ମହଙ୍ଗା ପଡ଼ିଲା ଅବୈଧ ପ୍ରେମ, ମୋମୋ ଖାଇବାକୁ ଡାକି ମହିଳାଙ୍କ ଜୀବନ ନେଲା ପ୍ରେମିକ

ଅନୈତିକ ସମ୍ପର୍କର କରୁଣ ପରିଣତି । ବିବାହିତ ଯୁବକଙ୍କୁ ଭଲ ପାଇ ବାହା ହେବାକୁ ଜିଦ୍ କରୁଥିଲେ ଜଣେ ମହିଳା । କିନ୍ତୁ ମହିଳାଙ୍କ ଅନୁରୋଧକୁ ପ୍ରତ୍ୟାଖାନ୍ କରିଥିଲା ଅଭିଯୁକ୍ତ । ଶେଷରେ ମହିଳାଙ୍କ ଜୀବନ ନେବାକୁ ବି ପଛାଇଲାନି । ମୋମୋ ଖାଇବାକୁ ଡାକିଲା ଆଉ ନିଛାଟିଆ ଖେଳ ପଡ଼ିଆରେ ମାରିଦେଲା ।
ଡିସେମ୍ବର ୮ ତାରିଖ ସୋମବାର ସକାଳେ ଛତିଶଗଡ଼ ଦୁର୍ଗ ଜିଲ୍ଲାର ଉଟାଇ ଥାନା ଅଞ୍ଚଳର ପୁରାଇ ଗାଁରୁ ଏଭଳି ଏକ ଚାଞ୍ଚଲ୍ୟ ଖବର ସାମ୍ନାକୁ ଆସିଥିଲା । ଗାଁ ନିକଟରେ ଥିବା ଏକ ଖେଳ ପଡ଼ିଆରୁ ଉଦ୍ଧାର ହୋଇଥିଲା ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପରେ ଆରମ୍ଭ ହୋଇଥିଲା ତଦନ୍ତ । ପ୍ରାରମ୍ଭିକ ତଦନ୍ତରେ ମହିଳାଙ୍କର ପରିଚୟ ମିଳିଲା ନାହିଁ । ପରିଚୟ ଲୁଚାଇବା ପାଇଁ ମୃତଦେହକୁ ପୋଡ଼ି ଦେବାକୁ ଚେଷ୍ଟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିଲା । SSP ବିଜୟ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ରାତାରାତି ଛଅଟି ସ୍ୱତନ୍ତ୍ର ଦଳ ମାମଲାର ତଦନ୍ତ କରିଥିଲେ । ତଦନ୍ତ ବେଳେ ସୁରାକ ପାଇ ଜଣେ ବ୍ୟକ୍ତିଙ୍କୁ ଧରିଥିଲା ପୋଲିସ । ବ୍ୟକ୍ତିଙ୍କ ନାଁ ହେଉଛି ବିଜୟ ବାନ୍ଧେ ।
ବିଜୟ ହିଁ ନିଜ ମହିଳା ସହକର୍ମୀ ଉର୍ମିଳା ନିଶାଦ ନିଖୋଜ ଥିବା ନେଇ ସୁପେଲା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ତା ପରେ ସନ୍ଦେହ ଘେରକୁ ଆସିଥିଲେ ବିଜୟ । ମୃତକ ହେଉଛନ୍ତି ସୁପେଲା ଅଞ୍ଚଳର ୩୦ ବର୍ଷିୟ ଉର୍ମିଳା ନିଶାଦ । ହଠାତ ଉର୍ମିଳା ନିଖୋଜ ହେବା ଆଉ ଖେଳ ପଡ଼ିଆରେ ତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହେବା ଘଟଣାକୁ ନେଇ ପୋଲିସ ବିଜୟଙ୍କୁ ହିଁ ସନ୍ଦେହ କରିଥିଲା ।
