କ୍ରାଇମ

ମଥାରେ ବନ୍ଧୁକ, ଗଳାରେ ବରଣମାଳା: ସ୍କୁଲ୍‌ରୁ ଜବରଦସ୍ତି ଶିକ୍ଷକଙ୍କୁ ଉଠାଇ ଆଣି ବାହାଘର କଲେ କନ୍ୟାଘର – Utkal Mail


ପାଟନା: ଗୁଳି ମାରି ହତ୍ୟା କରିବେ ବୋଲି ଧମକ ଦେଇ ବୁଧବାର ଦିନ ବିହାରର ବୈଶାଳୀ ଜିଲ୍ଲାରେ ଜଣେ ସ୍କୁଲ୍‌ ଶିକ୍ଷକଙ୍କୁ ଅପହରଣ କରିନେଇ କନ୍ୟାଘର ଲୋକେ ବାହାଘର କରାଇଥିବା କଥା ପୁଲିସ କହିଛି।

ପୁଲିସ କହିଛି, ଅପହୃତ ଯୁବକ ହେଉଛନ୍ତି ୧୨ ଦିନ ହେବ ‘ବିହାର ପବ୍ଲିକ୍‌ ସର୍ଭିସ୍‌ କମିସନ୍‌’ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବୈଶାଳୀ ଜିଲ୍ଲା ଅନ୍ତର୍ଗତ ପତେପୁରର ରେପୁରାସ୍ଥିତ ‘ଉତ୍‌କ୍ରମିତ ମଧ୍ୟ ବିଦ୍ୟାଳୟ’ରେ ନବନିଯୁକ୍ତ ଶିକ୍ଷକ ୨୩ ବର୍ଷିୟ ଗ‌ୌତମ କୁମାର। ବୁଧବାର ଦିନ ୩/୪ଜଣ ଲୋକ ସ୍କୁଲ୍‌ରେ ପହଞ୍ଚି ଗୌତମଙ୍କୁ ଜବଦସ୍ତି ଗୋଟାଏ ‘ଏସ୍‌ୟୁଭି’ କାର୍‌ରେ ବସାଇ ନେଇ ଯାଇଥିଲେ।

ଗୁଳି ମାରି ହତ୍ୟା କରାଯିବ ବୋଲି ଗୌତମଙ୍କୁ ଧମକ ଦେଇ ୨୪ ଘଣ୍ଟା ମଧ୍ୟରେ ଅପହରଣକାରୀଙ୍କ ମଧ୍ୟରୁ ଜଣଙ୍କ ଝିଅ ସହିତ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କର ବିବାହ କରାଗଲା।

ଉଲ୍ଲେଖଯୋଗ୍ୟ, ବର ଅପହରଣ କରି ଝିଅ ବିଭା ଦେବା ଘଟଣା ବିହାର ରାଜ୍ୟରେ ନୂଆ କଥା ନୁହେଁ। ଏଭଳି ପ୍ରଥାକୁ ‘ପକଡ୍‌ୱା ବିବାହ’ ବା ‘ବରହରଣ ବିବାହ’ ବୋଲି କୁହାଯାଏ। ଏହି ରୀତି ଅନୁଯାୟୀ ଅବିବାହିତ ଯୁବକଙ୍କୁ ଗୁଳି ମାରି ଦେବେ ବୋଲି ଭୟ ଦେଖାଇ ତାଙ୍କ ମଥାରେ ବନ୍ଧୁକ ଲଗାଇ ବାହା ହେବାକୁ ବାଧ୍ୟ କରାଯାଏ।

Image Courtesy of Times Now

ନିଖୋଜ ଶିକ୍ଷକ ଗୌତମଙ୍କୁ ଠାବ କରିବା ପାଇଁ ପୁଲିସ ତଲାସ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଗୌତମଙ୍କ ପରିବାର ଲୋକେ ବୁଧବାର ରାତିରେ ରାସ୍ତା ଅବରୋଧ କରି ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଏଥିପାଇଁ ଗୌତମଙ୍କ ପରିବାର ରାଜେଶ ରାୟ ନାମକ ଜଣେ ଲୋକଙ୍କୁ ଦାୟୀ କରିଥିଲେ। ରାୟଙ୍କ ପରିବାର ଲୋକେ ଗ‌ୌତମଙ୍କୁ ଧରି ନେଇ ତାଙ୍କ ଝିଅ ଚାନ୍ଦିନୀଙ୍କ ସହିତ ବାହାଘର କରାଇଥିବା କଥା ସେମାନେ ଧରି ନେଇଥିଲେ।

ବର ବେଶରେ ସଜ୍ଜିତ ଗୌତମଙ୍କୁ ଉଦ୍ଧାର କରିବା ପରେ ପୁଲିସ କହିଛି, ଉକ୍ତ ବିବାହ ପ୍ରସ୍ତାବକୁ ଅସ୍ବୀକାର କରିଥିବା ଗୌତମଙ୍କୁ ମାଡ଼ ମଧ୍ୟ ଦିଆଯାଇଛି। ଏହି ବିବାହକୁ ରଦ୍ଦ କରିବା ନିମନ୍ତେ ଗୌତମ କହିଛନ୍ତି। ଏଥିପାଇଁ ସେ ୧୦ ବର୍ଷ ପୂର୍ବେ ନୱାଡ଼ାର ଜଣେ ସେନା କର୍ମଚାରୀ ଓ ଲଖିସରାଇର ଜଣେ ମହିଳାଙ୍କ ମଧ୍ୟରେ ସମ୍ପନ୍ନ ହୋଇଥିବା ‘ପକଡ୍‌ୱା ବିବାହ’କୁ ପାଟନା ହାଇକୋର୍ଟ ରଦ୍ଦ କରିଥିବା ମାମଲା ଉପରେ ଗୁରୁତ୍ବାରୋପ କରିଛନ୍ତି।

ଏହି ମାମଲାରେ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରି ପୁଲିସ ଅପହରଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ତଦନ୍ତ ଆରମ୍ଭ କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button