ଦେଶ ବିଦେଶ

ବୋମା ଧମକ ଜାରି, ବିମାନ ସେବାରେ ଅସ୍ଥିରତା: ଯାଞ୍ଚ ପରେ ସବୁ ମିଥ୍ୟା ପ୍ରମାଣିତ

ନୂଆଦିଲ୍ଲୀ: ପ୍ରମୁଖ ଭାରତୀୟ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ୨୦ରୁ ଅଧିକ ବିମାନକୁ ଆଜି ବୋମା ଧମକ ମିଳିଛି। ଗତକାଲି ୩୨ଟି ବିମାନକୁ ବୋମା ଧମକ ମିଳିଥିବା ବେଳେ ଆଜି ମଧ୍ୟ ଏହି ଧାରା ଜାରି ରହିଛି। ଆଜି ଇଣ୍ଡିଗୋ, ଭିସ୍ତାରା, ଏୟାର ଇଣ୍ଡିଆ ଏବଂ ଆକାଶ ଏୟାର୍ର ବିଭିନ୍ନ ବିମାନକୁ ବୋମା ଧମକ ମିଳିବା ପରେ ବିମାନ ଚଳାଚଳରେ ବିଭ୍ରାଟ ଦେଖିବାକୁ ମିଳିଥିଲା।

ବିଭିନ୍ନ ବିମାନବନ୍ଦରରେ ଜରୁରୀକାଳୀନ ଯାଞ୍ଚ କରାଯାଇଥିଲା। ତେବେ ଗତ ୨୪ ଘଣ୍ଟା ମଧ୍ୟରେ କେବଳ ଗୋଟିଏ ବିମାନର ଜରୁରୀକାଳୀନ ଅବତରଣ ଓ ଯାଞ୍ଚ ପାଇଁ ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ଅନ୍ୟ ସମସ୍ତ ବିମାନ ଗନ୍ତବ୍ୟସ୍ଥଳରେ ଅବତରଣ କରିବା ପରେ ଯାଞ୍ଚ କରାଯାଇଥିଲା। ଅନେକ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା। ଗତକାଲି ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଭିସ୍ତାରା ବିମାନକୁ ଜର୍ମାନୀର ଫ୍ରାଙ୍କଫର୍ଟକୁ ଡାଇଭର୍ଟ କରାଯାଇଥିଲା, ଯେଉଁଠାରେ ଦୁଇ ଘଣ୍ଟା ପରେ ଲଣ୍ଡନ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ସୁରକ୍ଷା ଯାଞ୍ଚ କରାଯାଇଥିଲା।

ଏୟାରଲାଇନ୍ସଗୁଡ଼ିକୁ ତୁହାକୁ ତୁହା ବୋମା ଧମକ ମିଳିବା ଜାରି ରହିଥିବାରୁ ବିମାନ ଚଳାଚଳ ଶିଳ୍ପରେ ଅସ୍ଥିରତା ଦେଖିବାକୁ ମିଳିଛି । ଆଜି ୬ଟି ଇଣ୍ଡିଗୋ ବିମାନରେ ୧୨ ଜଣ ବୋମାଧାରୀ ବ୍ୟକ୍ତି ଅଛନ୍ତି ବୋଲି ଅଜଣା ଏକ୍ସ ଆକାଉଣ୍ଟ୍ରେ ପୋଷ୍ଟ୍ କରାଯିବା ପରେ ତତ୍କାଳ ଜରୁରୀ ପଦକ୍ଷେପ ନିଆଯାଇଥିଲା ଏବଂ ଯାଞ୍ଚ ପରେ ଏହା ସଂପୂର୍ଣ୍ଣ ମିଛ ବୋଲି ଜଣାପଡ଼ିଥିଲା। ଆଜି ୩୦ରୁ ଅଧିକ ଧମକ ମେସେଜ ସୋସିଆଲ ମିଡିଆ ଓ ଇମେଲ ଜରିଆରେ ପଠାଯାଇଥିବା ଦେଖିବାକୁ ମିଳିଥିବା ବେଳେ ଆଉ କେତେକ ଫୋନ୍ ମାଧ୍ୟମରେ ଆସିଛି। ଶେଷରେ ଏସବୁ ମିଥ୍ୟା ବୋଲି ଜଣାପଡ଼ିଥିଲେ ମଧ୍ୟ ଯାଞ୍ଚଜନିତ ସମସ୍ୟା, ଉଡ଼ାଣରେ ବିଳମ୍ବ ଏବଂ ଏ ବାବଦ ଆର୍ଥିକ କ୍ଷତି ଚିନ୍ତାର କାରଣ ହୋଇଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏଏସ୍) ନୂଆଦିଲ୍ଲୀରେ ଏୟାରଲାଇନ୍ସର ସିଇଓ ଓ ପ୍ରତିନିଧିଙ୍କ ସହ ଏକ ବୈଠକ କରିଛି। ବିସିଏଏସ୍ ମହାନିର୍ଦ୍ଦେଶକ ଜୁଲ୍ଫିକର ହାସନ ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି ଯେ ସମସ୍ତ ବାଧ୍ୟତାମୂଳକ ପ୍ରୋଟୋକଲ୍ ପାଳନ କରାଯାଉଛି ଏବଂ ଭାରତୀୟ ବିମାନ ସେବା ସୁରକ୍ଷିତ ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button