ଦେଶ ବିଦେଶ

‘ଏୟାର୍‌ ହସ୍‌ଟେସ୍‌’ ଗରମ ଚକ୍‌ଲେଟ୍‌ ଢାଳି ଦେବାରୁ ପୋଡ଼ିଗଲା ୧୦ ବର୍ଷୀୟ ଝିଅର ଗୋଡ଼ – Utkal Mail


ନୂଆଦିଲ୍ଲୀ: ‘ଏୟାର୍‌ ଭିସ୍ତାରା’ ବିମାନରେ ଦିଲ୍ଲୀରୁ ଫ୍ରାଙ୍କ୍‌ଫଟ୍‌ ଯାତ୍ରା କରୁଥିବା ବେଳେ ‘ଏୟାର୍‌ ହସ୍‌ଟେସ୍‌’ଙ୍କ ହାତରୁ ଗରମ ଚକ୍‌ଲେଟ୍‌ ଢାଳି ହୋଇଯିବାରୁ ଜଣେ ୧୦ ବର୍ଷୀୟ ବାଳିକାର ବାମ ଗୋଡ଼ ‌ପୋଡ଼ିଯାଇଥିବା କଥା ତା’ର ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅଗଷ୍ଟ ୧୧ ତାରିଖ ଦିନ ଘଟିଥିବା ଏହି ଘଟଣା ଲାଗି ‘ଏୟାର୍‌ଲାଇନ୍‌’ କ୍ଷମା ପ୍ରାର୍ଥନା କରିନାହିଁ କି, ଝିଅଟିର ଚିକିତ୍ସା ବାବଦ ଖର୍ଚ୍ଚ ଦେଇ ନାହିଁ ବୋଲି ସେମାନେ କହିଛନ୍ତି।

ଝିଅ ତାରାର ବାପା ରତନ ଗୁପ୍ତା ମଧ୍ୟ କହିଛନ୍ତି ଯେ, ଉପରୋକ୍ତ ଅଘଟଣ ଯୋଗୁଁ ସେ ଲିସ୍‌ବନ୍‌କୁ ସଂଯୋଗ କରୁଥିବା ବିମାନରେ ଯାତ୍ରା କରିପାରି ନ ଥିଲେ। ସେ କହିଛନ୍ତି, ପାରାମେଡିକ୍‌ମାନେ ତାରାର ପ୍ରାଥମିକ ଚିକିତ୍ସା କରିଥିଲେ ଓ ଏୟାର୍‌ଲାଇନ୍‌ ଆମ୍ବୁଲାନ୍ସ୍‌ ବ୍ୟବସ୍ଥା କରିଦେଇଥିଲେ। କିନ୍ତୁ, ଅଘଟଣ ପାଇଁ କ୍ଷମା ମାଗି ନ ଥିଲେ କି, ଚିକିତ୍ସା ଖର୍ଚ୍ଚ ଦେଇ ନ ଥିଲେ।

Image Courtesy of India Today

ଝିଅର ମାଆ ଶ୍ରୀମତୀ ଗୁପ୍ତା ‘ଏକ୍ସ୍‌’ (ଟୁଇଟ୍‌) କରି ଲେଖିଛନ୍ତି: ‘ଏୟାର୍‌ ଭିସ୍ତାରା’ର ଏୟାର୍‌ ହସ୍‌ଟେସ୍‌ ଫ୍ରାଙ୍କ୍‌ଫଟ୍‌ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ୧୦ ବର୍ଷୀୟ ଝିଅର ଗୋଡ଼ ପୋଡ଼ି ପକାଇଛନ୍ତି। କିନ୍ତୁ, ଏହି ଅଘଟଣ ପ୍ରତି ଏୟାର୍‌ଲାଇନ୍‌ ଖାମ୍‌ଖିଆଲି ମନୋଭାବ ପୋଷଣ କରିଛି। ‘ଭିସ୍ତାରା’ର ସେ ‘ହସ୍‌ଟେସ୍‌’ କ୍ଷମା ମାଗିଲେ ନାହିଁକି, କ୍ୟାପ୍‌ଟେନ୍‌ ଅଥବା କ୍ରୁ’ ମେମ୍ବର୍‌ମାନେ ବି କ୍ଷମା ମାଗିଲେ ନାହିଁ। ଓଲଟି ସେମାନେ ବୁଝି ଦେଇଥିବା ଆମ୍ବୁଲାନ୍ସ୍‌ ବାବଦକୁ ଆମକୁ ୫୦୩ ‘ୟୁରୋ’ (ଟଙ୍କା) ଦେବାକୁ ପଡ଼ିଲା। ଅଘଟଣ ଯୋଗୁଁ ବିଳମ୍ବ ହେବାରୁ ଆମେ ଲିସ୍‌ବନ୍‌ ଯାଉଥିବା ବିମାନରେ ଯାତ୍ରା କରିପାରିଲୁ ନାହିଁ। ସେଥିପାଇଁ, ଭିସ୍ତାରା ଏୟାର୍‌ଲାଇନ୍‌ ବିକଳ୍ପ ବିମାନ ବ୍ୟବସ୍ଥା ମଧ୍ୟ କଲେନାହିଁ।

ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ‘ଭିସ୍ତାରା ଏୟାର୍‌ଲାଇନ୍‌’ କହିଛି, ଅଗଷ୍ଟ ୧୧ ତାରିଖ ଦିନ ଦିଲ୍ଲୀରୁ ଫ୍ରାଙ୍କ୍‌ଫଟ୍‌ ଯାଉଥିବା ‘ୟୁକେ୨୫’ ବିମାନରେ ଦୁଃଖଦ ଘଟଣା ଘଟିଥିବା ଆମେ ସୁନିଶ୍ଚିତ କରୁଛୁ। ଗରମ ପାନୀୟ ପଡ଼ିଯିବାରୁ ଜଣେ ପିଲା ଆହତ ‌ହୋଇଛି। ସେ ପିଲାର ବାପାମାଆଙ୍କ ଅନୁରୋଧକ୍ରମେ ଆମ କ୍ୟାବିନ୍‌ କ୍ରୁ’ ସେ ପିଲାକୁ ଗରମ ଚକ୍‌ଲେଟ୍‌ ଦେଉଥିଲେ। ସେତିକିବେଳେ ପିଲାଟି ଅସ୍ଥିର ହେବାରୁ ଗରମ ପାଣି ଚହଲି ଯାଇ ତା’ ଉପରେ ଢାଳି ହୋଇଯାଇଥିଲା।

ସେବେଠାରୁ ଆମ ଟିମ୍‌ ସେମାନଙ୍କ ସହିତ ଯୋଗାଯୋଗ ରଖିଛି। ଆମେ ସେମାନଙ୍କ ଭାରତ ପ୍ରତ୍ୟାବର୍ତ୍ତନ ବ୍ୟବସ୍ଥା କରିଦେଇଛୁ। ପିଲାର ଚିକିତ୍ସା ନିମନ୍ତେ ଖର୍ଚ୍ଚ ହୋଇଥିବା ଅର୍ଥ ମଧ୍ୟ ଭରଣା କରିବୁ ବୋଲି ଉକ୍ତ ବିବୃତିରେ ଉଲ୍ଲେଖ ଅଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button