ଶୀର୍ଷ ଲସ୍କର ଆତଙ୍କବାଦୀ ଅବୁ କାତାଲକୁ ହତ୍ୟା: ମୋଷ୍ଟ ୱାଣ୍ଟେଡ ହାଫିଜ ସୟିଦର ଘନିଷ୍ଠ ସହଯୋଗୀ

ଇସ୍ଲାମାବାଦ: ଲସ୍କର-ଏ-ତୋଏବାର ଅନ୍ୟତମ ଶୀର୍ଷ ଆତଙ୍କବାଦୀ ଅବୁ କାତାଲକୁ ଶନିବାର ରାତିରେ ପାକିସ୍ତାନରେ ହତ୍ୟା କରାଯାଇଛି। ଲସ୍କର ସଂଗଠନର ମୁଖ୍ୟ କାର୍ଯ୍ୟକର୍ତ୍ତା କାତାଲ ଜମ୍ମୁ-କଶ୍ମୀରରେ ଏକାଧିକ ଆକ୍ରମଣରେ ସଂପୃକ୍ତ ଥିବା ବେଳେ ଭାରତୀୟ ସୁରକ୍ଷା ବାହିନୀ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଅବୁ କାତାଲର ପ୍ରକୃତ ନାମ ଜିଆ-ଉର୍-ରେହମାନ ଏବଂ ସେ ଲସ୍କର ମୁଖ୍ୟ ତଥା ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହାଫିଜ ସୟିଦର ଡାହାଣ ହାତ ଭାବେ ଜଣାଶୁଣା। ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଝେଲମ୍ ଅଞ୍ଚଳରେ କାତାଲ ସୁରକ୍ଷା କର୍ମୀଙ୍କ ସହ ଯାତ୍ରା କରୁଥିବା ବେଳେ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି ଚଳାଇଥିଲେ। ୧୫ରୁ ୨୦ ରାଉଣ୍ଡ ଗୁଳିମାଡ଼ ହୋଇଥିବା ବେଳେ ଘଟଣାସ୍ଥଳରେ ହିଁ ଅବୁ କାତାଲ ଏବଂ ତା’ର ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ଲସ୍କର ମୁଖିଆ ହାଫିଜ ମଧ୍ୟ ଗୁରୁତର ଆହତ ହୋଇଥିବା ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି। ହାଫିଜକୁ ନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ। ହାଫିଜ ସଂପୂର୍ଣ୍ଣ ସୁରକ୍ଷିତ ବୋଲି ତା’ର କେତେକ ସହଯୋଗୀ ବୟାନ ଜାର କରିଥିବା ବେଳେ ସୋସିଆଲ ମିଡିଆରେ ହାଜିଫ୍କୁ ଗୁଳିମାଡ଼ ହୋଇଥିବା ଖବର ଭାଇରାଲ୍ ହୋଇଛି।
ମୋଷ୍ଟ ୱାଣ୍ଟେଡ ହାଫିଜ ସୟିଦର ଘନିଷ୍ଠ ସହଯୋଗୀ
ରାଜୌରୀ ଆକ୍ରମଣର ମାଷ୍ଟରମାଇଣ୍ଡ୍ କାତାଲ ପାକ୍ ସେନାର ସୁରକ୍ଷା ବଳୟରେ ଥିଲା
ସୂଚନାଯୋଗ୍ୟ, ଅବୁ କାତାଲକୁ ପାକିସ୍ତାନ ସେନାର କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିଲା ଏବଂ ସାଦା ପୋଷାକରେ ଥିବା ପାକିସ୍ତାନୀ ସୈନ୍ୟଙ୍କୁ ତା’ର ସୁରକ୍ଷାରେ ନିୟୋଜିତ କରାଯାଇଥିଲା। ଝେଲମ୍ ଅଞ୍ଚଳରେ ଥିବା ପଞ୍ଜାବ ବିଶ୍ୱବିଦ୍ୟାଳୟ ନିକଟରେ ତାକୁ ଅତର୍କିତ ଭାବେ ଆକ୍ରମଣକାରୀ ଘେରିଯାଇଥିଲେ। ଏହି ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି। ଗତବର୍ଷ ଜୁନ୍ ୯ରେ ଜମ୍ମୁ-କାଶ୍ମୀରରେ ଏକ ତୀର୍ଥଯାତ୍ରୀ ବସ୍ ଉପରେ ହୋଇଥିବା ଆକ୍ରମଣରେ କାତାଲର ହାତ ଥିଲା। କାତାଲର ନେତୃତ୍ୱରେ ଏହି ଆକ୍ରମଣ ହୋଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ୨୦୨୩ ଜାନୁଆରି ପହିଲାରେ ରାଜୌରୀର ଧଙ୍ଗରି ଗାଁରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପରଦିନ ଆଇଇଡି ବିସ୍ଫୋରଣ ହୋଇଥିଲା। ଏହି ଆକ୍ରମଣରେ ଦୁଇ ଶିଶୁଙ୍କ ସମେତ ୭ କଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଥିଲେ। ଅବୁ କାତାଲ ଏହି ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ଏବଂ ଏହି ମାମଲାରେ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଏନ୍ଆଇଏ ଚାର୍ଜସିଟ୍ କରିଛି। ଜମ୍ମୁ-କଶ୍ମୀରରେ ଏକାଧିକ ଆତଙ୍କବାଦୀ ଘଟଣାରେ ଅବୁ କାତାଲର ଭୂମିକା ନେଇ ସେ ବିଭିନ୍ନ ଭାରତୀୟ ସୁରକ୍ଷା ଏଜେନ୍ସିର ରାଡାରରେ ଥିଲା।