କରୋନା

ଏହି ରାଜ୍ୟ ଜାରି କଲା କଟକଣା: ମାସ୍କ ବିନା ବାର୍, ରେଷ୍ଟୁରାଣ୍ଟରେ ‘ନୋ ଏଣ୍ଟ୍ରି’

ବେଙ୍ଗାଲୁରୁ: ଚୀନ୍, ଜାପାନ ସହ କିଛି ଦେଶରେ କୋଭିଡ୍-୧୯ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି । ଏଭଳି ସ୍ଥିତିରେ ଭାରତ ସରକାର ସତର୍କ ହୋଇଯାଇଛନ୍ତି । ସବୁ ରଜ୍ୟ ଗୁଡ଼ିକୁ ମଧ୍ୟ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ନୂଆବର୍ଷ ଆସୁଥିବା ବେଳେ କର୍ଣ୍ଣାଟକ ସରକାର ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପବ୍, ରେଷ୍ଟୁରାଣ୍ଟ ଓ ବାରରେ ନୂଆ ବର୍ଷ ପାଳନ କରୁଥିବା ଲୋକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ବୋଲି କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ସୁଧାକର କେ କହିଛନ୍ତି । ଏହାଛଡ଼ା ଏହି ସ୍ଥାନଗୁଡ଼ିକରେ ନୂଆ ବର୍ଷ ସେଲିବ୍ରେସନ ରାତି ଗୋଟାଏ ପୂର୍ବରୁ ଶେଷ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି |

ସୁଧାକର ଟ୍ବିଟ୍ କରି କହିଛନ୍ତି ଯେ, ୨୫ ତାରିଖ ଦିନ ବାଙ୍ଗାଲୋର ବିମାନ ବନ୍ଦରରେ ୨୮୬୭ ଯାତ୍ରୀଙ୍କ କୋଭିଡ୍ ପରୀକ୍ଷା କରାଯାଇଥିଲା, ଯେଉଁଥିରୁ ୧୩ ଜଣ ଲୋକ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସମସ୍ତ ନମୁନା ଜିନୋମ ସ୍ବିକ୍ବେନ୍ସିଂ ପାଇଁ ପଠାଯାଇଥିଲା |

ଅନ୍ୟପକ୍ଷରେ କୋଲକାତା ବିମାନବନ୍ଦରରେ ୨୪ ଡିସେମ୍ବରରେ ଦୁଇଜଣ ଯାତ୍ରୀଙ୍କ ନମୁନା ପଜିଟିଭ୍ ଆସିଥିଲା । ସେମାନଙ୍କ ମଧ୍ୟରୁ ଜଣେ ଦୁବାଇରୁ ଏବଂ ଆଉ ଜଣେ କୁଆଲାଲମ୍ପୁରରୁ ଆସିଥିଲେ।

ବିହାରର ଗୟା ବିମାନବନ୍ଦରରେ ମଧ୍ୟ ତିନିଜଣ ବିଦେଶୀ ଯାତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୟା ସିଭିଲ୍ ସର୍ଜନ ରଂଜନ କୁମାର ସିଂ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ତିନିଜଣ ମିଆଁମାର ଏବଂ ଜଣେ ବ୍ୟାଙ୍କକକ୍ ରୁ ଆସିଛନ୍ତି।

ଚୀନ୍ ସମେତ ଅନ୍ୟ ଦେଶରେ କରୋନା ମାମଲାରେ ବୃଦ୍ଧି ଦୃଷ୍ଟିରୁ ବିମାନବନ୍ଦରରେ କୋଭିଡ ଟେଷ୍ଟ ଓ ସର୍ଭିଲାନ୍ସ ବଢ଼ାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ସବୁ ଦେଶ ଗୁଡ଼ିକରେ ସଂକ୍ରମଣ ବୃଦ୍ଧି ପଛରେ ବିଏଫ୍.୭ ଭାରିଆଣ୍ଟ ରହିଥିବା କୁହାଯାଇଛି । ତେଣୁ ନମୁନା ଗୁଡ଼ିକର ଜିନୋମ ସ୍ବିକ୍ବେନ୍ସିଂ ପାଇଁ ସରକାର କହିଛନ୍ତି।

ଆଜି ସନ୍ଧ୍ୟାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବୀୟ ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମଏ) ସହ ସାମ୍ପ୍ରତିକ କୋଭିଡ୍ ପରିସ୍ଥିତି ଉପରେ ଆଲୋଚନା କରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button