ନ୍ୟୁଜ କ୍ଲିକ୍ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଗିରଫ, ଅଫିସ୍ ସିଲ୍ – Utkal Mail
ନୂଆଦିଲ୍ଲୀ: ଆତଙ୍କବାଦ ନିରୋଧୀ ଆଇନ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ରୁଜୁ ହୋଇଥିବା ଏକ ମାମଲାରେ ଦିଲ୍ଲୀ ପୁଲିସ ମଙ୍ଗଳବାର ନ୍ୟୁଜ୍ କ୍ଲିକର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ଥ ତଥା କମ୍ପାନିର ଅଂଶୀଦାର ଅମିତ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି।
ଏ ସମ୍ପର୍କରେ ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି ଯେ ସ୍ପେଶାଲ ସେଲ୍ ରେ ରୁଜୁ ହୋଇଥିବା ୟୁଏପିଏ ମାମଲାରେ ଚଢ଼ାଉ, ଜବତ ଓ ଅଟକ ରଖିବା ଘଟଣାରେ ଏପର୍ଯ୍ୟନ୍ତ ଦୁଇ ଅଭିଯୁକ୍ତ ପ୍ରବୀର ପୁରକାୟସ୍ତ ଓ ଅମିତ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି। ମୋଟ ୩୭ ଜଣ ପୁରୁଷ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଇଥିବା ବେଳେ ୯ ଜଣ ମହିଳା ସନ୍ଦିଗ୍ଧଙ୍କୁ ସେମାନଙ୍କ ବାସଭବନରେ ପଚରାଉଚରା କରାଯାଇଛି। ଏହି ସମୟ ମଧ୍ୟରେ ଡିଜିଟାଲ ଡିଭାଇସ୍ ଏବଂ କାଗଜପତ୍ର ଇତ୍ୟାଦି କୁ ଯାଞ୍ଚ ପାଇଁ ଜବତ/ସଂଗ୍ରହ କରାଯାଇଛି।
ଏହା ପୂର୍ବରୁ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ମଙ୍ଗଳବାର ନ୍ୟୁଜ କ୍ଲିକ୍ ଏବଂ ଏହାର ସାମ୍ବାଦିକ ଅଭିସାର ଶର୍ମା ଓ ଉର୍ମିଲେଶଙ୍କ ସହ ଜଡ଼ିତ ୩୦ଟି ସ୍ଥାନରେ ଚଢ଼ାଉ କରିଥିଲା ।
ଏହି ଚଢାଉ ସମ୍ପର୍କରେ ଆଜି ଭୁବନେଶ୍ବର ଗସ୍ତରେ ଥିବା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଭୁବନେଶ୍ୱରରେ କହିଥିଲେ ଯେ ଦେଶର ତଦନ୍ତକାରୀ ଏଜେନ୍ସି ସ୍ୱାଧୀନ ଏବଂ ସେମାନେ ଆଇନ ଅନୁଯାୟୀ କାର୍ଯ୍ୟ କରନ୍ତି। ଯଦି କେହି କିଛି ଭୁଲ କରିଛନ୍ତି, ତେବେ ତଦନ୍ତକାରୀ ଏଜେନ୍ସି ସେ ଦିଗରେ କାର୍ଯ୍ୟ କରୁଛନ୍ତି। ଯଦି ଆପଣ ବେଆଇନ ଭାବେ ଟଙ୍କା ନେଇଛନ୍ତି କିମ୍ବା ଆପତ୍ତିଜନକ କାର୍ଯ୍ୟ କରିଛନ୍ତି, ତେବେ ତଦନ୍ତକାରୀ ସଂସ୍ଥା ଏହାର ତଦନ୍ତ କରିପାରିବ ନାହିଁ ବୋଲି କୌଣସି ସ୍ଥାନରେ ଲେଖା ଯାଇନାହିଁ।