ଓଡିଶା
ବିସ୍ଫୋରଣ ପୂର୍ବରୁ ୩ ଲ୍ୟାଣ୍ଡ ମାଇନ ଉଦ୍ଧାର, ଅଳ୍ପକେ ବର୍ତ୍ତିଲେ ଯବାନ

ବିସ୍ଫୋରଣ ପୂର୍ବରୁ ଉଦ୍ଧାର ହେଲା ଲ୍ୟାଣ୍ଡମାଇନ । ଫଳରେ ଅଳ୍ପକେ ବର୍ତ୍ତିଲେ ଯବାନ । ଏପରି ଏକ ସାଂଘାତିକ ଘଟଣା ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜପୁର ଜିଲ୍ଲାର ପେଦ୍ଦଗେଲୁର ଅଞ୍ଚଳରେ ଘଟିଛି।
ପେଦ୍ଦଗେଲୁର ଅଞ୍ଚଳରେ ସିଆରପିଏଫ ଯବାନ ସର୍ଚ୍ଚ ଅପେରସନ କରୁଥିଲେ। ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଭିନ୍ନ ଭିନ୍ନ ସ୍ଥାନରେ ୩ଟି ଲ୍ୟାଣ୍ଡ ମାଇନ ଖଞ୍ଜିଥିଲେ ନକ୍ସଲ।
ତେବେ ସିଆରପିଏଫର ସନ୍ଧାନୀ କୁକୁର ଦ୍ୱାରା ଏହି ତିନୋଟି ବୋମାକୁ ଉଦ୍ଧାର କରାଯାଇଥିଲା। ତୁରନ୍ତ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟ ଦଳ ପହଂଚି ବୋମାଗୁଡିକକୁ ନିଷ୍କ୍ରିୟ କରିଥିଲେ। ଫଳରେ ଏକ ବଡ଼ ଦୁର୍ଘଟଣାରୁ ଯବାନମାନେ ବର୍ତ୍ତି ଯାଇଥିବା କୁହାଯାଇଛି।
ନକ୍ସଲମାନେ ପ୍ରାୟତଃ ସାଧାରଣ ଲୋକ ଓ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ୍ ଖଞ୍ଜୁଛନ୍ତି। ଏହି ବୋମା ବିସ୍ଫୋରଣରେ ଯବାନଙ୍କ ଅପେକ୍ଷା ପ୍ରାୟତଃ ସାଧାରଣ ନାଗରିକ ମୃତାହତ ହେଉଛନ୍ତି।