ଗାଧୋଇବା ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ବୁଡ଼ି ଶ୍ରମିକଙ୍କ ମୃତ୍ୟୁ

କାମାକ୍ଷାନଗର,୦୬/୧୧: ବ୍ରାହ୍ମଣୀ ନଦୀରୁ ଜଣେ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଶ୍ରମିକ ଜଣକ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଝାମୁଣ୍ଡା ଗାଁର ଗୋବିନ୍ଦ ମୁଣ୍ଡା ବୋଲି ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କମର ଗ୍ରାମ ପାଖ ବ୍ରାହ୍ମଣୀ ନଦୀରୁ ମୃତଦେହ ଉଦ୍ଧାର ହୋଇଛି ।
ସୂଚନା ମୁତାବକ, ଗୋବିନ୍ଦ କଣ୍ଟାବଣିଆ ଥାନା ମାଣିଆବେଡା ଗାଁରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ ।
ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ନଦୀରେ ଭାସି ଯାଇଥିଲେ ଗୋବିନ୍ଦ । ଏହି ସମୟରେ ନଦୀ ପାଖରେ କେହି ଉପସ୍ଥିତ ନଥିବାରୁ ଏ ବିଷୟରେ କେହି ଜାଣି ପାରି ନଥିଲେ । ଫଳରେ ନଦୀର ଗଭୀର ପାଣିରେ ବୁଡ଼ି ଯୁବକ ଜଣକ ପ୍ରାଣ ହରାଇଥିଲେ । ପରେ ତାଙ୍କ ମୃତ ଶରୀର କମର ଗାଁ ନିକଟରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ ।
ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚିଥିଲା । ସେଠାରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏହା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।