ସବୁଠୁ ବଡ଼ ଜମି ଡିଲ୍ ? ମୁମ୍ବାଇରେ ୫୨୦୦ କୋଟିରେ ବିକ୍ରି ହେବ ୨୨ ଏକର ଜମି – Utkal Mail
ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ଇତିହାସରେ ସବୁଠାରୁ ବଡ଼ ଜମି କାରବାର ହୋଇଛି। ୱାର୍ଲିରେ ଏହି ଜମି ବିକ୍ରି ମାଧ୍ୟମରେ ବମ୍ବେ ଡାଇଙ୍ଗକୁ ୫୨୦୦ କୋଟି ଟଙ୍କା ମିଳିବ। ବମ୍ବେ ଡାଇଙ୍ଗ ଜାପାନର ସୁମିତୋମୋ ରିଅଲିଟି ଆଣ୍ଡ ଡେଭଲପମେଣ୍ଟ କମ୍ପାନୀକୁ ୨୨ ଏକର ଜମି ୫,୨୦୦ କୋଟି ଟଙ୍କାରେ ବିକ୍ରି କରିବ । ୱାଡିଆ ଗ୍ରୁପର ବମ୍ବେ ଡାଇଙ୍ଗ ଆଜି ଏକ ଏକ୍ସଚେଞ୍ଜ ଫାଇଲିଂରେ ଏହି ସୂଚନା ଦେଇଛି।
ସୁମିତୋମୋର ସହାୟକ ସଂସ୍ଥା ଗୋଇସୁ ଦୁଇଟି ପର୍ଯ୍ୟାୟରେ ଏହି ଚୁକ୍ତି ପ୍ରଦାନ କରିବ ବୋଲି ବମ୍ବେ ଡାଇଙ୍ଗ ଷ୍ଟକ ବଜାରକୁ ସୂଚୀତ କରିଛି । ପ୍ରଥମ ପର୍ଯ୍ୟାୟରେ ୪୬୭୫ କୋଟି ଟଙ୍କା ଏବଂ ଅବଶିଷ୍ଟ ୫୨୫ କୋଟି ଟଙ୍କା କେତେକ ସର୍ତ୍ତ ପୂରଣ ପରେ ପ୍ରଦାନ କରାଯିବ। ବମ୍ବେ ଡାଇଙ୍ଗର ବୋର୍ଡ ଅଫ୍ ଡାଇରେକ୍ଟରମାନେ ବୁଧବାର ଏହି ଚୁକ୍ତିକୁ ଅନୁମୋଦନ କରିବା ପାଇଁ ବୈଠକ କରିଥିଲେ । ତେବେ ଏହି ଡିଲକୁ ଏପର୍ଯ୍ୟନ୍ତ ଅଂଶଧନଧାରୀମାନେ ଅନୁମୋଦନ କରିନାହାଁନ୍ତି ଏବଂ ସେମାନଙ୍କ ଅନୁମୋଦନ ପରେ ଚୁକ୍ତି ସମ୍ପୂର୍ଣ୍ଣ କରିବା ଦିଗରେ ପଦକ୍ଷେପ ଚୂଡ଼ାନ୍ତ ହେବ।
ବମ୍ବେ ଡାଇଙ୍ଗ ଏହି ଜମିକ୍ରୟରୁ ମିଳିଥିବା ଅର୍ଥକୁ ଏହାର ଋଣ ପରିଶୋଧ ଏବଂ ଭବିଷ୍ୟତର ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ରେ ବ୍ୟବହାର କରିବ ବୋଲି ଷ୍ଟକ୍ ଏକ୍ସଚେଞ୍ଜକୁ ଦିଆଯାଇଥିବା ସୂଚନାରେ କମ୍ପାନୀ ଉଲ୍ଲେଖ କରିଛି ।