ସ୍ବିଫ୍ଟଙ୍କ ସମେତ ଆରେଥା ଫ୍ରାଙ୍କଲିନ୍, ବିଲି ହଲିଡେ ଓ ଡଲି ପାର୍ଟନଙ୍କ ପରି ମହିଳା ଆଇକନ୍ଙ୍କ ସଂଗୀତ, ସେମାନଙ୍କ ଦ୍ବାରା ରଚିତ ଗୀତ ଓ ସାଂସ୍କୃତିକ ପ୍ରଭାବ ବିଷୟରେ ଅନୁଧ୍ୟାନ କରାଯିବ। ପ୍ରଫେସର ଷ୍ଟିଫାନି ବଟ୍ଙ୍କ ଦ୍ବାରା ପଢ଼ାଯିବାକୁ ଥିବା ଏହି ପାଠ୍ୟକ୍ରମରେ ଟେଲରଙ୍କ କୃତି କିପରି ଅନ୍ୟ କଳାକାର, ଲେଖକ ଓ ଆଜିର ଯୁବପିଢ଼ିଙ୍କୁ ପ୍ରଭାବିତ କରିଛି ତାହା ମଧ୍ୟ ଅନ୍ତର୍ଭୁକ୍ତ। ବିଭିନ୍ନ ଦେଶ ଯାଇ ‘ଏରାସ୍’ ନାମକ କନ୍ସର୍ଟରେ ଟେଲର ଏବେ ସଂଗୀତ ପରିବେଷଣ ଜାରି ରଖିଛନ୍ତି। ତାଙ୍କ ସଫଳତା ପ୍ରମାଣ କରୁଛି ଯେ ଯୁବପିଢ଼ି ଉପରେ ତାଙ୍କର ବଡ଼ ପ୍ରଭାବ ରହିଛି।
ଏହି ପାଠ୍ୟକ୍ରମରେ ଟେଲରଙ୍କର କଳାତ୍ମକ ଅବଦାନ କିପରି ସାହିତ୍ୟ ସିଦ୍ଧି ସହିତ ସଂଯୋଗ କରେ, ସେ ବିଷୟରେ ଅଧିକ ଅନୁଧ୍ୟାନ କରାଯିବ। ସେହିପରି ଫ୍ଲୋରିଡା ବିଶ୍ବବିଦ୍ୟାଳୟରେ ‘ମ୍ୟୁଜିକାଲ୍ ଷ୍ଟୋରିଟେଲିଂ ୱିଥ୍ ଟେଲର ସ୍ବିଫ୍ଟ ଆଣ୍ଡ୍ ଅଦର ଆଇକନିକ୍ ଫିମେଲ୍ ଆର୍ଟିଷ୍ଟସ’ ନାମରେ ଏକ ଅନୁରୂପ ପାଠ୍ୟକ୍ରମକୁ ମେଲିନା ଜିମେନେଜ୍ ପଢ଼ାଇବେ। କେବଳ ହାଭାର୍ଡ କି ଫ୍ଲୋରିଡା ବିଶ୍ବବିଦ୍ୟାଳୟ ନୁହେଁ, ବେଲଜିଅମ୍ର ଘେଣ୍ଟ୍ ବିଶ୍ବବିଦ୍ୟାଳୟ, ଅଷ୍ଟିନ୍ ସ୍ଥିତ ଟେକ୍ସାସ ବିଶ୍ବବିଦ୍ୟାଳୟ, କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ ଓ ବର୍କଲି ସଂଗୀତ ମହାବିଦ୍ୟାଳୟ ପରି ଅନୁଷ୍ଠାନରେ ମଧ୍ୟ ଟେଲରଙ୍କ ଉପରେ ପାଠ୍ୟକ୍ରମ ପ୍ରଚଳିତ ହେବାକୁ ଯାଉଛି।
ଉଲ୍ଲେଖଯୋଗ୍ୟ, ପପ୍ ସଂଗୀତର ରାଣୀ ଭାବେ ବିବେଚିତ ଟେଲରଙ୍କ ନାମରେ ସର୍ବାଧିକ ଆଲବମ୍ ବିକ୍ରି, ସର୍ବାଧିକ ଷ୍ଟ୍ରିମିଂ ଟ୍ରାଫିକ୍ ଭଳି ଏକାଧିକ ରେକର୍ଡ ରହିଛି। ସେ ଲଗାତାର ଭାବେ ଲୋକପ୍ରିୟ ସଂଗୀତ ତାଲିକାର ଶୀର୍ଷରେ ରହି ଆସିଛନ୍ତି।