୫୦ ଲୋକଙ୍କୁ ପ୍ରଲୋଭିତ କରି ସେକ୍ସ ଭିଡିଓ କଲେ ମଡେଲ୍; ବ୍ଲାକ୍ମେଲ୍ କରି ନେଇଗଲେ ୩୫ ଲକ୍ଷ ଟଙ୍କା – Utkal Mail
ବେଙ୍ଗାଲୁରୁ: ଲୋକମାନଙ୍କୁ ପ୍ରଲୋଭିତ କରି ଘରକୁ ଡକାଇ ଯୌନକ୍ରିୟା ଓ ତା’ର ଭିଡିଓ ରେକର୍ଡିଙ୍ଗ୍ କରି ମୁମ୍ବାଇର ଜଣେ ମଡେଲ୍ ସେମାନଙ୍କୁ ବ୍ଲାକ୍ମେଲ୍ କରି ଅର୍ଥ ଆଦାୟ କରୁଥିଲେ ବୋଲି କର୍ଣ୍ଣାଟକ ପୁଲିସ କହିଛି।
ଏବେ କର୍ଣ୍ଣାଟକ ପୁଲିସ ଠାବ କରିଥିବା ଏହି ‘ସେକ୍ସ୍ଟର୍ସନ୍’ ରାକେଟ୍ ଗ୍ୟାଙ୍ଗ୍ ପ୍ରାୟ ୫୦ଜଣ ଲୋକଙ୍କୁ ଟାର୍ଗେଟ୍ କରିଥିବା କଥା ସନ୍ଦେହ କରାଯାଉଛି।
ମଡେଲ୍ଙ୍କ ପ୍ରଲୋଭନରେ ପଡ଼ି ଅସୁବିଧାରେ ପଡ଼ିଥିବା ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିବା ପରେ ରାକେଟ୍ କଥା ଲୋକ ଲୋଚନକୁ ଆସିଛି। ଅଭିଯୋଗକାରୀ କହିଛନ୍ତି ଯେ, ନେହା ଓରଫ ମେହେର୍ ନାମରେ ପରିଚିତା ସେ ମହିଳା ତାଙ୍କ ସହିତ ମେସେଜିଙ୍ଗ୍ ପ୍ଲାଟଫର୍ମ ‘ଟେଲିଗ୍ରାମ୍’ରେ ଯୋଗାଯୋଗ କରିଥିଲେ। ତା’ପରେ ଦୁହେଁ ‘ହ୍ବାଟ୍ସ୍ଆପ୍’ରେ କଥାବାର୍ତ୍ତା କରିଥିଲେ।
କଥାବାର୍ତ୍ତା ପ୍ରସଙ୍ଗରେ ସେ କହିଥିଲେ ଯେ, ତାଙ୍କର ସ୍ବାମୀ ଦୁବାଇରେ କାମ କରନ୍ତି। କିନ୍ତୁ, ସେ ତାଙ୍କ (ଅଭିଯୋଗକାରୀ) ସହିତ ଯୌନ ସମ୍ପର୍କ ରଖିବାକୁ ଆଗ୍ରହୀ। ଏଥିସହିତ ସେ ତାଙ୍କର ଫଟୋ ଓ ଠିକଣା ମଧ୍ୟ ସେୟାର୍ କରିଥିଲେ ବୋଲି ଅଭିଯୋଗକାରୀ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ମାର୍ଚ ୩ ତାରିଖ ଅପରାହ୍ଣ ୩.୩୦ରେ ସେ ମେହେରଙ୍କ ଘରକୁ ଯାଇଥିଲେ। ସେତିକି ବେଳେ ୩ଜଣ ଅପରିଚିତ ଲୋକ ବେଡ୍ରୁମ୍କୁ ଆସି ସେ କାହିଁକି ଏଠାକୁ ଆସିଛନ୍ତି ବୋଲି ପଚାରିଥିଲେ। ତା’ପରେ ସେମାନେ ତାଙ୍କୁ ଆକ୍ରମଣ କରିବାକୁ ବାହାରିଥିଲେ।
ପୁଣି ସେମାନେ ଧମକ ଦେଇ କହିଲେ ଯେ, ୩ ଲକ୍ଷ ଟଙ୍କା ନ ଦେଲେ ତାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ମସ୍ଜିଦ୍କୁ ନିଆଯିବ। ସେଠାରେ ତାଙ୍କର ‘ସୁନତ୍’ କରାଯାଇ ମେହେର୍ଙ୍କ ସହିତ ବାହା କରାଇ ଦିଆଯିବ। ବାଧ୍ୟ ହୋଇ ସେ ଗୋଟାଏ ମୋବାଇଲ୍ ଫୋନ୍ରେ ‘ଫୋନ୍ ପେ ପେମେଣ୍ଟ୍ ଆପ୍’ ଜରିଆରେ ୨୧,୫୦୦ ଟଙ୍କା ଟ୍ରାନ୍ସ୍ଫର୍ କରିଥିଲେ।
କ୍ରେଡିଟ୍ କାର୍ଡ ମାଧ୍ୟମରେ ଅବଶିଷ୍ଟ ୨.୫ ଲକ୍ଷ ଟଙ୍କା ନ ଦେବା ପର୍ଯ୍ୟନ୍ତ ସେମାନେ ଅଭିଯୁକ୍ତଙ୍କୁ ରାତି ୮ ପର୍ଯ୍ୟନ୍ତ ଅଟକାଇ ରଖିଥିଲେ। କିନ୍ତୁ, କ୍ରେଡିଟ୍ କାର୍ଡ ଘରେ ଅଛି ବୋଲି କହିବାରୁ ଅଭିଯୁକ୍ତମାନେ ତାଙ୍କ ସହିତ ଘରକୁ ଯିବେ ବୋଲି କହିଲେ। ଘରକୁ ଯିବା ବାଟରେ ଅଭିଯୋଗକାରୀ କୌଣସି ମତେ ଅଭିଯୁକ୍ତମାନଙ୍କ କବଳରୁ ଖସି ପଳାଇଥିଲେ ବୋଲି ପୁଲିସ କହିଛି।
ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବାରୁ ଜଣାପଡ଼ିଲା ଯେ, ପ୍ରାୟ ୫୦ ଲୋକ ଏହି ଗ୍ୟାଙ୍ଗ୍ ହାବୁଡ଼ରେ ପଡ଼ିଛନ୍ତି। ସେମାନଙ୍କୁ ‘ବ୍ଲାକ୍ମେଲ୍’ କରି ସେ ଗ୍ୟାଙ୍ଗ୍ ୩୫ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି।
ଏହି ମାମଲାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ ମୁମ୍ବାଇରେ ମେହେର୍ଙ୍କ ଅବସ୍ଥିତି ଚିହ୍ନଟ କରାଯାଇଥିବା କଥା ପୁଲିସ କହିଛି।