ଓଡିଶା

ଦୁଇ ନାବାଳିକାଙ୍କୁ ଘୋଷାଡ଼ିନେଲା ଟ୍ରେଲର୍‌, ୧ ମୃତ

ରାଉରକେଲା: ରାସ୍ତା ଠାରୁ ଢେର୍ ଦୂରରେ ଛିଡ଼ା ହୋଇଥିଲେ ଦୁଇ ନାବାଳିକା। ମାତ୍ରାଧିକ ବେଗରେ ଆସୁଥିବା ଟ୍ରଲର୍ ଉଭୟଙ୍କୁ ଧକ୍କା ଦେବାସହ ଘୋଷାଡ଼ି ନେଇଥିଲା। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ନାବାଳିକାଙ୍କ ଅକାଳ ବିୟୋଗ ଘଟିଛି। ମୃତକ ହେଉଛନ୍ତି ସ୍ଥାନୀୟ ରୁପୁଟୋଲାର ସରସ୍ବତୀ ମହାପାତ୍ର ଓରଫ୍ ଝରଣା(୧୬)।

ଅନ୍ୟତମ ଆହତ ବର୍ଷା ପ୍ରଧାନ(୧୬) ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ରବିବାର ଅପରାହ୍ନ ପ୍ରାୟ ୫ଟା। ରୁପୁଟୋଲା ଅଞ୍ଚଳର ଦୁଇ ବାନ୍ଧବୀ ସରସ୍ବତୀ ଓ ବର୍ଷା ଏକ ସ୍କୁଟି (ଓଡି-୧୪ଭି-୭୪୪୭) ହକି ଛକ ଆଡ଼କୁ ଯିବାକୁ ବାହାରିଥିଲେ। ଉଭୟେ ଜାତୀୟ ରାଜପଥ ନଂ ୧୪୩ ପାର୍ ହୋଇ ହକି ଛକ ପଟକୁ ଆସିଥାନ୍ତେ। ତେବେ ଉକ୍ତ ରାସ୍ତାରେ ଭାରୀଯାନ ଚଳାଚଳ କରୁଥିବାରୁ ସେମାନେ ରୁପୁଟୋଲାଠାରେ କିଛି ସମୟ ଅପେକ୍ଷା କରିଥିଲେ। ସୁରକ୍ଷା ପାଇଁ ଉଭୟେ ରାସ୍ତାରୁ ଢେର୍ ଦୂରରେ ରହିଥିଲେ। ଏତିକିବେଳେ ତରକେରାରୁ ନୂଆ ବ୍ରାହ୍ମଣୀ ପୋଲ ପଟକୁ ଯାଉଥିବା ଏକ ଟ୍ରଲର୍(ଓଡି-୧୪-ଏମ୍-୭୭୦୫) ସେମାନଙ୍କୁ ଧକ୍କା ଦେଇଥିଲା। ଦ୍ରୁତଗତିରେ ଥିବାରୁ ପାଖାପାଖି ଶହେ ମିଟର ଘୋଷାଡ଼ି ନେଇଥିଲା। ଫଳରେ ଉଭୟେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟଲୋକ ଆହତଙ୍କୁ ଏକ ବେସରକାରୀ ହସ୍ପିଟାଲକୁ ନେଇଥିଲେ। ଚିକିତ୍ସାଧୀନ ସମୟରେ ସରସ୍ବତୀଙ୍କ ମୃତ୍ୟୁ ହୋଇଥିଲା। ଭାରୀଯାନ ଚାଳକଙ୍କ ବେପରୁଆ ଗାଡ଼ିଚାଳନାକୁ ପ୍ରତିବାଦକରି ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲେ। ଦୀର୍ଘ ସମୟଧରି ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ପରେ ପୁଲିସ ବୁଝାସୁଝା କରିବାରୁ ମାମଲା ଶାନ୍ତ ପଡ଼ିଥିଲା। ରଘୁନାଥପାଲି ପୁଲିସ ଚାଳକକୁ ଅଟକ ରଖିଥିବାବେଳେ ଟ୍ରଲର୍କୁ ଜବତ କରିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button