ଦେଶ ବିଦେଶ

ସତୀଶ କୌଶିକ ମୃତ୍ୟୁ ମାମଲାରେ ନୂଆ ମୋଡ଼, ଦିଲ୍ଲୀ ଫାର୍ମ ହାଉସରୁ ମିଳିଲା ଔଷଧ

ନୂଆଦିଲ୍ଲୀ: ମାର୍ଚ୍ଚ ୯ରେ ଭେଟେରାନ ଅଭିନେତା ଓ ନିର୍ଦ୍ଦେଶକ ସତୀଶ କୌଶିକଙ୍କ ୬୬ ବର୍ଷ ବୟସରେ ପରଲୋକ ଘଟିଥିଲା । ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ହୃଦ୍‌ଘାତ ବୋଲି କୁହାଯାଇଥିଲା । କିନ୍ତୁ ସତୀଶ କୌଶିକଙ୍କ ମୃତ୍ୟୁ ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଛି।

ସୂଚନାନୁସାରେ, ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଫାର୍ମହାଉସରୁ କିଛି ଔଷଧ ଜବତ କରିଛି । ମୃତ୍ୟୁର ଦିନକ ପୂର୍ବରୁ ଏହି ଫାର୍ମ ହାଉସରେ ସତୀଶ କୌଶିକ ହୋଲି ପାର୍ଟି କରିଥିଲେ । ଜବତ ଔଷଧ ମଧ୍ୟରେ ଡାଇଜିନ୍ ଏବଂ ସୁଗର ଭଳି କିଛି ନିୟମିତ ମେଡ଼ିସିନ୍ ମଧ୍ୟ ଅଛି | ଅନ୍ୟ ଔଷଧ ଗୁଡ଼ିକର ଯାଞ୍ଚ୍ କରାଯାଉଛି।

ସତୀଶ କୌଶିକଙ୍କ ମୃତ୍ୟୁ ନେଇ ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟରେ କିଛି ସନ୍ଦେହଜନକ କାରଣ ଉଲ୍ଲେଖ କରାଯାଇ ନାହିଁ। ଶରୀରରେ କୌଣସି ଆଘାତ ଚିହ୍ନ ମଧ୍ୟ ନଥିଲା ବୋଲି କୁହାଯାଇଛି । ପୋଲିସ ବିସ୍ତୃତ ପୋଷ୍ଟ ମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି, ଯାହା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ହୋଲି ପାର୍ଟିର ଗେଷ୍ଟ ଲିଷ୍ଟ ସମ୍ପର୍କରେ ମଧ୍ୟ ସୂଚନା ସଂଗ୍ରହ କରୁଛି ପୋଲିସ ।

ଦିଲ୍ଲୀର ଯେଉଁ ଫାର୍ମହାଉସରେ ସତୀଶ କୌଶିକ ପାର୍ଟି କରିଥିଲେ, ତାହା ଏକ ଗୁଟଖା କମ୍ପାନୀ ମାଲିକଙ୍କର ବୋଲି ଜଣାପଡ଼ିଛି | ତାଙ୍କ ନାମ ହେଉଛି ବିକାଶ ମାଲୁ। ପାର୍ଟିରେ ବିକାଶ ମାଲୁଙ୍କ ସମେତ ଅନେକ ବଡ଼ ବିଲ୍ଡର ମଧ୍ୟ ସାମିଲ ହୋଇଥିଲେ। ବିକାଶ ମାଲୁଙ୍କ ନାଁରେ ଏକ ବଳାତ୍କାର ମାମଲା ରହିଛି, ଯାହାର ତଦନ୍ତ ଚାଲିଛି। ତାଙ୍କ ବିରୋଧରେ ଏହି ମାମଲା ରୁଜୁ ହେବା ପରଠୁ ବିକାଶ ମାଲୁ ଦୁବାଇରେ ରହୁଛନ୍ତି । ତେବେ ସେ ହୋଲି ପାର୍ଟି ପାଇଁ ଦିଲ୍ଲୀ ଆସିଥିଲେ।

ସତୀଶ କୌଶିକ ମାର୍ଚ୍ଚ ୭ରେ ମୁମ୍ବାଇରେ ଜାଭେଦ ଅଖତରଙ୍କ ଘରେ ହୋଲି ପାର୍ଟିରେ ଯୋଗ ଦେଇଥିଲେ। ସେ ଏହାର ଫଟୋ ଇନଷ୍ଟାଗ୍ରାମରେ ସେୟାର ମଧ୍ୟ କରିଥିଲେ | ମୁମ୍ବାଇରେ ସାଙ୍ଗମାନଙ୍କ ସହ ହୋଲି ଖେଳିବା ପରେ ସତୀଶ ମାର୍ଚ୍ଚ ୮ରେ ଦିଲ୍ଲୀରେ ହୋଲି ଖେଳିଥିଲେ। ସେ ଦିଲ୍ଲୀର ବିଜୱାସନସ୍ଥିତ ଫାର୍ମହାଉସରେ ତାଙ୍କ ପରିବାର ଲୋକଙ୍କ ସହ ହୋଲି ପାଳନ କରିଥିଲେ।

ଦିନରେ ହୋଲି ଖେଳିବା ପରେ ସତୀଶ କୌଶିକ ରାତି ପ୍ରାୟ ୧୨.୧୦ରେ ଅସୁସ୍ଥ ହୋଇ ପଡ଼ିଥିଲେ | ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଫୋର୍ଟିସ୍ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସତୀଶ କୌଶିକଙ୍କ ପତ୍ନୀ ଓ ଝିଅ ଅଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button