କଏଦୀ ଅଦଳବଦଳ ଜରିଆରେ ଆମେରିକୀୟ ସାମ୍ବାଦିକ ଇଭାନ ଗେର୍ସକୋଭିକଙ୍କୁ ମୁକ୍ତ କଲା ଋଷ
ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଜେଲ୍ରେ ଥିବା ଆମେରିକୀୟ ସାମ୍ବାଦିକ ଏବଂ ଜଣେ ନାବିକଙ୍କୁ ମୁକ୍ତ କରିଛି ଋଷିଆ । ଓ୍ବାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ସାମ୍ବାଦିକ ଇଭାନ ଗେର୍ସକୋଭିକ ଏବଂ ନାବିକ ପଲ୍ ହ୍ବେଲେନଙ୍କୁ କଏଦୀ ଅଦଳବଦଳ ନୀତିରେ ପୁଟିନ୍ ପ୍ରଶାସନ ମୁକ୍ତି ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି । ଗୁଇନ୍ଦାଗିରି ଅଭିଯୋଗରେ ଏହି ଦୁଇ ଜଣଙ୍କୁ ଋଷିଆ ପୋଲିସ ଗିରଫ କରି ଜେଲ୍ରେ ଭର୍ତ୍ତି କରିଥିଲା ।
ଆମେରିକାର ବହୁ ବିରୋଧ ପରେ ମଧ୍ୟ ସେମାନଙ୍କୁ ଜେଲରୁ ବାହାର କରିନଥିଲା ମସ୍କୋ । ଏବେ ଆମେରିକା ସହ କଏଦୀ ଅଦଳବଦଳ କରି ସେମାନଙ୍କୁ ଋଷ ଜେଲରୁ ମୁକ୍ତ କରିଥିବା ନେଇ ବ୍ଲୁମବର୍ଗରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଗେର୍ସକୋଭିକ୍ ଏବଂ ପଲଙ୍କୁ ଜେଲରୁ ବାହାର କରି କେଉଁଠାକୁ ନିଆଯାଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
ମିଳିଥିବା ସୂଚନା ଅନୁସାରେ, ଆମେରିକା ଏବଂ ଏହାର ସହେଯାଗୀ ଦେଶରେ ବନ୍ଦୀ ଥିବା ଋଷୀୟ ନାଗରିକଙ୍କୁ ମୁକ୍ତ କରାଯିବା ପରେ ହିଁ ଋଷିଆ ଗେର୍ସକୋଭିକ୍ ଏବଂ ପଲଙ୍କୁ ଜେଲରୁ ବାହାର କରିଛି । ୟୁରୋପୀୟ ଅଧିକାରୀଙ୍କ ସୂଚନା ଆଧାରରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ଯେ, ଋଷିଆର ବିଶିଷ୍ଟ ସାମ୍ବାଦିକ ଏବଂ ସିନେ ନିର୍ମାତା ଭ୍ଲାଦିମିର କାରା ମୁର୍ଜାଙ୍କୁ ମଧ୍ୟ ଜେଲରୁ ମୁକ୍ତ କରିଛି । କାରା ମୁର୍ଜା ମଧ୍ୟ ଜଣେ ସାମାଜିକ କର୍ମୀ । ସେ ଋଷୀୟ-ବ୍ରିଟିଶ ନାଗରିକ ହୋଇଥିବା ବେଳେ ଭ୍ଲାଦିମିର ପୁଟିନଙ୍କ ଶାସନକୁ ନେଇ ସର୍ବଦା ଅଭିଯୋଗ କରିଆସିଥିଲେ ।
ଏହା ପରେ ତାଙ୍କୁ ଏକ ଋଷୀୟ କୋର୍ଟ ୨୫ ବର୍ଷ ଜେଲଦଣ୍ଡ ଶୁଣାଇଥିଲେ । ତାଙ୍କୁ ରାଜଦ୍ରୋହ ଅଭିଯୋଗରେ ୨୦୨୩ ଏପ୍ରିଲ ମାସରେ ଜେଲ୍ରେ ଭର୍ତ୍ତି କରାଯାଇଥିଲା । ସେପଟେ ଗେର୍ସକୋଭିକ୍ ଏବଂ ପଲଙ୍କୁ ଜେଲରୁ ମୁକାଳାଇବା ଲାଗି ଓ୍ବାଶିଂଟନ ଏବଂ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର କ୍ରେମିଲିନ୍ ସହ ଯୋଗାଯୋଗ କରିଥିଲେ । ସେମାନେ ଭୁଲ ଉପାୟରେ ଋଷିଆରେ ପ୍ରବେଶ କରିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା ।