ଦେଶ ବିଦେଶ

୭ ମିନିଟ୍‌ର ଆତଙ୍କ: କେମିତି ଅବତରଣ କରିବ ଚନ୍ଦ୍ରଯାନ-୩ – Utkal Mail


ଅନ୍ତିମ ୧୮ ମିନିଟ୍‌ରେ ଇତିହାସ ରଚିବ

ବେଙ୍ଗାଲୁରୁ: ଏକ ମହାକାଶଯାନ ଅନ୍ୟ ଏକ ମହାକାଶୀୟ ପିଣ୍ଡକୁ ଦୀର୍ଘଯାତ୍ରାରେ ଗଲାବେଳେ ଅନେକ ଜଟିଳ ମୁହୂର୍ତ୍ତ ଆସିଥାଏ। ସେଥି ମଧ୍ୟରୁ ଅବତରଣର ଅନ୍ତିମ ମୁହୂର୍ତ୍ତ ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ସେହି ଶେଷ ମୁହୂର୍ତ୍ତରେ ସବୁକିଛି ସୂତାଖିଅରେ ଝୁଲୁଥାଏ। ମହାକାଶଯାନକୁ ଚନ୍ଦ୍ରର କ୍ଷୀଣ ମାଧ୍ୟାକର୍ଷଣ ସହ ସନ୍ତୁଳନ ରକ୍ଷା କରି କକ୍ଷପଥରୁ ଧୀରେ ଖସିବାକୁ ପଡିବ ଏବଂ ଶେଷରେ ନିରାପଦରେ ଅବତରଣ କରିବାକୁ ପଡିବ। ମହାକାଶ ବ୍ୟବସ୍ଥା ସହ ଜଡ଼ିତ ଲୋକମାନେ ଏହାକୁ ‘ସାତ ମିନିଟର ଆତଙ୍କ’ ବୋଲି କହିଥାନ୍ତି, ଯେତେବେଳେ ମହାକାଶଯାନ ନିଜେ ଏବଂ ଇଞ୍ଜିନିୟର ଓ ବୈଜ୍ଞାନିକମାନେ ଆମ ସମସ୍ତଙ୍କ ପରି କେବଳ ଦର୍ଶକ ଥାନ୍ତି। ୨୦୧୯ରେ ଚନ୍ଦ୍ରଯାନ-୨ ଅବତରଣ ପାଇଁ ଚେଷ୍ଟା କରିବା ସମୟରେ ଭାରତୀୟ ମହାକାଶ ସଂସ୍ଥା (ଇସ୍ରୋ) ଏହାକୁ ସାମ୍ନା କରିଥିଲା। ତେବେ ଚନ୍ଦ୍ରଯାନ-୩ ଚନ୍ଦ୍ରରେ କିପରି ନରମ ଅବତରଣ କରିବ ସେ ବିଷୟରେ ଟିକେ ନଜର ପକାଇବା।

ଅଗଷ୍ଟ ୨୩ରେ ଏହାର ଯାତ୍ରାର ଅନ୍ତିମ ୧୮ ମିନିଟ୍‌ରେ ଚନ୍ଦ୍ରଯାନ-୩ ଇତିହାସ ରଚନା କରିବାକୁ ପ୍ରସ୍ତୁତ ହେଉଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଣାଳୀକୁ ଭଲ ଭାବରେ ବୁଝିବା ପାଇଁ ଚନ୍ଦ୍ରଯାନ-୩କୁ ଜଣେ ସାହସୀ ସ୍ପେସ୍ ଏକ୍ସପ୍ଲୋରର ଭାବରେ କଳ୍ପନା କରିବାକୁ ହେବ। ଏହା ଏକ ଉଲ୍ଲେଖନୀୟ ବେଗରେ ଗତି କରୁଛି – ଯଦି ଆପଣ ଏହା ପାଖରେ ଛିଡା ହୁଅନ୍ତି ତେବେ ବୁଲେଟ୍ ଟ୍ରେନ୍ ଗତି କଲା ପରି ଅନୁଭବ କରିବେ। ଏହା ଚନ୍ଦ୍ରକୁ ପରିକ୍ରମା କଲାବେଳେ ବିକ୍ରମ ଲ୍ୟାଣ୍ଡର୍ ନିର୍ଦ୍ଧାରିତ ଅବତରଣ ସ୍ଥାନଠାରୁ ୭୪୫.୫ କିଲୋମିଟର ଦୂରରେ ଚନ୍ଦ୍ରପୃଷ୍ଠରୁ ପ୍ରାୟ ୩୦ କିଲୋମିଟର ଉଚ୍ଚ‌ରେ ପ୍ରତି ସେକେଣ୍ଡରେ ୧.୬ କିମି ବେଗରେ ଭାସୁଛି।
ପରବର୍ତ୍ତୀ ୬୯୦ ସେକେଣ୍ଡରେ ଚନ୍ଦ୍ରଯାନ-୩ର ଇଞ୍ଜିନଗୁଡ଼ିକ ଚାଲୁ ହୋଇଯିବ, ସାଇକେଲରେ ବ୍ରେକ୍ କଷିବା ପରି ଏହା ଧୀରେ ଧୀରେ ଚନ୍ଦ୍ର ପୃଷ୍ଠ ଆଡ଼କୁ ଖସିବ। ଏହି ନିୟନ୍ତ୍ରିତ ମନ୍ଥରତା ଏହାର ପ୍ରାରମ୍ଭିକ ବେଗକୁ ଏକ ଚତୁର୍ଥାଂଶକୁ ହ୍ରାସ କରିବ ଏବଂ ଚନ୍ଦ୍ରର ମାଧ୍ୟାକର୍ଷଣ ବିକ୍ରମ ଲ୍ୟାଣ୍ଡରକୁ ପ୍ରତି ସେକେଣ୍ଡରେ ପ୍ରାୟ ୬୦ ମିଟର ବେଗରେ ତଳକୁ ତଳକୁ ଟାଣିବ।

