ମୋଦୀ-ଟ୍ରୁଡୁ ଆଲୋଚନା: କାନାଡ଼ାରେ ଭାରତ ବିରୋଧୀ କାର୍ଯ୍ୟକଳାପ ନେଇ ଚିନ୍ତାବ୍ୟକ୍ତ କଲେ ମୋଦୀ – Utkal Mail
ନୂଆଦିଲ୍ଲୀ: ଜି ୨୦ ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଆସିଥିବା କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହି ସମୟରେ କାନାଡ଼ାରେ ବିଚ୍ଛିନ୍ନତାବାଦୀ ତତ୍ତ୍ବଙ୍କ ଦ୍ବାରା ଚାଲିଥିବା ଭାରତ ବିରୋଧୀ କାର୍ଯ୍ୟକଳାପ ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା କରିବା ସହିତ ଅସନ୍ତୋଷ ଜଣାଇଥିଲେ। ଏଭଳି ତତ୍ତ୍ବ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ କରୁଛନ୍ତି ଏବଂ ହିଂସାକୁ ଉସ୍କାଉଛନ୍ତି। ଭାରତୀୟ କୂଟନୀତିଜ୍ଞ ଏବଂ ସେମାନଙ୍କ କାର୍ଯ୍ୟାଳୟକୁ କ୍ଷତି ପହଞ୍ଚାଉଛନ୍ତି। କାନାଡ଼ାରେ ବାସ କରୁଥିବା ଭାରତୀୟ ଲୋକଙ୍କୁ ଧମକାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ କୁହାଯାଇଛି।
ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ କହିଥିଲେ, ଭାରତ-କାନାଡ଼ା ସଂପର୍କ ଗଣତାନ୍ତ୍ରିକ ମୂଲ୍ୟବୋଧ, ଦେଶର ଆଇନକୁ ସମ୍ମାନ ଏବଂ ଲୋକଙ୍କ ମଧ୍ୟରେ ଦୃଢ଼ ସଂପର୍କ ଉପରେ ପର୍ଯ୍ୟବସିତ। କାନାଡ଼ାରେ ଭାରତ ବିରୋଧୀ କାର୍ଯ୍ୟକଳାପ ଦୃଷ୍ଟିରୁ ପିଏମଓ ପକ୍ଷରୁ କୁହାଯାଇଛି, ଏଭଳି ବିଚ୍ଛିନ୍ନତାବାଦୀ ଶକ୍ତି ସଂଗଠିତ ଅପରାଧୀ, ଡ୍ରଗ୍ ସିଣ୍ଡିକେଟ୍, ମାନବ ଚୋରାଚାଲାଣ ଗୋଷ୍ଠୀଙ୍କ ସହିତ ସଂପର୍କରେ ରହିବା ଚିନ୍ତାର ବିଷୟ । ଏସବୁ ବିପଦର ମୁକାବିଲା କରିବା ଦୁଇ ଦେଶ ପାଇଁ ଅତ୍ୟନ୍ତ ଜରୁରୀ। ଭାରତର ଜି ୨୦ ସଭାପତିତ୍ବର ସଫଳତା ପାଇଁ ଟ୍ରୁଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଖଲିସ୍ତାନ ବିଚ୍ଛିନ୍ନତାବାଦ ଏବଂ ବିଦେଶ ହସ୍ତକ୍ଷେପ ସଂପର୍କରେ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ଟ୍ରୁଡୁ କହିଥିଲେ କାନାଡ଼ା ସର୍ବଦା ଶାନ୍ତିପୂର୍ଣ୍ଣ ପ୍ରତିବାଦ, ବାକ୍ ସ୍ବାଧୀନତାକୁ ସମର୍ଥନ କରିବ। କିନ୍ତୁ ଅନ୍ୟପକ୍ଷରେ ଦେଶ ହିଂସା ଏବଂ ଘୃଣାକୁ ମଧ୍ୟ ରୋକିବ। ଗୋଟିଏ ଗୋଷ୍ଠୀର କିଛି ଲୋକଙ୍କ ଦ୍ବାରା ସୃଷ୍ଟ ସମସ୍ୟା ସମଗ୍ର ଗୋଷ୍ଠୀ କିମ୍ବା କାନାଡ଼ାକୁ ପ୍ରତିନିଧିତ୍ବ କରେନାହିଁ ବୋଲି ଟ୍ରୁଡୁ କହିଥିଲେ।