ଟେଲି ଅଭିନେତ୍ରୀ ମଧୁରାଙ୍କ ଭଉଣୀ-ଭିଣୋଇଙ୍କୁ ନିର୍ମମ ଭାବେ ହତ୍ୟା କଲେ ହମାସ ଆତଙ୍କବାଦୀ – Utkal Mail
ନୂଆଦିଲ୍ଲୀ: ଇସ୍ରାଏଲ ସେନା ଓ ହମାସ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ଓ ଯୁଦ୍ଧ ଆଜିକୁ ୪ଦିନ ହେଲା ଚାଲିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। କେବଳ ସେତିକି ନୁହେଁ ଗାଜାରେ ୧ ଲକ୍ଷରୁ ଅଧିକ ଲୋକଙ୍କୁ ବିସ୍ଥାପିତ କରାଗଲାଣି। ଅନ୍ୟପକ୍ଷରେ ଶତାଧିକ ଇସ୍ରାଏଲୀଙ୍କୁ ହମାସ ପଣବନ୍ଦୀ ରଖିଥିବା ଦାବି କରିଛି। ଏମଧ୍ୟରେ ଟେଲି ଅଭିନେତ୍ରୀ ମଧୁରା ନାଏକଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିବା ଜଣାପଡ଼ିଛି। ଇସ୍ରାଏଲ ସେନା ଓ ହମାସ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷରେ ମଧୁରାଙ୍କ ଭଉଣୀ ଓ ଭିଣୋଇ ବଳି ପଡ଼ିଯାଇଥିବା କହିଛନ୍ତି ଅଭିନେତ୍ରୀ।
ଇନଷ୍ଟାରେ ମଧୁରା ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଇସ୍ରାଏଲକୁ ସମର୍ଥନ କରୁଛନ୍ତି। ଏହି ଭିଡିଓରେ ସେ ତାଙ୍କ ପରିବାରକୁ ହରାଇଥିବା ଖବର ଦେଇଛନ୍ତି। ଭିଡିଓରେ ଅଭିନେତ୍ରୀ ଅତ୍ୟନ୍ତ ଭାବପ୍ରବଣ ହୋଇ କହୁଛନ୍ତି – ‘ମୁଁ ମଧୁରା ନାଏକ। ମୋର ଜନ୍ମ ଭାରତରେ ହୋଇଥିଲା। ମୋର ଧର୍ମ ୟେହୁଦି। ଭାରତରେ ଆମ ଧର୍ମର କେବଳ ୩୦୦୦ ଲୋକ ଅଛନ୍ତି। ଇସ୍ରାଏଲ ସେନା ଓ ହମାସ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷରେ ମୋ ସମ୍ପର୍କୀୟ ଭଉଣୀ ଓଡାୟା ଓ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଛି। ହମାସର ଆତଙ୍କବାଦୀମାନେ ତାଙ୍କୁ ତାଙ୍କ ପିଲାଙ୍କ ସାମ୍ନାରେ ହତ୍ୟା କରିଛନ୍ତି। ମୋ ପରିବାର ଏହି ସମୟରେ ଯେଉଁ ଯନ୍ତ୍ରଣା ଭୋଗୁଛନ୍ତି ତାହା ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ। ଆଜି ଇସ୍ରାଏଲ୍ ଉପରେ ଦୁଃଖର ପାହାଡ ଭାଙ୍ଗିପଡ଼ିଛି। ଶିଶୁ, ମହିଳା ଏବଂ ବୃଦ୍ଧମାନେ ହାମାସର ନିଆଁରେ ଜଳୁଛନ୍ତି।