ମନୋରଞ୍ଜନ

ସଂଗୀତର ଯାଦୁକର ଓଡ଼ିଆ ଯୁବକ ସତ୍ୟବ୍ରତ: ଆଇଏଏସ୍‌ ବନିବାକୁ ଦେଖୁଛନ୍ତି ସ୍ବପ୍ନ – Utkal Mail


ନୀଳଗିରି: ଯେମିତି ଭଲ ପାଠ ପଢ଼ନ୍ତି, ସେମିତି ଭଲ ଗୀତ ମଧ୍ୟ ଗାଆନ୍ତି। ନିଜ ଗୀତ ଦ୍ବାରା ସେ ଅନେକ ଶ୍ରୋତାଙ୍କ ପାଖରେ ପହଞ୍ଚିପାରିଛନ୍ତି। ଏକାଧିକ ଟିଭି ରିଆଲିଟି ସୋ’ରେ ନଜର ଆସିଛନ୍ତି। ସେହିପରି ଜଣେ ପ୍ରତିଭାବାନ ଯୁବକ ହେଉଛନ୍ତି ସତ୍ୟବ୍ରତ ଜେନା।
ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍‌ କୁଡ଼ିଆ ଗ୍ରାମର କାଞ୍ଚନ ଜେନା ଓ ଗଣେଶ୍ବର ଜେନାଙ୍କ ପୁଅ ହେଉଛନ୍ତି ସତ୍ୟବ୍ରତ। ବୟସ ୧୮ ବର୍ଷ ହେବ। ବାପା ଗଣେଶ୍ବର ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ କିରାଣି ଭାବେ କାମ କରୁଥିବା ବେଳେ ୧୯ ବର୍ଷ ହେଲା ସେମାନେ ନୀଳଗିରିରେ ରହୁଛନ୍ତି। ସତ୍ୟବ୍ରତ ଦ୍ବିତୀୟ ଶ୍ରେଣୀରେ ପଢୁଥିବା ବେଳେ ବାପା ଗଣେଶ୍ବର ତାଙ୍କ ପ୍ରତିଭା ବିଷୟରେ ଜାଣିପାରିଥିଲେ। ସେ ଭଲ ଗୀତ ଗାଇବେ ବୋଲି ତାଙ୍କର ବିଶ୍ବାସ ଥିଲା। ତେଣୁ ଗଣେଶ୍ବର ପୁଅ ନାମ ନୀଳଗିରି କଳା ବିକାଶ କେନ୍ଦ୍ରରେ ଲେଖାଇଦେଲେ।

ସତ୍ୟବ୍ରତ ଗୁରୁ ଗୌରହରି ଜେନାଙ୍କ ପାଖରୁ ସଂଗୀତ ଶିକ୍ଷା କଲେ। ପରେ ପରେ ସେ ବିଭିନ୍ନ ରାଜ୍ୟସ୍ତରୀୟ ସଂଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳ ହେଲେ। ସେହିପରି ଅନେକ ଟିଭି ରିଆଲିଟି ସୋ’ରେ ମଧ୍ୟ ନିଜର ଦକ୍ଷତା ଦେଖାଇଲେ। ସତ୍ୟବ୍ରତ ‘ଓଡ଼ିଶାର ନୂଆ ସ୍ବର’ ନାମକ ଏକ ଟିଭି ରିଆଲିଟି ସୋ’ରେ ଅଂଶଗ୍ରହଣ କରି ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ରହିଥିଲେ। ସେ ସୁନ୍ଦର ଗୀତ ଗାଇବା ସହ ଭଲ ପାଠ ମଧ୍ୟ ପଢ଼ନ୍ତି।

ସତ୍ୟବ୍ରତ ଦଶମ ଶ୍ରେଣୀରେ ୮୭ ପ୍ରତିଶତ ଏବଂ ଦ୍ବାଦଶ ଶ୍ରେଣୀରେ ୮୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଏବେ ସେ ଯୁକ୍ତତିନି କମ୍ପ୍ୟୁଟର ସାଇନ୍‌ସ ବିଭାଗରେ ପଢ଼ୁଛନ୍ତି। ସତ୍ୟବ୍ରତ ରାଜ୍ୟସ୍ତରୀୟ ସ୍କାଉଟ୍ ସହ ‘ମୁଁ ହିରୋ, ମୁଁ ଓଡ଼ିଶା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କୃତ ହୋଇଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କଠାରୁ ସୁଲଗ୍ନା ଶିକ୍ଷା ସଂସ୍ଥା ପ୍ରଦତ୍ତ ପୁରସ୍କାର ଗ୍ରହଣ କରିଛନ୍ତି। ସେ ଭବିଷ୍ୟତରେ ଜଣେ ପ୍ଲେ-ବ୍ୟାକ୍‌ ସିଙ୍ଗର ସହ ଆଇଏଏସ୍‌ ଅଫିସର ହେବାର ସ୍ବପ୍ନ ଦେଖିଛନ୍ତି। ତାଙ୍କ ସ୍ବପ୍ନ ପୂରା ହେଉ, ‘ସମ୍ବାଦ’ ପରିବାର ପକ୍ଷରୁ ଏତିକି କାମନା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button