ମନ୍ଥର ଗତିରେ ଗଲାବେଳେ ଚନ୍ଦ୍ରଯାନ-୩ ସାମାନ୍ୟ ବୁଲିବ, ଯେପରି ଆମେ ସାଇକେଲକୁ ବୁଲାଇଥାଉ। ଏହି ଅନୁକୂଳ ମୋଡ଼ ଚନ୍ଦ୍ରଯାନ-୩କୁ ଅବତରଣ ସ୍ଥାନ ସହିତ ସମ୍ପୂର୍ଣ୍ଣ ରୂପେ ଆଲାଇନ୍ କରିବାକୁ ଅନୁମତି ଦେବ। ଏହି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ, ଏହା ଚନ୍ଦ୍ରପୃଷ୍ଠଠାରୁ ପ୍ରାୟ ୭.୫ କିଲୋମିଟର ଉଚ୍ଚରେ ନିର୍ଦ୍ଧାରିତ ଅବତରଣ କ୍ଷେତ୍ରଠାରୁ ୩୨ କିଲୋମିଟର ଦୂରରେ ଚକ୍କର କାଟିବ। ଅବତରଣ ସ୍ଥାନ ସୁରକ୍ଷିତ ଅଛି କି ନାହିଁ ଦୁଇଥର ଯାଞ୍ଚ କରିବାର ଏହା ହେଉଛି ସମୟ। ଏହାକୁ ଶୀଘ୍ର ଏବଂ ଅଧିକ ସଠିକ୍ କରିବାକୁ ଇସ୍ରୋ ପ୍ରକ୍ରିୟାକୁ ଉନ୍ନତ କରିଛି। ଏହି ପର୍ଯ୍ୟାୟରେ ବିକ୍ରମ ଲ୍ୟାଣ୍ଡରର ସମସ୍ତ ସେନ୍ସର ସୂକ୍ଷ୍ମ ଭାବରେ ସମନ୍ବିତ ହେବ ଏବଂ ନିଶ୍ଚିତ ହେବ ଯେ ସବୁକିଛି ଅବତରଣ ମୁହୂର୍ତ୍ତ ପାଇଁ ଠିକ୍‌ଠାକ୍ ଅଛି। ଚନ୍ଦ୍ରଯାନ-୨ ସମୟରେ ଆମେ ସମ୍ମୁଖୀନ ହୋଇଥିବା ଚ୍ୟାଲେଞ୍ଜକୁ ମନେପକାନ୍ତୁ। ଏଥର ଚନ୍ଦ୍ରଯାନ-୩ ଆଗ ଅପେକ୍ଷା ଅଧିକ ଚତୁର। ଅନବୋର୍ଡ ତ୍ରୁଟି ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯିବ। ଏହି ପର୍ଯ୍ୟାୟରେ ଚନ୍ଦ୍ରର ପୃଷ୍ଠଦେଶ ଯାଞ୍ଚ କରାଯାଇ ଅବତରଣ ପାଇଁ ନିଶ୍ଚିତ କରାଯିବ। ଉନ୍ନତ ଜ୍ଞାନକୌଶଳ ଯୋଗୁ ଏହି ପର୍ଯ୍ୟାୟଟି ପାଇଁ କମ୍ ସମୟ ଲାଗିବ କିନ୍ତୁ ସେତିକି ପ୍ରଭାବଶାଳୀ ହେବ। ଏହାପରେ ବିକ୍ରମ ଲ୍ୟାଣ୍ଡର ଫାଇନ୍ ବ୍ରେକିଂ ପର୍ଯ୍ୟାୟରେ ପ୍ରବେଶ କରିବ। ଏହି ପର୍ଯ୍ୟାୟରେ, ବିକ୍ରମ ଲ୍ୟାଣ୍ଡର୍ ଭୂଲମ୍ବ ଭାବରେ ଅବତରଣ ସ୍ଥାନର ୮୦୦-୧୩୦୦ ମିଟର ଉଚ୍ଚରେ ରହି ଚକ୍କର କାଟିବ। କ୍ୟାମେରା ଚିତ୍ର ଉତ୍ତୋଳନ କରିବା ଆରମ୍ଭ କରିବ, ସେନ୍ସରଗୁଡ଼ିକ ତଥ୍ୟ ସଂଗ୍ରହ କରିବେ ଏବଂ ଅନବୋର୍ଡ କମ୍ପ୍ୟୁଟର ସବୁକିଛି ପ୍ରକ୍ରିୟାକରଣ କରିବ। ପ୍ରାୟ ୧୨ ସେକେଣ୍ଡ ଚକ୍କର କାଟିବା ପରେ ଉଚ୍ଚତା ୧୫୦ ମିଟରକୁ ହ୍ରାସ ପାଇବ। ଚନ୍ଦ୍ରପୃଷ୍ଠରେ କୌଣସି ସମସ୍ୟା ଅଛି କି ନାହିଁ ଏକ ସ୍ବତନ୍ତ୍ର କ୍ୟାମେରା ଯାଞ୍ଚ କରିବ। ଯଦି କିଛି ସମସ୍ୟା ଦେଖାଯାଏ, ବିକ୍ରମ ଲ୍ୟାଣ୍ଡର୍ ଆଉ ୧୫୦ ମିଟର ଆଗକୁ ବଢ଼ି ପୁଣି ଥରେ ଅବତରଣ ପାଇଁ ଚେଷ୍ଟା କରିବ।

