‘ଇମ୍ରାନଙ୍କ ଜୀବନ ପ୍ରତି ବିପଦ ରହିଛି, ତାଙ୍କୁ ଦିଆଯାଉଛି ବିଷ’: ଓକିଲ – Utkal Mail
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହାଇକୋର୍ଟରୁ ଜାମିନ ମିଳିବା ପରେ ବି ତାଙ୍କୁ ଆଶ୍ବସ୍ତି ମିଳି ନଥିଲା। କାରଣ ତୋଷଖାନା ମାମଲାରେ ଇସଲାମାବାଦ ହାଇକୋର୍ଟ ଜାମିନ ଦେବାର କିଛି ସମୟ ପରେ ଇମ୍ରାନଙ୍କୁ ସାଇଫର ମାମଲାରେ ପୁଣି ଗିରଫ କରାଯାଇଥିଲା। ଇମ୍ରାନ ଜେଲରେ ରହିଥିବା ବେଳେ ତାଙ୍କ ଓକିଲ, ସ୍ତ୍ରୀ ଓ ଭଉଣୀ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି।
ଇମ୍ରାନଙ୍କ ଓକିଲ ନଇମ ପଞ୍ଜୁଥାଙ୍କ କହିବାନୁସାରେ, ଇମ୍ରାନଙ୍କୁ ମାନସିକ ନିର୍ଯାତନା ଦିଅଯାଉଛି। ତାଙ୍କୁ ଖୁବ ଖରାପ ଅବସ୍ଥାରେ ରଖାଯାଇଛି। ତାଙ୍କର ଓଜନ ଧୀରେଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ତେଣୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରାଯାଉଛି। ସନ୍ଦେହ ଉପୁଜୁଛି କି ତାଙ୍କୁ ବିଷ ଦିଆଯାଉଛି।
ଏଥିସହିତ ଇମ୍ରାନ ଖାନଙ୍କ ସ୍ତ୍ରୀ ବୁଶରା ବିବି ଓ ଭଉଣୀ ଅଲିମା ଖାନ କହିଛନ୍ତି, ‘ଇମ୍ରାନଙ୍କୁ ଜେଲରେ ଅତ୍ୟନ୍ତ ଖରାପ ସ୍ଥାନରେ ରଖାଯାଇଛି। ତାଙ୍କୁ ପ୍ରତିଦିନ ମାନସିକ ନିର୍ଯାତନା ଦିଆଯାଉଛି। ତେଣୁ ସେ ମନକୁ ଶାନ୍ତ ରଖିବା ପାଇଁ କୁରାନ ପାଠ କରୁଛନ୍ତି। କାହା ସହିତ ବିଶେଷ କଥା ହେଉ ନାହାନ୍ତି। ତାଙ୍କୁ ଗୋଟିଏ ସ୍ଥାନରେ ହିଁ ବସି ରହିବାକୁ କୁହାଯାଉଛି। ସାକ୍ଷାତକାର ବେଳେ ବି ସେ ଠିକ ଭାବେ କଥା କହୁ ନାହାନ୍ତି। କ’ଣ ଖାଉଛ, କ’ଣ ପିଉଛ ପଚାରିଲେ ଚୁପ ରହୁଛନ୍ତି। ଜେଲ ପରିଚାଳକଙ୍କୁ ଅନୁରୋଧ ଏ ଦିଗରେ ଧ୍ୟାନ ଦିଆଯାଉ। କାରଣ ତାଙ୍କ ଜୀବନ ପ୍ରତି ବିପଦ ଥିବା ଭଳି ଲାଗୁଛି।’