ଦେଶ ବିଦେଶ

ମୋରକୋ ଭୂକମ୍ପରେ ୨୦୦୦ରୁ ଊର୍ଦ୍ଧ୍ବ ମୃତ; ପୁନଃ ନିର୍ମାଣ ପାଇଁ ଅନେକ ବର୍ଷ ଲାଗିବ: ରେଡ୍‌କ୍ରସ୍‌ – Utkal Mail


ତାଫେଘାଘଟେ: ଶୁକ୍ରବାର ରାତିରେ ମ‌ୋରକୋରେ ସଂଘଠିତ ବିନାଶକାରୀ ଭୂମିକମ୍ପ ଯୋଗୁଁ ୨୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଓ ୨,୦୫୯ ଆହତ ହୋଇଛନ୍ତି ବୋଲି ଶନିବାର ଦିନ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

ସୁଦୂର ପାହାଡ଼ ପର୍ବତ ଘେରା ଗାଁ’ର ଭଗ୍ନସ୍ତୂପ ତଳେ ଆହୁରି ଅନେକ ଲୋକ ପୋତି ହୋଇ ରହିଥିବା ଆଶଙ୍କା କରି ସେନା ଓ ଜରୁରୀକାଳୀନ ସେବା ତଲାସ ଜାରି ରଖିଛନ୍ତି। ଏଭଳି ଦୁଃଖଦ ପ୍ରାକୃତିକ ବିପର୍ଯ୍ୟୟଜନିତ ଧନଜୀବନ ହାନି ଲାଗି ସରକାରୀ କର୍ତ୍ତୃପକ୍ଷମାନେ ୩ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିବା ବ‌େଳେ ‘ରେଡ୍‌ କ୍ରସ୍‌’ କହିଛି ପୁନଃରୁଦ୍ଧାର ଓ ମରାମତି କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଅନେକ ବର୍ଷ ଲାଗିବ।

୨ ବର୍ଷ ପୂର୍ବେ ସମ୍ପର୍କ ଛିନ୍ନ କରିଥିବା ପଡ଼ୋଶୀ ରାଷ୍ଟ୍ର ଆଲ୍‌ଜେରିଆ ସମେତ ଅସହାୟ ମୋରକୋବାସୀଙ୍କ ପାଇଁ ସବୁଆଡୁ ସହାୟତା ଆସୁଛି।

Image Courtesy of India Today

ମୋରକୋରେ ଥିବା ଆମେରିକୀୟଙ୍କ ଖବରଅନ୍ତର ବୁଝିବା ପାଇଁ ଆମେରିକୀୟ ଅଧିକାରୀମାନେ ମୋରକୋର ସରକାରୀ କର୍ତ୍ତୃପକ୍ଷଙ୍କ ସହିତ ଯୋଗଯୋଗ ରଖିଥିବା କଥା ରାଷ୍ଟ୍ରପତି ବାଇଡେନ୍‌ କହିଛନ୍ତି। ମୋରକୋବାସୀଙ୍କୁ ଯେକୌଣସି ପ୍ରକାର ସହାୟତା ଯୋଗାଇଦେବାକୁ ଆମେରିକା ପ୍ରସ୍ତୁତ ବୋଲି ବାଇଡେନ୍‌ କହିଛନ୍ତି।

ମୋରକୋରେ ଘଟିଥିବା ଜୀବନହାନୀ ଘଟଣାରେ ଶୋକବ୍ୟକ୍ତ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ମଧ୍ୟ ଏଭଳି ଦୁର୍ଦ୍ଦିନରେ ମୋରକୋକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି।

ଏହାଛଡ଼ା, ତୁର୍କୀ, କତାର୍‌, ଫ୍ରାନ୍ସ୍‌, ଜର୍ମାନି, ଇଜ୍ରାଏଲ୍‌, ଦୁବାଇ ଓ ଜୋର୍ଡାନ୍‌ ଆଦି ରାଷ୍ଟ୍ର ମଧ୍ୟ ମୋ‌ରକୋକୁ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି।

ସେହିପରି, ଆହତମାନଙ୍କର ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ‘ଡକ୍ଟର୍‌ସ୍‌ ୱିଦାଉଟ୍‌ ବର୍ଡର୍ସ’ ପ୍ରସ୍ତୁତ ଥିବା କଥା କହିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button