ସ୍ୱାସ୍ଥ୍ୟ

ଜାଣନ୍ତୁ ଗର୍ଭାବସ୍ଥାରେ କେମିତି କରିବେ ଉଚ୍ଚ ରକ୍ତଚାପ ପରୀକ୍ଷା

ହାଇପର୍‌ଟେନ୍‌ସନ୍ ବା ଉଚ୍ଚ ରକ୍ତଚାପ ହେଉଛି ଏଭଳି ଏକ ଶାରୀରିକ ଅବସ୍ଥା ଯେଉଁଥିରେ ରକ୍ତ ସଂଚାଳନ କରୁଥିବା ଧମନୀଗୁଡ଼ିକର ପାର୍ଶ୍ବଭାଗରେ ରକ୍ତ ଅଧିକ ବଳ ପକାଇଥାଏ। ଏହି ଅବସ୍ଥା ହୃଦ୍‌ଘାତ ଓ ମସ୍ତିଷ୍କଘାତ ପରି ସ୍ବାସ୍ଥ୍ୟ ସଂକଟ ଆଣିଥାଏ। ଗର୍ଭାବସ୍ଥା ବେଳେ ମହିଳାମାନଙ୍କ ଠାରେ ହାଇପର୍‌ଟେନ୍‌ସନ୍ ଦେଖାଦେବାର ଆଶଙ୍କା ଅଧିକ ଥାଏ, ଯାହାକୁ ପ୍ରିକ୍ଲାମ୍ପ୍‌ସିଆ ବା ଜେଷ୍ଟେସନାଲ ହାଇପର୍‌ଟେନ୍‌ସନ୍ କୁହାଯାଏ। ଏହାର ସୁପରିଚାଳନା ନକଲେ ତାହା ଉଭୟ ଗର୍ଭବତୀ ଓ ଗର୍ଭସ୍ଥ ଭ୍ରୂଣ ପ୍ରତି ବିପଦ ସୃଷ୍ଟି କରିପାରେ। ପ୍ରିକ୍ଲାମ୍ପ୍‌ସିଆ ଦେଖାଦେଲେ କିପରି ଏକ ନିରାପଦ ତଥା ସୁସ୍ଥ ଗର୍ଭଧାରଣ ସହ କୌଣସି ପ୍ରକାର ସ୍ବାସ୍ଥ୍ୟ ଜଟିଳତାକୁ ଦୂର କରିହେବ, ସେ ସମ୍ପର୍କିତ କିଛି ସହଜ ଉପାୟ ବାବଦରେ ଆଲୋଚନା କରିବା।

ପ୍ରଥମତଃ ଗର୍ଭାବସ୍ଥାର ନିୟମିତ ଡାକ୍ତରୀ ନିରୀକ୍ଷଣ କରାଇବା ଜରୁରି। ଏହାଦ୍ବାରା ସମ୍ଭାବ୍ୟ ଉଚ୍ଚ ରକ୍ତଚାପ ବାବଦରେ ସୂଚନା ମିଳିପାରିବ ଏବଂ ତଦନୁଯାୟୀ ପ୍ରତିକାର ମଧ୍ୟ କରାଯାଇପାରିବ।
ଘରେ ଥାଇ ମଧ୍ୟ ନିୟମିତ ରକ୍ତଚାପ ମାପିବା ଏକ ଭଲ ଅଭ୍ୟାସ। ଏହାଦ୍ବାରା ଆଗୁଆ କୌଣସି ପ୍ରକାର ଅହେତୁକ ରକ୍ତଚାପ ବୃଦ୍ଧିକୁ ଠଉରାଇହେବ ଏବଂ ସମ୍ଭାବ୍ୟ ଜଟିଳତାକୁ ଦୂର କରିହେବ।
ଗର୍ଭବତୀମାନେ ବିଭିନ୍ନ ଫଳମୂଳ, ପନିପରିବା ଓ ସଂପୂର୍ଣ୍ଣ ଦାନାଯୁକ୍ତ ଶସ୍ୟ ସମ୍ବଳିତ ସୁଷମ ଖାଦ୍ୟ ଖାଇବା ଦରକାର। ଏହା ସମଗ୍ର ସ୍ବାସ୍ଥ୍ୟରେ ଉନ୍ନତି ଆଣି ରକ୍ତଚାପକୁ ମଧ୍ୟ ନିୟନ୍ତ୍ରିତ କରିଥାଏ।
ଗର୍ଭବତୀମାନେ କମ୍ ପରିମାଣର ଲୁଣ ଖାଇବା ଉଚିତ। କାରଣ ଲୁଣରେ ଥିବା ସୋଡିଅମ୍ ଖଣିଜର ସ୍ବଳ୍ପତା ରକ୍ତଚାପ କମାଇବା ସହ ହୃତ୍‌ପିଣ୍ଡ ସ୍ବାସ୍ଥ୍ୟକୁ ଉନ୍ନତ କରିପାରିବ।
ପ୍ରଚୁର ପରିମାଣର ପାଣି ପିଇବା ଦ୍ବାରା ରକ୍ତ ପ୍ରବାହ ସୁଗମ ହୋଇଥାଏ।
ଗର୍ଭବତୀମାନେ ନିୟମିତ ମୃଦୁ ବ୍ୟାୟାମ କରିବା ଆବଶ୍ୟକ। ଏହା ରକ୍ତ ସଂଚାଳନକୁ ଉନ୍ନତ କରିଥାଏ ଏବଂ ରକ୍ତଚାପକୁ ନିୟମିତ କରିବା ସହ ମାନସିକ ଚାପ କମାଇଥାଏ। ସେହିପରି ଗଭୀର ଶ୍ବାସକ୍ରିୟା ଓ ଦୈନିକ ଯୋଗାଭ୍ୟାସ ସହ ଯଥେଷ୍ଟ ପରିମାଣର ବିଶ୍ରାମ ଓ ନିଦ୍ରା ମଧ୍ୟ ଯିବା ଦରକାର।
ସର୍ବୋପରି ଧୂମପାନ ଓ ମଦ୍ୟପାନରୁ ନିବୃତ୍ତ ରହିବା ସହ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ନିର୍ଦ୍ଧାରିତ ଔଷଧ ସେବନ କରିବା ବାଞ୍ଛନୀୟ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button