କିନ୍ତୁ ଯଦି ସବୁକିଛି ଠିକ୍‌ଠାକ୍ ଥାଏ, ତେବେ ଅନବୋର୍ଡ କମ୍ପ୍ୟୁଟର ଅନ୍ତିମ ଅବତରଣ ପାଇଁ ଆଦେଶ ଦେବ। ପରବର୍ତ୍ତୀ ୭୩ ସେକେଣ୍ଡରେ ବିକ୍ରମ ଲ୍ୟାଣ୍ଡର୍ ସେହି ୧୫୦ ମିଟର ଅତିକ୍ରମ କରିବ, ଯାହା ସେହି ମୁହୂର୍ତ୍ତକୁ ଅବିସ୍ମରଣୀୟ କରିବ। ଶେଷରେ, ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠକୁ ସ୍ପର୍ଶ କରିବ। ଲ୍ୟାଣ୍ଡିଂ ସେନ୍ସରଗୁଡ଼ିକ ସିଷ୍ଟମଗୁଡ଼ିକୁ ଜାଗ୍ରତ କରିବା ପାଇଁ ଅନବୋର୍ଡ କମ୍ପ୍ୟୁଟରକୁ ସଙ୍କେତ ଦେବ। ଲ୍ୟାଣ୍ଡର ସଂପୂର୍ଣ୍ଣ ଶକ୍ତି ଯୋଗାଇବ ଏବଂ ପ୍ରଜ୍ଞା ନାମକ ରୋଭର ପାଇଁ ରାମ୍ପ ଖୋଲିବ। ପ୍ରଜ୍ଞା ଏକ ଛୋଟ ଏକ୍ସପ୍ଲୋରର ପରି ଚନ୍ଦ୍ରପୃଷ୍ଠରେ ଗଡ଼ିବ ଏବଂ ଇସ୍ରୋର ଲୋଗୋ ଓ ଭାରତର ପ୍ରତୀକ ସହିତ ପାଦଚିହ୍ନ ଛାଡିଦେବ, ଯାହା ଚିରଦିନ ପାଇଁ ରହିବ। ଏହି ସମଗ୍ର ପ୍ରକ୍ରିୟା ସମୟରେ ବିକ୍ରମ ଏବଂ ପ୍ରଜ୍ଞା ପରସ୍ପରର ଫଟୋ ଉଠାଇବେ। ଏହି ଚିତ୍ରଗୁଡ଼ିକ ଏକ ସ୍ୱତନ୍ତ୍ର ଯୋଗାଯୋଗ ନେଟୱାର୍କ ମାଧ୍ୟମରେ ପୃଥିବୀକୁ ଆସିବ। ବିକ୍ରମ ଓ ପ୍ରଜ୍ଞା ନିରାପଦ ଏବଂ ସୁସ୍ଥ ଅଛନ୍ତି ବୋଲି ନିଶ୍ଚିତ ହେଲା ପରେ ଏହାଦ୍ବାରା ଇସ୍ରୋ ଚନ୍ଦ୍ରର ମାଟି ଏବଂ ପ୍ଲାଜମା ପରିବେଶ ଅଧ୍ୟୟନ ପାଇଁ ବିଭିନ୍ନ ପରୀକ୍ଷା ଆରମ୍ଭ କରିବ। ଚନ୍ଦ୍ରର ରହସ୍ୟ ଉନ୍ମୋଚନ କରିବା ପାଇଁ ବିଭିନ୍ନ ପ୍ରକାରର ପରୀକ୍ଷଣ ଆରମ୍ଭ ହେବ।




Related Articles

Leave a Reply

Your email address will not be published. Required fields are marked *

Back to top button