ଦେଶ ବିଦେଶ

କଲରାପତ୍ରିଆ ପାଟିରୁ ୭ ମାସର ପୁଅକୁ ଉଦ୍ଧାର କଲେ ସାହସିନୀ ମାଆ – Utkal Mail


ପୁଣେ: ଗୁରୁବାର ରାତିରେ ମହାରାଷ୍ଟ୍ରର ଜୁନ୍ନାର ବନଖଣ୍ଡ ଅନ୍ତର୍ଗତ ଥୋ‌ର୍ଣ୍ଣଡେଲ୍‌ ଗାଁ’ରେ ଜଣେ ସାହସିନୀ ମହିଳା ତାଙ୍କ ୭ ମାସର ପୁଅକୁ କଲପତ୍ରିଆ ଜାବରୁ ଉଦ୍ଧାର କରିଥିବା କଥା ‘ଦି ଟାଇମ୍ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।

ମେଣ୍ଡା-ଚରାଳି ସୋନାଲ୍‌ କାର୍ଗାଲ୍‌ ନାମ୍ନୀ ସେ ମହିଳାଜଣକ ଟିକିପୁଅକୁ ଧରି ମେଣ୍ଢାମାନଙ୍କ ଗହଣରେ ଗୋଟାଏ ଖୋଲା ଫାର୍ମରେ ଶୋଇଥିଲେ। ରାତି ପ୍ରାୟ ସାଢ଼େ ବାରଟାରୁ ଗୋଟାଏ ହେବ। ଗୋଟାଏ କଲରାପତ୍ରିଆ ଆସି ପୁଅକୁ ପାଟିରେ କାମୁଡ଼ି ଧରି ଟାଣି ନେଇଯିବାକୁ ଉଦ୍ୟମ କଲା। ପୁଅର ଆର୍ତ୍ତଚିତ୍କାର ଶୁଣି ସୋନାଲ୍‌ଙ୍କ ନିଦ ଭାଙ୍ଗିଗଲା ଓ ପୁଅକୁ କଲରାପତ୍ରିଆ ଟାଣି ନେଉଥିବା ଦେଖି ସେ ଭୟଭୀତ ହୋଇଗଲେ।

Image Courtesy of The New Indian Express

ତଥାପି ଉପସ୍ଥିତ ବୁଦ୍ଧି ଖଟାଇ ସେ ବଡ଼ ପାଟିରେ ଚିତ୍କାର କରି ଖଣ୍ଡେ ପଥର ଉଠାଇ ନେଇ କଲରାପତ୍ରିଆକୁ ଆକ୍ରମଣ କଲେ। ସୋନାଲ୍‌ଙ୍କ ଚିତ୍କାର ଶୁଣି କଲରାପତ୍ରିଆ ଚମକି ପଡ଼ି ପିଲାଟିକୁ ସେଠାରେ ପକାଇ ଦେଇ ଛାନିଆରେ ନିକଟରେ ଥିବା ଆଖୁ କିଆରି ଭିତରକୁ ଧାଇଁ ପଳାଇଲା।

ପିଲାର ହାତ ଓ ପେଟରେ ସାମାନ୍ୟ କ୍ଷତ ହୋଇଛି। ମାଞ୍ଚର୍‌ ଗ୍ରାମୀଣ ଡାକ୍ତରଖାନାର ଡାକ୍ତରମାନେ ତା’ର ସ୍ବାସ୍ଥ୍ୟ ପରୀକ୍ଷା କରି ‘ଜଳାତଙ୍କ ନିରୋଧୀ ଟିକା’ ଦେଇଛନ୍ତି। ତା’ର ଅବସ୍ଥା ଭଲ ଥିବାରୁ ଶୁକ୍ରବାର ଦିନ ଡାକ୍ତରମାନେ ତାକୁ ‘ଡିସ୍‌ଚାର୍ଜ’ କରିଦେଇଥିବା କଥା ବନ ବିଭାଗ କର୍ମଚାରୀମାନେ କହିଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button