‘ଡ୍ରିମ୍ ଗାର୍ଲ ୨’ ପ୍ରଚାର ପାଇଁ ବଲିଉଡର ‘ପୂଜା’ମାନେ ଏକାଠି – Utkal Mail
ବହୁ ପ୍ରତୀକ୍ଷିତ ହାସ୍ୟରସାତ୍ମକ ହିନ୍ଦୀ ସିନେମା ‘ଡ୍ରିମ୍ ଗାର୍ଲ ୨’ ଆସନ୍ତା ୨୫ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ତାହା ପୂର୍ବରୁ ଏହାର ଟ୍ରେଲର ଲୋକାର୍ପିତ ହୋଇସାରିଛି। ପ୍ରଶଂସକଙ୍କ ପ୍ରାକ୍ ମନୋରଞ୍ଜନ ପାଇଁ ଦୁଇଟି ଗୀତ ‘ଦିଲ୍ କା ଟେଲିଫୋନ୍’ ଓ ‘ନାଚ୍’ ଉନ୍ମୋଚନ କରାଯାଇଛି। ସିନେମାଟିର ପ୍ରଚାର ପାଇଁ ପ୍ରଯୋଜନା ସଂସ୍ଥା ପ୍ରୟୋଗ କରିବାକୁ ଯାଉଥିବା ଏକ ଅଭିନବ କୌଶଳ ଏବେ ଚର୍ଚ୍ଚାର ବିଷୟ ହୋଇଛି। ୨୦୧୯ରେ ଭରପୂର ମନୋରଞ୍ଜନ ଯୋଗାଇଥିବା ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କ ‘ଡ୍ରିମ୍ ଗାର୍ଲ’ର ପରବର୍ତ୍ତୀ ଭାଗ ହେଉଛି ‘ଡ୍ରିମ୍ ଗାର୍ଲ ୨’। ଏଥିରେ ଆୟୁଷ୍ମାନ୍ଙ୍କୁ ‘ପୂଜା’ ନାମ୍ନୀ ଯୁବତୀ ଭୂମିକାରେ ଦେଖିବାକୁ ମିଳିବ। ‘ପୂଜା’ ଚରିତ୍ରଟି ସମ୍ପ୍ରତି ପ୍ରଶଂସକ ଓ ସମୀକ୍ଷକମାନଙ୍କ ପାଇଁ ରୋଚକ ପ୍ରସଙ୍ଗ ହୋଇଛି। ତେଣୁ ବଲିଉଡ୍ର ‘ପୂଜା’ ନାମ୍ନୀ ସମସ୍ତ ଅଗ୍ରଣୀ ଅଭିନେତ୍ରୀଙ୍କୁ ଏକାଠି କରି ଏକ ବଡ଼ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶୁଣିବାକୁ ମିଳିଛି।
ଏ ସମାବେଶରେ ସାମିଲ ହେବାକୁ ଥିବା ସମ୍ଭାବ୍ୟ ‘ପୂଜା’ମାନଙ୍କ ଭିତରେ ଅଛନ୍ତି ପୂଜା ହେଗ୍ଡ଼େ, ପୂଜା ବାତ୍ରା, ପୂଜା ଭଟ୍ଟ, ପୂଜା ଦୀକ୍ଷିତ ଓ ପୂଜା ଗୋର୍ ପ୍ରମୁଖ। ଏ ପ୍ରଚାର କାର୍ଯ୍ୟକ୍ରମକୁ ଅପୂର୍ବ ତଥା ଅନନ୍ୟ ଢଙ୍ଗରେ ଆୟୋଜନ କରାଯିବ।
ସୂଚନାଯୋଗ୍ୟ, ରାଜ ସାଣ୍ଡିଲ୍ୟଙ୍କ ଦ୍ବାରା ନିର୍ଦ୍ଦେଶିତ ଏବଂ ଏକତା କପୁର ଓ ଶୋଭା କପୁରଙ୍କ ଦ୍ବାରା ପ୍ରଯୋଜିତ ଏହି ହ୍ୟାସ୍ୟରସ ଫିଲ୍ମରେ ଆୟୁଷ୍ମାନ୍ ଖୁରାନା ଓ ଅନନ୍ୟା ପାଣ୍ଡେ ମୁଖ୍ୟ ଯୋଡ଼ି ଭାବେ ଦେଖାଦେବେ। ହାସ୍ୟରସକୁ ଆହୁରି ଊର୍ଦ୍ଧ୍ବକୁ ନେଇଯିବା ଲାଗି ସେମାନଙ୍କ ସହିତ ପରେଶ ରାୱଲ, ରାଜପାଲ ଯାଦବ, ଅସରାନୀ, ସୀମା ପହୱା, ବିଜୟ ରାଜ, ମନଜୋତ ସିଂହ, ଅଭିଷେକ ବାନାର୍ଜୀ, ରଞ୍ଜନ ରାଜ, ମନୋଜ ଯୋଶୀ ଓ ଅନୁ କପୁର ଆଦି କଳାକାର ଦେଖାଦେବେ।