ବୁମରାଙ୍କ ଚମତ୍କାର ପ୍ରତ୍ୟାବର୍ତନ: ଭାରତ ୨ ରନ୍ (ଡିଏଲ୍)ରେ ବିଜୟୀ – Utkal Mail
ଡବଲିନ୍: ଆୟର୍ଲାଣ୍ଡ୍ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତ ୨ ରନ୍ (ଡିଏଲ୍)ରେ ବିଜୟୀ ହୋଇଛି। ଅଧିନାୟକ ଯଶପ୍ରୀତ ବୁମରାଙ୍କ ଚମତ୍କାର ପ୍ରତ୍ୟାବର୍ତନ ସହିତ ଦଳ ୧-୦ରେ ଆଗୁଆ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୯ ରନ୍ କରିଥିଲା। ମ୍ୟାଚ୍ର ପ୍ରଥମ ଓଭରରେ ବୁମରା ୨ ୱିକେଟ୍ ଦଖଲ କରି ଅନ୍ତର୍ଜାତୀୟ କ୍ରିକେଟ୍କୁ ୧୧ ମାସ ପରେ ପ୍ରତ୍ୟାବର୍ତନ କରିଥିଲେ। ପରବର୍ତୀ ୨ ଓଭରରେ ବୁମରା ୱିକେଟ୍ ପାଇନଥିଲେ ମଧ୍ୟ ୪-୦-୨୪-୨ ଚିତ୍ର ପାଇଥିଲେ। ବୁମରାଙ୍କ ଭଳି ଅନ୍ୟତମ ପ୍ରତ୍ୟାବର୍ତନକାରୀ ପ୍ରସିଦ୍ଧ କୃଷ୍ଣ ମଧ୍ୟ ୨ ୱିକେଟ୍ ଅକ୍ତିଆର କରିଥିଲେ। କିନ୍ତୁ ତାଙ୍କ ୪ ଓଭରରେ ୩୨ ରନ୍ ବ୍ୟୟ କରିଥିଲେ। ସ୍ପିନର୍ ରବି ବିଷ୍ଣୋଇ ମଧ୍ୟ ୨ ୱିକେଟ୍ ଅକ୍ତିଆର କରିଥିଲେ। ଘରୋଇ ଦଳ ଏକଦା ୩୧ ରନ୍ରେ ୫ ୱିକେଟ୍ ହରାଇଥିବାବେଳେ କର୍ଟିସ୍ କାମ୍ପର୍ (୩୯, ୩୩ ବଲ୍) ଏବଂ ବାରି ମ୍ୟାକ୍ର୍ଥି (୩୩ ବଲ୍ରୁ ୫୧* ରନ୍)ଙ୍କ ଦ୍ରୁତ ବ୍ୟାଟିଂ କାରଣରୁ ଆୟର୍ଲାଣ୍ଡ୍ ୧୩୯ ରନ୍ର ଲଢ଼ୁଆ ସ୍କୋର୍ କରିଥିଲା।
ଜବାବରେ ଭାରତ ପାଇଁ ଦୁଇ ଯୁବ ତାରକା ଯଶସ୍ବୀ ଜୟସ୍ବାଲ୍ (୨୩ ବଲ୍ରୁ ୨୪ ରନ୍) ଏବଂ ଋତୁରାଜ ଗାଏକ୍ବାଡ (୧୬ ବଲ୍ରୁ ୧୯* ରନ୍) ପ୍ରଥମ ୱିକେଟ୍ ପାଇଁ ୪୬ ରନ୍ ସଂଗ୍ରହ କରିଥିଲେ। କ୍ରେଗ୍ ୟଙ୍ଗଙ୍କ ପ୍ରଥମ ଓଭର ଲଗାତାର ବଲ୍ରେ ଜୟସ୍ବାଲ ଏବଂ ତିଳକ ବର୍ମା (୦) ଆଉଟ୍ ହୋଇଯାଇଥିଲେ। ଭାରତ ୬.୫ ଓଭରରେ ୪୭/୨ରେ ଥିବାବେଳେ ବର୍ଷା କାରଣରୁ ମ୍ୟାଚ୍ ଆଉ ସମ୍ଭବ ହୋଇନଥିଲା। ଫଳରେ ଡିଏଲ୍ରେ ବୁମରାଙ୍କ ଦଳ ବିଜୟୀ ହୋଇଥିଲା। ପ୍ରସିଦ୍ଧ କୃଷ୍ଣ ଏବଂ ରିଙ୍କୁ ସିଂହ ପଦାର୍ପଣ ସୁଯୋଗ ପାଇଥିଲେ। ରିଙ୍କୁଙ୍କୁ କିନ୍ତୁ ବ୍ୟାଟିଂ ସୁଯୋଗ ମିଳିନଥିଲ। ପ୍ରତ୍ୟାବର୍ତନ ମ୍ୟାଚ୍ରେ ବୁମରା ମଧ୍ୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।