ଘରେ ନିଆଁ ଲଗାଇ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ – Utkal Mail
ଆଳି: ଆଳି ଥାନା ବିଜୟନଗର ଗ୍ରାମ ନିବାସୀ ତଥା କୋଳିଡ଼ିହ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଚିତ୍ରାନନ୍ଦ ବିଳାସଙ୍କ ଘରେ ନିଆଁ ଲଗାଇ କେହି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଶ୍ରୀ ବିଳାସ ଥାନାରେ ଏତଲା ଦେଇଛନ୍ତି। ଏହି ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ତାଙ୍କର ସମର୍ଥକମାନେ ରାସ୍ତାରୋକ ସହ ନଦୀଘାଟ ଅବରୋଧ କରିଛନ୍ତି।
ପୂର୍ବତନ ସରପଞ୍ଚ ଶ୍ରୀ ବିଳାସ ଆଳି ଥାନାରେ ଦାଏର କରିଥିବା ଅଭିଯୋଗ ଫର୍ଦ୍ଦରେ ଜଣାଇଛନ୍ତି ଯେ, ସେ ଗତକାଲି ରାତିରେ ବିଜୟନଗର ନଦୀଘାଟରେ ଥିବା ନିଜ ଘର ଭିତରେ ଶୋଇଥିଲେ। କେହି ଦୁର୍ବୃତ୍ତ ବିଳମ୍ବିତ ରାତିରେ ପେଟ୍ରୋଲ୍ ଢାଳି ଘରେ ନିଆଁ ଲଗାଇ ଦେଇଥିଲେ। ଘର ସହିତ ଆସବାବପତ୍ର ଜଳି ଉଠିବାରୁ ସେ ଶ୍ବାସରୁଦ୍ଧ ହୋଇ ନିଦରୁ ଉଠି ପଡ଼ିଥିଲେ ଓ ଘରୁ କୌଣସି ପ୍ରକାରେ ବାହାରି ଆସିଥିଲେ। ସଜ୍ଞାହୀନ ହୋଇ ବାହାରେ ପଡ଼ିଥିବା ବେଳେ ଗ୍ରାମବାସୀ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହିତ ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ ବୋଲି ଶ୍ରୀ ବିଳାସ ଉଲ୍ଲେଖ କରିଛନ୍ତି। ପୂର୍ବ ଶତ୍ରୁତା ଯୋଗୁଁ କେହି ଏଭଳି କାଣ୍ଡ ଘଟାଇ ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରି ଘଟଣାର ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।