ଦେଶ ବିଦେଶ

ୟୁକ୍ରେନ ଯୁଦ୍ଧ ରୋକିବାକୁ ପ୍ରୟାସ: ସାଉଦିରେ ଆଲୋଚନା କରିବେ ଆମେରିକା-ରୁଷ୍‌

ୱାସିଂଟନ: ପ୍ରାୟ ୩ ବର୍ଷ ଧରି ଚାଲିଥିବା ରୁଷ୍‌-ୟୁକ୍ରେନ ଯୁଦ୍ଧର ଅନ୍ତ ଘଟାଇବା ଉଦ୍ଦେଶ୍ୟରେ ଆଲୋଚନା ଆରମ୍ଭ କରିବା ପାଇଁ  ଆମେରିକା ଏବଂ ରୁଷୀୟ ଅଧିକାରୀମାନେ ଖୁବ୍‌ଶୀଘ୍ର ସାଉଦି ଆରବରେ ବୈଠକ କରିବେ ବୋଲି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି। ଶୁକ୍ରବାର ଜର୍ମାନୀରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ସାକ୍ଷାତ କରିଥିବା ୟୁକ୍ରେନ  ରାଷ୍ଟ୍ରପତି ଭୋଲ୍‌ଡିମିର ଜେଲେନସ୍କି କହିଛନ୍ତି ଯେ ସାଉଦି ଆରବରେ ହେବାକୁ ଥିବା ଆଲୋଚନାରେ ଆମକୁ ନିମନ୍ତ୍ରଣ କରାଯାଇ ନାହିଁ। ଆମେରିକା ଆମ ଭଳି ରଣନୈତିକ ସହଯୋଗୀଙ୍କ ସହ ପରାମର୍ଶ ନକରି ରୁଷ୍‌ ସହ ଆଲୋଚନା କରିବାକୁ ଚାହୁଥିବାରୁ ଆମ ପାଇଁ ଏହା ଗ୍ରହଣୀୟ ନୁହେଁ ବୋଲି ଜେଲନସ୍କି ସ୍ପଷ୍ଟ କରିଛନ୍ତି। ତେବେ ଆମେରିକା ଏହାକୁ ଗୁରୁତ୍ବ ଦେଇନାହିଁ।

ଜେଲେନସ୍କିଙ୍କୁ ଆମନ୍ତ୍ରଣ କଲେନି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ, ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ୍ ୱାଲ୍ଟଜ୍ ଏବଂ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟ୍‌କପ୍‌ ସାଉଦି ଆରବ ଗସ୍ତ କରିବେ ବୋଲି ଆମେରିକାର ପ୍ରତିନିଧି ମାଇକେଲ ମ୍ୟାକାଲ କହିଛନ୍ତି।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏ ନେଇ ବିସ୍ତୃତ ଆଲୋଚନା କରିସାରିଛନ୍ତି ବୋଲି ସେ କହିଛନ୍ତି। ତେବେ ୟୁକ୍ରେନ ପ୍ରତି ଏଭଳି ଅଣଦେଖା ୟୁରୋପରେ ଆତଙ୍କ ଖେଳାଇ ଦେଇଛି। ସୂଚନାଯୋଗ୍ୟ, ଗତ ବୁଧବାର ଦିନ ରାଷ୍ଟ୍ରପତି ଟ୍ରମ୍ପ ପୁଟିନ୍ ଓ ଜେଲେନସ୍କିଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ଏବଂ ଶାନ୍ତି ପ୍ରକ୍ରିୟା ନେଇ ଅଧିକ ବିଳମ୍ବ ହେବା ଉଚିତ ନୁହେଁ ବୋଲି ସତର୍କ କରାଇଥିଲେ। ସୂଚନାଯୋଗ୍ୟ, ମସ୍କୋ ଏବେ ୟୁକ୍ରେନର ଏକ ପଞ୍ଚମାଂଶ ଅଞ୍ଚଳକୁ ନିୟନ୍ତ୍ରଣ କରୁଛି ଏବଂ କିଛି ମାସ ଧରି ପୂର୍ବଦିଗରେ ଧୀରେ ଧୀରେ ଅଗ୍ରସର ହେଉଥିବା ବେଳେ କିବ୍‌ ଉପରେ ମଧ୍ୟ ଆକ୍ରମଣ ଜାରି ରଖିଛି। ଆମେରିକା ଯଦି ୟୁକ୍ରେନକୁ ସହାୟତା ବନ୍ଦ କରିଦେବ ତା’ହେଲେ ୟୁକ୍ରେନ ରୁଷ୍‌ ସହ ଆଉ ମୁକାବିଲା କରିପାରିବ ନାହିଁ ବୋଲି ଜେଲେନସ୍କି ଆଶଙ୍କା ବ୍ୟକ୍ତ କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button