ଖଡ଼୍ଗେଙ୍କ କାର୍ଯ୍ୟକାଳକୁ ବର୍ଷେ ପୂରିଲା: ଫୋକସ୍ରେ ନାହିଁ ଓଡ଼ିଶା କଂଗ୍ରେସ – Utkal Mail
୫ ରାଜ୍ୟର ନିର୍ବାଚନ ଉପରେ ନଜର, ଘରବାହୁଡ଼ା କରିପାରନ୍ତି ନେତା
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ରୂପେ ମଲ୍ଲିକାର୍ଜୁନ ଖଡ଼୍ଗେଙ୍କ କାର୍ଯ୍ୟକାଳକୁ ଆଜି ବର୍ଷେ ପୂରିଛି। ଗତ ବର୍ଷ ଅକ୍ଟୋବର ୨୬ରେ ଶ୍ରୀ ଖଡ଼୍ଗେ ବିଧିବଦ୍ଧଭାବେ ଦଳର ସଭାପତି ଦାୟିତ୍ବ ଗ୍ରହଣ କରିଥିଲେ। କଂଗ୍ରେସର ତୃଣମୂଳ ସ୍ତରର ରାଜନୀତିରୁ ଜାତୀୟସ୍ତରର ରାଜନୀତିରେ ୫୦ ବର୍ଷର ଅଭିଜ୍ଞତା ହାସଲ କରିଥିବା ଖଡ଼୍ଗେ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଥିବା ଦଳକୁ ସଂଗଠିତ ଓ ବଳିଷ୍ଠ କରିବା ଦିଗରେ ପ୍ରୟାସ ଆରମ୍ଭ କରିବା ସହିତ ତାଙ୍କର ନୂଆ ଇନିଂସ୍ ଆରମ୍ଭ କରିଥିଲେ। ସଭାପତି ଦାୟିତ୍ବ ନେବାର ବର୍ଷକ ମଧ୍ୟରେ କଂଗ୍ରେସ ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକ ଭଳି ରାଜ୍ୟ ଜିତିବାରେ ସଫଳ ହୋଇପାରିଛି।
ଅନ୍ୟପକ୍ଷେ, ଦାୟିତ୍ବ ନେବାର ବର୍ଷକ ମଧ୍ୟରେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଭଳି କିଛି ରାଜ୍ୟ ଯେଉଁଠି ଦଳ ଦୀର୍ଘ ବର୍ଷ ଧରି କ୍ଷମତାରେ ରହିଥିଲା ସେସବୁ ରାଜ୍ୟରେ ଦଳକୁ ପୁନଃଜୀବିତ କରିବା ନେଇ ଶ୍ରୀ ଖଡ଼୍ଗେଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଓ ରଣନୀତି ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ଏସବୁ ରାଜ୍ୟ କଂଗ୍ରେସର ଫୋକସ୍ରେ ରହିନାହିଁ। ୨୦୨୪ ସାଧାରଣ ନିର୍ବାଚନ ତଥା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବ ଓଡ଼ିଶା ପ୍ରତି ସେତେଟା ସକ୍ରିୟତା ନ ଦେଖାଇବା ପରୋକ୍ଷରେ ଏହାକୁ ଇଙ୍ଗିତ କରୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି କଂଗ୍ରେସର ସଭାପତି ରୂପେ ଦାୟିତ୍ବ ନେବା ପରେ ଖଡ଼୍ଗେଙ୍କ ଦ୍ବାରା ଦୁଇଟି ଗୁରୁତ୍ବପୂର୍ଣ୍ଣ କମିଟି ଯଥା କଂଗ୍ରେସ କାର୍ଯ୍ୟକାରୀ କମିଟି ଏବଂ କେନ୍ଦ୍ରୀୟ ନିର୍ବାଚନ କମିଟିର ଘୋଷଣା କରାଯାଇଥିଲା। ଦୁଇଟି କମିଟିରେ ଓଡ଼ିଶାର କୌଣସି ନେତା ସ୍ଥାନ ପାଇନଥିଲେ। ରାଜ୍ୟରେ ରାଜନୈତିକ ଉଷ୍ମତା ଧୀରେ ଧୀରେ ବଢ଼ିଚାଲିଛି। ବିଜେଡି ଓ ବିଜେପି ସେମାନଙ୍କର ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରୁଥିବାବେଳେ ତୃଣମୂଳ ସ୍ତରରେ କଂଗ୍ରେସର କାର୍ଯ୍ୟକ୍ରମ ସେଭଳି ଆଖିଦୃଶିଆ ହେଉନାହିଁ। କାଁ ଭାଁ ନେତାଙ୍କୁ ବାଦ୍ ଦେଲେ କେନ୍ଦ୍ରର ଆଗଧାଡ଼ିର ନେତାମାନେ ରାଜ୍ୟମୁହାଁ ହେଉନାହାନ୍ତି। ଏଭଳି ସ୍ଥିତିରେ ରାଜ୍ୟରେ କଂଗ୍ରେସକୁ ନିଜର ନିର୍ବାଚନ ଉପସ୍ଥିତିକୁ ଜାହିର ପାଇଁ ଖଡ଼୍ଗେଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଓ ମାର୍ଗଦର୍ଶନ ଗୁରୁତ୍ବ ବହନ କରୁଛି।
୫ ରାଜ୍ୟର ନିର୍ବାଚନ ଉପରେ ନଜର
ଘରବାହୁଡ଼ା କରିପାରନ୍ତି ନେତା
ଉଠିପାରେ ନିଲମ୍ବନ ନିର୍ଦ୍ଦେଶନାମା
ସୂତ୍ର ଅନୁସାରେ, ଆସନ୍ତାମାସରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ପରେ ଏଆଇସିସି ପକ୍ଷରୁ ଓଡ଼ିଶା ପାଇଁ ୨୦୨୪ର ସାଧାରଣ ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଜୋରଦାର କରାଯିବ। ଖଡ଼୍ଗେଙ୍କ ପ୍ରାଥମିକତା ୨୦୨୪ ସାଧାରଣ ନିର୍ବାଚନ ଉପରେ ରହିଛି। ଇଣ୍ଡିଆ ମେଣ୍ଟର ଅନ୍ୟ ସହଯୋଗୀ ଦଳମାନଙ୍କ ସହିତ ରାଜ୍ୟୱାରୀ ଆସନ ବୁଝାମଣା କିଭଳି ହୋଇପାରିବ ତାହା ମୁଖ୍ୟ ଆହ୍ବାନ ରହିବ। ଓଡ଼ିଶାରେ କେଉଁସବୁ ଦଳ ସହ ଆସନ ବୁଝାମଣା କରାଯାଇପାରିବ ସେ ନେଇ ଶ୍ରୀ ଖଡ଼୍ଗେ ଅନୌପଚାରିକ ଆଲୋଚନା ଆରମ୍ଭ କରିଦେଇଥିବା ମଧ୍ୟ କୁହାଯାଉଛି। ଏଥିସହିତ ଖଡ଼୍ଗେଙ୍କ ନିର୍ଦ୍ଦେଶ ଅନୁସାରେ, ଏଆଇସିସି ଓଡ଼ିଶାରୁ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ତାଲିକା ମଧ୍ୟ ମଗାଇଛି। ପ୍ରାର୍ଥୀ ମନୋନୟନ କାର୍ଯ୍ୟକୁ ଯଥେଷ୍ଟ ପୂର୍ବରୁ ଶେଷ କରିବା ପାଇଁ ରଣନୀତି ରହିଛି। ଦଳ ଛାଡ଼ି ଚାଲିଯାଇଥିବା ନେତାମାନଙ୍କୁ ଦଳକୁ ଫେରାଇ ଆଣିବା, ଜଣେ ବିଧାୟକ ଓ ଅନ୍ୟ ଜଣେ ପୂର୍ବତନ ବିଧାୟକଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଖଡ଼୍ଗେ ନେଇପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।