ପ୍ୟାଣ୍ଟ୍ଦ୍ବାରା ଫାଶୀ ଲଗାଇ ଜେଲ୍ରେ ଜୀବନ ହାରିଲେ ଏୟାର୍ ହୋସ୍ଟେସ୍ ହତ୍ୟାକାରୀ – Utkal Mail
ମୁମ୍ବାଇ: ଏୟାର୍ ହୋସ୍ଟେସ୍ ରୁପାଲ ଓଗ୍ରେଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମୁମ୍ବାଇ ଜେଲ୍ରେ ଆତ୍ମହତ୍ୟା କରିଥିବା କଥା ଗୁରୁବାର ଦିନ ପୁଲିସ କହିଛି।
ରଖାଯାଇଥିବା ଜେଲ୍ ପ୍ରକୋଷ୍ଠ ମଧ୍ୟରେ ବିକ୍ରମ୍ ଅଟ୍ୱାଲ୍ ନାମକ ସେ ଅଭିଯୁକ୍ତ ନିଜ ପ୍ୟାଣ୍ଟ୍ଦ୍ବାରା ଫାଶୀ ଲଗାଇ ଜୀବନ ହରାଇଥିବା କଥା ସେମାନେ କହିଛନ୍ତି।
ସେପ୍ଟେମ୍ବର ୩ ତାରିଖ ଦିନ ଆନ୍ଧେରି ଉପନଗରୀ ଅନ୍ତର୍ଗତ ମାରୋଲ୍ସ୍ଥିତ ଏକ ଭଡ଼ା ଫ୍ଲାଟ୍ରେ ଛତିଶଗଡ଼ବାସିନୀ ରୁପାଲ୍ ଓଗ୍ରେଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା। ଏକ ଅଗ୍ରଣୀ ଘରୋଇ ଏୟାର୍ଲାଇନ୍ରେ ତାଲିମ ନେବା ପାଇଁ ସେ ଏପ୍ରିଲ୍ ମାସରେ ମୁମ୍ବାଇ ଆସିଥିବା ରୁପାଲ୍ଙ୍କ ତଣ୍ଟି କଟାଯାଇ ଥିଲା।
ଉକ୍ତ ‘ରେସିଡେନ୍ସିଆଲ୍ ସୋସାଇଟି’ରେ ବର୍ଷେରୁ ଅଧିକ ସମୟ ହେବ ‘ହାଉସ୍କିପିଙ୍ଗ୍’ କାର୍ଯ୍ୟ କରୁଥିବା ବିକ୍ରମ୍ ଅଟ୍ୱାଲ୍ଙ୍କୁ ସୋମବାର ଦିନ ଗିରଫ କରାଯାଇଥିଲା। ସେ ଅପରାଧ କରିଥିବା ସ୍ବୀକାର କରିଥିଲେ।

ପୁଲିସ କହିବା ଅନୁସାରେ, ସଫାସଫି କରିବା ବାହାନାରେ ଅଟ୍ୱାଲ୍ ଓଗ୍ରେଙ୍କ ବାସଭବନରେ ପଶି ତାଙ୍କ ସହିତ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ, ଓଗ୍ରେ ବାଧାଦେବାରୁ ଅଭିଯୁକ୍ତ ତାଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ବାଥ୍ରୁମ୍ରେ ଶବ ରଖି ଦେଇଥିଲେ। ତା’ପରେ ସେ ପୋଷାକ ବଦଳାଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ସେ ପଳାୟନ କରୁଥିବାର ଦୃଶ୍ୟ ‘ସିସିଟିଭି’ରେ ଉତ୍ତୋଳିତ ହୋଇଥିଲା।
ଫୋନ୍ ରିସିଭ୍ ନ କରିବାରୁ ଓଗ୍ରେଙ୍କ ସମ୍ପର୍କୀୟ ଭଉଣୀ ସେ ରହୁଥିବା ଫ୍ଲାଟ୍କୁ ଜଣେ ସାଙ୍ଗକୁ ପଠାଇଥିଲେ। ଜଣେ ତାଲାଚାବି ମରାମତିକାରୀଙ୍କ ସହାୟତାରେ ସେ ସାଙ୍ଗ ଫ୍ଲାଟ୍ର କବାଟ ଖୋଲି ଦେଖିଲେ ବାଥ୍ରୁମ୍ରେ ଓଗ୍ରେ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଛି।