ଜୀବନଶୈଳୀ

ସ୍ବାମୀଙ୍କୁ ହରାଇ ରାଜଧାନୀରେ ପିଲାକୁ ଧରି ଏଣେତେଣେ ବୁଲୁଛନ୍ତି ଏ ମହିଳା

ହାଡ଼ ଭଙ୍ଗା ଶୀତ ରାତିରେ ଥରହର ଜନଜୀବନ l ଆଉ ସେହି ଶୀତର ପ୍ରକୋପକୁ ଆଡେଇ ମାଆଟିଏ ନିଜ ପିନ୍ଧା ଲୁଗା କାନି ଦେହରେ ଅଳ୍ପ ଢାଙ୍କି ହୋଇ ବଜ଼ାର ଛକର ରାସ୍ତା କଡରେ ବସିଥାଏ l ସାମ୍ନାରେ ଥୁଆ ହୋଇଥାଏ କିଛି ପନିପରିବା l ଟମାଟୋ ମୂଳା, ଶାଗ ଅନ୍ୟାନ୍ୟ ପନିପରିବା l ମା କୋଳରେ ବସି ପୁଅ ପଢୁଥାଏ ପାଠ ଆଉ ବେଳେ ବେଳେ ଏଣେତେଣେ ଚାହୁଁଥାଏ l

କିଛି ସମୟରେ ମା’ ପୁଅଟିକୁ ନିକଟରେ ପଡିଥିବା ଟେବୁଲ ତଳକୁ ପଠାଇ ଦେଲା କାହିଁକି ନା ଉପରୁ ଶୀତୁଆ କାକର ପଡୁଛି l ପିଲାଟି ଏହି ଟେବୁଲ ତଳେ ବସି ପଡୁଥାଏ ଆଉ ମଶା ଖାଇ ଦେଉଥିବା ଜାଗାକୁ ହାତରେ ଆଡେଇ ଦେଉଥାଏ l ଏତେ ମଶା ତଥାପି ସେ କଥାକୁ ଖାତିର ନାହିଁ l କଣ ସବୁ ପଢି ଯାଉଥାଏ ଆଉ ଲେଖୁଥାଏ l ପୁଅଟିକୁ ଦେଖି ମା ଆଖିରେ ଲୁହ ଜକେଇ ଆସୁଥାଏ l ନିଜ ଛୋଟ ପୁଅଟିକୁ କୋଳକୁ ଟାଣି ଆଣି ସ୍ନେହ କରି ପକାଉଥାଏ l ଏ ଦୁଃଖ ଭରା ଦୃଶ୍ୟ ଦେଖିଲାରୁ ଆଖି ଓଦା ହୋଇଯାଉଥାଏ l ହେଲେ ଏ ମହିଳା ଜଣକ କିଏ ? ଆଉ ଛୋଟ ପୁଅଟିକୁ ଧରି ଏମିତି ଶୀତ କାକରରେ ଏମିତି ସଂଘର୍ଷ କରୁଛନ୍ତି ଆସନ୍ତୁ ଜାଣିବା l

ମହିଳା ଜଣକ ହେଉଛନ୍ତି ରୁନୁ l ତାଙ୍କ ଘର ବାଲେଶ୍ୱରରେ l ସେ ଭଲପାଇ ସ୍ୱାମୀ ହାତ ଧରି ଘରୁ ପଳାଇ ଆସିଥିଲେ l ବିଭିନ୍ନ ସ୍ଥାନ ବୁଲି ବୁଲି ଭୁବନେଶ୍ୱର ପହଞ୍ଚିଲେ l ବାଲି ସିମେଣ୍ଟ କାମ କରି ସ୍ୱାମୀ ସହିତ ଜୀବନ ବଞ୍ଚିଲେ l ହେଲେ ତାଙ୍କର ଏ ହସଖୁସିର ସଂସାରରେ ଲାଗିଗଲା କାହାର ନଜର । ସ୍ୱାମୀ ଦୁର୍ଘଟଣାରେ ଶିକାର ହୋଇ କତରା ଲଗା ହେଲେ l ତେଣୁ ଭିକ ମାଗିବାକୁ ବାହାରିଲେ ସ୍ତ୍ରୀ । ଲୋକଙ୍କ ଗଞ୍ଜଣା ଲୋଲୁପ ଦୃଷ୍ଟିର ଘାତ ପ୍ରତି ଘାତ ଭିତରେ ଦୀର୍ଘ ତିନିବର୍ଷ ଭିକ ମାଗି ସ୍ୱାମୀର ଚିକିତ୍ସା କରାଇଲେ l କିନ୍ତୁ କିଛି ଲାଭ ହେଲାନି । ଅନେକ ଚିକିତ୍ସା ପରେ ଶେଷରେ ସ୍ୱାମୀ ଚାଲିଗଲେ ଆରପାରିକୁ । କୋଳରେ ଏହି ଛୋଟ ପୁଅଟିକୁ ନେଇ ବାର ଦୁଆର ହେଉଥିଲେ l ଆଉ ଦୁର୍ଗାପୂଜା ସମିତିର ବାବୁମାନେ ଆଜି ଏଇଠି ପରିବା ଗଣ୍ଡେ ଥମେଇ ବସାଇ ଦେଇଛନ୍ତି l

ଲୁହ ଯାହାର ଜୀବନ ସାଥୀ ଆଉ ଦୁଃଖ ଯାହାପାଇଁ ଆପଣାର ବନ୍ଧୁ… ସେହି ମଣିଷ କାହାଣୀ ବେଳେ ପରଦାରେ ଜାଗା ହୁଏନି l ଆପଣ ମାନଙ୍କର ସାହାଯ୍ୟ ଏହି ଅସହାୟ ବେସାହାରାଙ୍କ ପାଇଁ କୁଟା ଖିଅ ଭରଷା । ଆପଣଙ୍କ ସାହାଯ୍ୟ କୁନି ପିଲାର ଭବିଷ୍ୟତ ସଜାଡି ପାରିବ । ସେ ପାଠ ପଢ଼ି ପୋଲିସ ହେବାର ଯେଉଁ ସ୍ବପ୍ନ ଦେଖିଛି ତାକୁ ପୁରା କରିପାରିବ l

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button