ଦେଶ ବିଦେଶ

ଅନ୍ ଲାଇନ ଠକେଇ ରୋକିବାକୁ ନୂଆ ପଦକ୍ଷେପ ଉପରେ ବିଚାର କରୁଛନ୍ତି ସରକାର – Utkal Mail


ନୂଆଦିଲ୍ଲୀ: ଅନ୍ ଲାଇନ ପେମେଣ୍ଟ ବ୍ୟବସ୍ଥା ଯେପରିକି ଫୋନ୍ ପେ, ଗୁଗୁଲ ପେ ଆଦିରେ ସାଇବର ଠକେଇ ବଢିବାରେ ଲାଗିଛି। ଇଂଟରନେଟ ବାବଦରେ ଅଜ୍ଞଥିବା ଲୋକଙ୍କ ପକେଟ କାଟି ମାଲାମାଲ ହେଉଛନ୍ତି ସାଇବର ଠକ । ଏବେ ଏହାଉପରେ ବିଚାର କରି ସାଇବପ ଠକେଇ ରୋକିବାକୁ ସରକାର ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି। ଯେଉଁଥିରେ ଦାତା-ଗ୍ରହୀତାଙ୍କ ମଧ୍ୟରେ ପ୍ରଥମ ଟ୍ରାଞ୍ଜାକ୍ସନ ପାଇଁ ସର୍ବନିମ୍ନ ସମୟ ସୀମା ଲାଗୁ କରାଯିବ, ବିଶେଷ କରି ୨ ହଜାର ଟଙ୍କାରୁ ଅଧିକ ରାଶି ପାଇଁ।

ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ସରକାର ଏଭଳି କାରବାର ପାଇଁ ଚାରି ଘଣ୍ଟାର ଓ୍ୱିଣ୍ଡୋ ଉପରେ ବିଚାର କରୁଛନ୍ତି। ଯେଉଁଥିରେ ଆଇଏମପିଏସ, ଆରଟିଜିଏସ, ଏବଂ ୟୁପିଆଇ ଭଳି ବିଭିନ୍ନ ଡିଜିଟାଲ ପେମେଣ୍ଟ ପଦ୍ଧତି ଅନ୍ତର୍ଭୁକ୍ତ ରହିଛି। ଏହି ନିୟମ ବ୍ୟବହାରକାରୀଙ୍କ ମଧ୍ୟରେ ସମସ୍ତ ପ୍ରାରମ୍ଭିକ ନେଣଦେଣ ପାଇଁ ପ୍ରଯୁଜ୍ୟ ହେବ, ସେମାନଙ୍କର ନେଣଦେଣ ଇତିହାସ ନିର୍ବିଶେଷରେ।

ଏବେ ଯେତେବେଳେ କେହି ନୂଆ ୟୁପିଆଇ ଆକାଉଣ୍ଟ ତିଆରି କରିବେ, ସେମାନେ ପ୍ରଥମ ୨୪ ଘଣ୍ଟାରେ ସର୍ବାଧିକ ୫ ହଜାର ଟଙ୍କା ପଠାଇପାରିବେ। ସେହିପରି ଏନଇଏଫଟି ପାଇଁ ଜଣେ ହିତାଧିକାରୀଙ୍କୁ ସକ୍ରିୟ କରିବା ପରେ ପ୍ରଥମ ୨୪ ଘଣ୍ଟାରେ ୫୦ ହଜାର ଟଙ୍କା ଯାଏଁ ଟ୍ରାନ୍ସଫର କରାଯାଇପାରିବ।

ନୂଆ ବ୍ୟବହାରକାରୀଙ୍କୁ ୨ ହଜାର ଟଙ୍କାରୁ ଅଧିକ ପ୍ରଥମ ପେମେଣ୍ଟ ପାଇଁ ପ୍ରସ୍ତାବିତ ୪ ଘଣ୍ଟା ସମୟ ସୀମାର ଉଦ୍ଦେଶ୍ୟ ହେଉଛି ଠକେଇ କାରବାରକୁ ରୋକିବା ଏବଂ ବ୍ୟବହାରକାରୀଙ୍କୁ ଅନଧିକୃତ କିମ୍ବା ଭୁଲ ଥିଲେ କାରବାରକୁ ରଦ୍ଦ କିମ୍ବା ସଂଶୋଧନ କରିବା ପାଇଁ ଏକ ଓ୍ବିଣ୍ଡୋ ପ୍ରଦାନ କରିବା।

ସରକାରୀ ଅଧିକାରୀ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଘରୋଇ ବ୍ୟାଙ୍କ ଏବଂ ଗୁଗୁଲ, ରେଜରପେ ଭଳି ଟେକ୍ନୋଲୋଜି କମ୍ପାନୀମାନଙ୍କୁ ନେଇ ପ୍ରସ୍ତାବିତ ପଦକ୍ଷେପ ଉପରେ ପ୍ରାଥମିକ ପର୍ଯ୍ୟାୟରେ ଆଲୋଚନା କରିବାକୁ ଯୋଜନା କରାଯାଉଛି।

ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ଏନଇଏଫଟି ପ୍ରକ୍ରିୟା ଭଳି ଏହାକୁ ଓଲଟା କିମ୍ବା ପରିବର୍ତ୍ତନ କରିବା ପାଇଁ ପ୍ରଥମ ଥର ପାଇଁ ପେମେଣ୍ଟ କରିବା ପରେ ବ୍ୟବହାରକାରୀଙ୍କ ପାଖରେ ଚାରି ଘଣ୍ଟାର ଓ୍ବିଣ୍ଡୋ ବା ସମୟ ରହିବ। କିରାନା ସାମଗ୍ରୀ କିଣିବା ଭଳି ଛୋଟ ଧରଣର କାରବାର ମଧ୍ୟ ପ୍ରସ୍ତାବିତ ସମୟ ସୀମା ଦ୍ୱାରା ପ୍ରଭାବିତ ହୋଇପାରେ ବୋଲି ଅଧିକାରୀ ଜଣକ ସ୍ୱୀକାର କରିଛନ୍ତି।

ଫଳରେ ୨ ହଜାର ଟଙ୍କାରୁ କମ୍ କାରବାର ପାଇଁ ନମନୀୟତା ପ୍ରଦାନ କରିବାକୁ ଯୋଜନା ରହିଛି। ଏହି ନମନୀୟତାର ସଠିକ୍ ବିବରଣୀ ଏବେ ବି ପ୍ରସ୍ତୁତ କରାଯାଉଛି।

ପ୍ରସ୍ତାବିତ ପଦକ୍ଷେପ ସୁରକ୍ଷା ବୃଦ୍ଧି ଏବଂ ନିୟମିତ ଡିଜିଟାଲ କାରବାରରେ ବାଧା ସୃଷ୍ଟିକୁ ହ୍ରାସ କରିବା ମଧ୍ୟରେ ସନ୍ତୁଳନ ରକ୍ଷା କରିବ ବୋଲି ଆଶା କରାଯାଉଛି।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button