ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକ; ଅକ୍ଟୋବର ୭ରୁ ୯ ଯାଏଁ ୩ ଦିନ ମିଟିଂ

ନୂଆଦିଲ୍ଲୀ: ଅକ୍ଟୋବର ୭ରୁ ୯ ତାରିଖ ଯାଏଁ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକ । ଏହି ବୈଠକ ଉପରେ ଭାରତୀୟ ବଜାରର ନଜର ରହିଛି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଏହି ମିଟିଂ ବସୁଛି । ଆର୍ବିଆଇ ଏମ୍ପିସି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଆସନ୍ତା ୯ ତାରିଖରେ ଘୋଷଣା ହେବ । ଚଳିତ ଥର ଆର୍ବିଆଇ ସୁଧହାରରେ କୌଣସି ପରିବର୍ତ୍ତନ କରିବ ନାହିଁ ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ମୁଦ୍ରାସ୍ଫୀତି, ମଧ୍ୟ ପ୍ରାଚ୍ୟ ସମସ୍ୟା ଏବଂ ଅଶୋଧିତ ତୈଲ ଦର ବୃଦ୍ଧି ଯୋଗୁ ବଜାର ଉପରେ ରହିଥିବା ପ୍ରଭାବ ଭଳି ଦିଗ ଗୁଡିକ ଉପରେ ଆର୍ବିଆଇ ଧ୍ୟାନ ଦେବ । ସେହିଭଳି କର୍ପୋରେଟର ଲାଭ, ଯୁଦ୍ଧ ସ୍ଥିତି,ଆମେରିକାର ମୁଦ୍ରାସ୍ଫୀତି ଡାଟା ଭଳି ଦିଗ ଗୁଡିକ ଉପରେ କେନ୍ଦ୍ରୀୟ ବ୍ୟାଙ୍କ କଡା ନଜର ରଖିବ ବୋଲି କହିଛନ୍ତି ବଜାର ବିଶେଷଜ୍ଞ । ଏଭଳି ଦିଗ ଗୁଡିକ ଦେଶର ପୁଞ୍ଜି ବଜାରର ସ୍ଥିତି ନିର୍ଦ୍ଧାରଣ କରିବ । ହରିଆଣା ଏବଂ ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଅକ୍ଟୋବର ୮ରେ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଏବେ ଭାରତୀୟ ବଜାର ସଙ୍କଟ ସ୍ଥିତି ଦେଇ ଗତି କରୁଛି । ସପ୍ତାହରେ ଭାରତୀୟ ପୁଞ୍ଜି ବଜାର ୪.୫% ହ୍ରାସ ହୋଇଛି । ଯୁଦ୍ଧ ସ୍ଥିତି ଯୋଗୁ ତେଲ ଦର ବୃଦ୍ଧି ହେଲେ ଏହା ବଜାର ଲାଗି ଚିନ୍ତାରକାରଣ ପାଲଟିବ ବୋଲି ଆଶଙ୍କା କରାଯାଉଛି ।