କ୍ରାଇମ

୬ ଶିକାରୀ ଗିରଫ, ପିସ୍ତଲ ଜବତ: ବିପଦରେ ଡେବ୍ରିଗଡ଼ ଅଭୟାରଣ୍ୟ – Utkal Mail


କାମ କରୁଛି ଅନ୍ତଃରାଜ୍ୟ ରାକେଟ୍‌, ୨୬ ବଜ୍ରକାପ୍ତା କାତି, ୫ ଭାଲୁନଖ ଜବତ

ବରଗଡ଼: ବନ୍ୟଜନ୍ତୁଙ୍କ ଭୂସ୍ବର୍ଗ କୁହାଯାଉଥିବା‌ ବରଗଡ଼ ଜିଲ୍ଲାର ଡେବ୍ରିଗଡ଼ ଅଭୟାରଣ୍ୟ ଏବେ ବିପଦରେ। ବର୍ଷତମାମ ଏଠାରେ ଜନ୍ତୁଶିକାର ଚାଲିଛି। ଶୁକ୍ରବାର ପୁଣିଥରେ ଏହାର ପ୍ରମାଣ ମିଳିଛି। ଜନ୍ତୁଶିକାର ପରେ ଅଙ୍ଗପ୍ରତ୍ୟଙ୍ଗ ବିକ୍ରି ମାମଲା ଅନ୍ତଃରାଜ୍ୟ ସ୍ତରକୁ ପହଞ୍ଚିଛି। ସ୍ଥାନୀୟ ଶିକାରୀଙ୍କଠାରୁ ଏହି ଅଙ୍ଗପ୍ରତ୍ୟଙ୍ଗ କିଣିବାକୁ ଡିଲ୍‌ ଚାଲିଥିବା ବେଳେ ଭଟଲି ଫରେଷ୍ଟ ରେଞ୍ଜ ଅଧିକାରୀମାନେ ୬ଜଣଙ୍କୁ ଗିରଫ କରିଛନ୍ତି। ଗିରଫମାନେ ହେଲେ ବାଲେଶ୍ବର ଜିଲ୍ଲା ଚାନ୍ଦିପୁରର ମନୋରଞ୍ଜନ ନନ୍ଦ ଓ ସଞ୍ଜୟ ଦାସ, ମହାରାଷ୍ଟ୍ର ଉସ୍‌ମାନାବାଦ୍‌ ଜିଲ୍ଲା ତୁଲ୍‌ଜାପୁରର ଗୁରୁନାଥ କିସାନ କୁମ୍ଭାର, ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍‌ ଧୀରପୁର ଗାଁର ବ୍ୟାସ‌ଦେବ ମହାରଣା, ଭଟଲି ସମ୍ବରଧରା ଗାଁର ପଞ୍ଚାନନ ପ୍ରଧାନ ଓ ସ୍ଥାନୀୟ ଭଟଲି ରୋଡ୍‌ର ଚନ୍ଦ୍ରଭାନୁ ନାୟକ। ଅଭିଯୁକ୍ତଙ୍କଠାରୁ ୨୬ଟି ବଜ୍ରକାପ୍ତା କାତି, ୫ଟି ଭାଲୁନଖ, ଗୋଟିଏ ପିସ୍ତଲ, ୭ଟି ଜୀବନ୍ତ ଗୁଳି ଏବଂ ଗୋଟିଏ ବଲେରୋ ଗାଡ଼ି ଜବତ ହୋଇଛି।

ବିପଦରେ ଡେବ୍ରିଗଡ଼ ଅଭୟାରଣ୍ୟ
କାମ କରୁଛି ଅନ୍ତଃରାଜ୍ୟ ରାକେଟ୍‌
୨୬ ବଜ୍ରକାପ୍ତା କାତି, ୫ ଭାଲୁନଖ ଜବତ
ମୁଖ୍ୟ କାର୍ପଟଦାରକୁ ଚୋଟ ମାରିଲା ଅହିରାଜ