ବିଜୟଙ୍କୁ ପଚରାଉଚରା ପାଇଁ ଡାକିଥିଲା ପୋଲିସ । କିନ୍ତୁ ପୋଲିସ ଆଗରେ ବାରମ୍ବାର ବୟାନ ବଦଳାଉଥିଲା ବିଜୟ । ଶେଷରେ ଟେକନିକାଲ୍ ଟିମ୍ ବିଜୟର ମୋବାଇଲ୍ ଲୋକେସନ୍ କୁ ଟ୍ରାକ୍ କରିଥିଲା । ଆଉ ପଚରାଉଚରା ସମୟରେ ପୋଲିସର ଚାପ ବଢ଼ିବାରୁ ସତ ମାନିବାକୁ ବାଧ୍ୟ ହୋଇଥିଲା ବିଜୟ । ଶେଷରେ ଉର୍ମିଳାଙ୍କୁ କେମିତି ମାରିଥିଲା ଖୋଲି କହିଥିଲା ।
ବିଜୟ କ୍ୟାଟରିଂରେ କାମ କରେ । ଉର୍ମିଲା ମଧ୍ୟ ଗତ କିଛି ବର୍ଷ ଧରି ବିଜୟଙ୍କ ସହ କାମ କରୁଥିଲେ । ଏକାଠି କାମ କରିବା ସମୟରେ ଦୁହେଁ ନିକଟତର ହେଲେ । ଆଉ ଧୀରେ ଧୀରେ ପ୍ରେମ କରି ବସିଲେ ଉଭୟ । କିନ୍ତୁ ବିଜୟ ବିବାହିତ ଥିଲେ ଏବଂ ତାଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ । ଏହା ସତ୍ତ୍ୱେ ଉର୍ମିଲା ବିଜୟଙ୍କୁ ବାହା ହେବା ପାଇଁ ଜିଦ୍ ଧରିଥିଲେ । ଏନେଇ ଦୁହିଁଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହୋଇଥିଲା । ଆଉ ରାଗରେ ଉର୍ମିଳାଙ୍କୁ ଶେଷ କରିବା ପାଇଁ ପ୍ଲାନ୍ କରିଥିଲା ବିଜୟ ।
ମୋମୋ ଖାଇବା ବାହାନାରେ ଉର୍ମିଲାଙ୍କୁ ବାଇକରେ ବସାଇ ବିଜୟ ଏକ ନିଛାଟିଆ ଜାଗାକୁ ନେଇଥିଲା । ରାସ୍ତାରେ ମୋମୋ ଏବଂ ପକୋଡା ଧରାଇ ଏକ ନିର୍ଜନ ଖେଳ ପଡ଼ିଆକୁ ନେଇ ଉର୍ମିଲାଙ୍କୁ ଆକ୍ରମଣ କରିଥିଲା ବିଜୟ । ଏକ ମାରଣାସ୍ତ୍ରରେ ଉର୍ମିଳାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଆକ୍ରମଣ କରିଥିଲା । ପରେ ଏକ ବୋତଲରେ ଆଣିଥିବା ପେଟ୍ରୋଲକୁ ଉର୍ମିଳାଙ୍କ ଶରୀର ଉପରେ ଢାଳି ନିଆଁ ଲଗାଇ ଦେଲା ବିଜୟ ।
ପରଦିନ ସକାଳେ ବିଜୟ ସୁପେଲା ପୋଲିସ ଷ୍ଟେସନକୁ ଯାଇ ଉର୍ମିଳାଙ୍କ ନିଖୋଜ ଅଭିଯୋଗ ଦେଇଥିଲା । ନିଜ ଉପରୁ ସନ୍ଦେହ ଦୂର କରିବା ପାଇଁ ଏମିତି ପ୍ଲାନ୍ କରିଥିଲା ବିଜୟ । କିନ୍ତୁ ସତ ଉପରୁ ପରଦା ହଟାଇଲା ପୋଲିସ । ପଚରାଉଚରା ସମୟରେ ବିଜୟର ମିଛ ବୟାନ, ମୋବାଇଲ୍ ଲୋକେସନ୍ ଏବଂ ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ଆଧାରରେ ପୋଲିସ ବିଜୟକୁ ଧରିଥିଲା । ଶେଷରେ ବିଜୟ ସ୍ୱୀକାର କରିଥିଲା ଯେ ସେ ଉର୍ମିଳାଙ୍କୁ ହତ୍ୟା କରିଛି । ଘଟଣାକୁ କେନ୍ଦ୍ରକରି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।



