ଦେଶ ବିଦେଶ

ଏନସିପି ନେତା ନବାବ ମଲ୍ଲିକଙ୍କୁ ଦିଆଯାଇଥିବା ଜାମିନକୁ ୩ ମାସ ବୃଦ୍ଧି କଲେ ସୁପ୍ରିମକୋର୍ଟ – Utkal Mail


ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ନବାବ ମଲ୍ଲିକଙ୍କୁ ମିଳିଥିବା ଅସ୍ଥାୟୀ ମେଡିକାଲ ଜାମିନକୁ ସୁପ୍ରିମ୍‌କୋର୍ଟ ଆଉ ୩ ମାସ ବୃଦ୍ଧି କରିଛନ୍ତି।

ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ ବେଲା ଏମ୍‌ ତ୍ରିବେଦୀ ଓ ଜଷ୍ଟିସ୍‌ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ମାସରେ ସର୍ବୋଚ୍ଚ ନ୍ୟାୟାଳୟ ମଲ୍ଲିକଙ୍କୁ ଦୁଇ ମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ; ଯାହାର ମିଆଦ ଅକ୍ଟୋବର ୧୩ରେ ଶେଷ ହେବାକୁ ଥିଲା। ସେତେବେଳେ ସୁପ୍ରିମ୍‌କୋର୍ଟ କହିଥିଲେ ଯେ ମଲ୍ଲିକ କିଡନି ରୋଗ ଓ ଆନୁଷଙ୍ଗିକ ରୋଗର ଚିକିତ୍ସା ପାଇଁ ଡାକ୍ତରଖାନାରେ ଥିଲେ। ତେଣୁ ମଲ୍ଲିକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଜାମିନ୍‌କୁ କଡ଼ାକଡ଼ି ଭାବେ ମଞ୍ଜୁର କରାଯାଇଛି।

ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅସ୍ଥାୟୀ ଡାକ୍ତରୀ ଜାମିନ ଆବେଦନ ଖାରଜ ହେବା ପରେ ମଲ୍ଲିକ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ବଜାର ମୂଲ୍ୟଠାରୁ କମ୍‌ ଦରରେ କିଛି ସମ୍ପତ୍ତି କିଣିଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଲ୍ଲିକଙ୍କୁ ଗିରଫ କରିଥିଲା। ମେ’ ୨୦୨୨ରେ ସ୍ୱତନ୍ତ୍ର ପିଏମଏଲଏ ଅଦାଲତ ଚାର୍ଜସିଟ୍‌ ଗ୍ରହଣ କରିବା ପରେ ମଲ୍ଲିକ ନିୟମିତ ଜାମିନ ପାଇଁ ଆବେଦନ କରିଥିଲେ। ତେବେ, ନଭେମ୍ବର ୩୦, ୨୦-୨୨ରେ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ତାଙ୍କ ଜାମିନ ଆବେଦନ ଖାରଜ କରିବା ପରେ ମଲ୍ଲିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ହାଇକୋର୍ଟରେ ମଲ୍ଲିକ ଯୁକ୍ତି ଉପସ୍ଥାପନ କରିଥିଲେ ଯେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଜାମିନ ପ୍ରଦାନ କରିବା ପାଇଁ ହାଇକୋର୍ଟ ଦେଇଥିବା ରାୟରେ ଦେଇଥିବା ମନ୍ତବ୍ୟକୁ ସ୍ୱତନ୍ତ୍ର ଅଦାଲତ ବିଚାରକୁ ନେବାରେ ବିଫଳ ହୋଇଛନ୍ତି। ତେବେ ଶେଷରେ ହାଇକୋର୍ଟ ମଲିକଙ୍କ ଡାକ୍ତରୀ ଜାମିନ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟରେ ଏଥିପାଇଁ ଆବେଦନ କରିବାକୁ କହିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button