ଘଟଣାରୁ ଜଣାପଡ଼ିଛି, ଏହି ବନ୍ୟପ୍ରାଣୀ ଅଙ୍ଗପ୍ରତ୍ୟଙ୍ଗ କାରବାରର ମୁଖ୍ୟ କାର୍ପଟଦାର ହେଉଛି ଚନ୍ଦ୍ରଭାନୁ ନାୟକ। ସେ ନିଜକୁ ଜଣେ ବନ୍ୟପ୍ରାଣୀ ଫଟୋଗ୍ରାଫର ପରିଚୟ ଦେଇ ପୂର୍ବରୁ ସାପ ଏବଂ ଅନ୍ୟ ଜୀବଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗ ଚାଲାଣ ମାମଲାରେ ମଧ୍ୟ ଗିରଫ ହୋଇଥିଲା। ସମ୍ବରଧରା ପାଖରେ ସେ ଫାର୍ମହାଉସ୍‌ କରି ରହୁଥିଲା। ସେଠାରେ ସବୁ ଅନ୍ତଃରାଜ୍ୟ ଡିଲ୍‌ ଚାଲୁଥିଲା। ଜୀବନ୍ତ ଅହିରାଜ ପାଇଁ ଡିଲ୍‌ ଚାଲିଥିବା ଖବର ପାଇ ବନବିଭାଗ ଫାର୍ମହାଉସ୍‌ରେ ଚଢ଼ଉ କରିଥିଲା। ସେଠାରେ ପୂର୍ବରୁ ଅନ୍ୟ ୫ଜଣ ଜୀବଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗ ଚାଲାଣକାରୀ ବ୍ୟବସାୟୀ ଉପସ୍ଥିତ ଥିଲେ। ଯାଞ୍ଚ ବେଳେ ଚନ୍ଦ୍ରଭାନୁ ଅହିରାଜକୁ ଖସାଇ ଦେବାକୁ ଉଦ୍ୟମ କରୁଥିଲା। କିନ୍ତୁ ତାକୁ ହିଁ ଅହିରାଜ ଚୋଟ ମାରିଥିଲା। ତେବେ ଚନ୍ଦ୍ରଭାନୁର ଚିକିତ୍ସା ଚାଲିଥିବା ଏବଂ ସେ ସୁସ୍ଥ ଥିବା ଜଣାପଡ଼ିଛି। ଚନ୍ଦ୍ରଭାନୁର ଫାର୍ମହାଉସ୍‌ ସମେତ ଭଟଲି ଛକସ୍ଥିତ ଘରେ ବନବିଭାଗ ଚଢ଼ଉ କରି ଏହିସବୁ ଜୀବଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗ ଜବତ କରିଛି। ଭଟଲି ରେଞ୍ଜ ଅଫିସର୍‌ ସୁବଳ ସାହୁଙ୍କ ନେତୃତ୍ବରେ ଏହି ଚଢ଼ଉ କରାଯାଇଥିବା ଜଣାପଡ଼ିଛି।

ଏହା ପୂର୍ବରୁ ୨୦୨୨ରେ ଡେବ୍ରିଗଡ଼ ଅଭୟାରଣ୍ୟ ସଂଲଗ୍ନ ଖଜୁରିଆରୁ ୫ଜଣ ଶିକାରୀ ଗିରଫ ହୋଇଥିଲେ। ସେମାନଙ୍କଠାରୁ ବହୁସଂଖ୍ୟାରେ ସମ୍ବର ଶିଙ୍ଗ ଜବତ ହୋଇଥିଲା। ସୂଚନାଯୋଗ୍ୟ, ସେହି ଖଜୁରିଆ ଗାଁରେ ହିଁ ପୂର୍ବରୁ ଏକମାତ୍ର ମହାବଳ ବାଘକୁ ହତ୍ୟା କରି ପୋତା ଯାଇଥିଲା। ଜୁଲାଇ ୨୦୨୧ରେ ‘ଵାଇଲ୍ଡ ଲାଇଫ୍‌ କ୍ରାଇମ୍‌ ସେଲ୍‌ ଭଟଲି ବ୍ଲକ୍ ଅନ୍ତର୍ଗତ ୩ଟି ସ୍ଥାନରେ ଚଢ଼ଉ କରିଥିଲା। ସେଠାରୁ ବହୁମୂଲ୍ୟ ହାତୀଦାନ୍ତ, ଭାଲୁ ନଖ ଏବ˚ ବଜ୍ରକାପ୍ତା ଚମଡ଼ା ଜବତ ହୋଇଥିଲା। ସେତେବେଳେ ଏଥିରେ ଛତିଶଗଡ଼ର ୨ଜଣ ମାଫିଆ ସାମିଲ ଥିବା ଜଣାପଡ଼ି ଥିଲା। ଛତିଶଗଡ଼ି ମାଫିଆଙ୍କୁ ସ୍ଥାନୀୟ କିଛି ଶିକାରୀ ସହାୟତା କରୁଛନ୍ତି। ସ୍ଥାନୀୟ ଶିକାରୀଙ୍କୁ କିଛି ପାଉଣା ଦେଇ ଛତିଶଗଡ଼ି ମାଫିଆମାନେ ଲକ୍ଷାଧିକ ଟଙ୍କାରେ ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗ ବିକ୍ରି କରୁଥିବା ଜଣାପଡ଼ିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button