୧୨ ଦିନରେ ୪୦୦ କୋଟି ଟଙ୍କାର ବେପାର କରି ସାରିଲାଣି ’ଗଦର-୨’: ଖୁବ୍ ଶୀଘ୍ର ଛୁଇଁବ ୫୦୦ କୋଟି – Utkal Mail
ମୁମ୍ବାଇ: ମାତ୍ର ୧୨ ଦିନ ଭିତରେ ୪୦୦ କୋଟି ଟଙ୍କାର ରୋଜଗାର କରି ସାରିଲାଣି ସନ୍ନି ଦେଓଲ ଓ ଅମିଷା ପଟେଲ୍ଙ୍କ ଅଭିନୀତ ସିନେମା ‘ଗଦର-୨’। ସିନେମାଟିକୁ ମେଗା ସଫଳତା ମିଳି ସାରିଲାଣି। ଆହୁରି ଅନେକ ସଫଳତାର ମାଇଲଖୁଣ୍ଟ ଫିଲ୍ମଟି ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ସୂଚନା ରହିଛି ଯେ ‘ଗଦର-୨’ ସୋମବାର୧୩.୫୦ କୋଟି ଟଙ୍କାର ରୋଜଗାର କରିଥିବା ବେଳେ ମଙ୍ଗଳବାର ୧୨.୧୦ କୋଟି ଟଙ୍କାର ରୋଜଗାର କରିଛି। ରିଲିଜ୍ ହେବା ଦିନରୁ ଆଜି ପର୍ଯ୍ୟନ୍ତର ସମସ୍ତ ରୋଜଗାର ମିଶାଇଲେ ଫିଲ୍ମଟି ୪୦୦.୭୦ କୋଟି ଟଙ୍କାର ବେପାର କରିଛି।
ଆସନ୍ତା ସପ୍ତାହ ଶେଷ ଆଡ଼କୁ ‘ଗଦର-୨’ର ରୋଜଗାର ପୁଣିଥରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଅନ୍ୟ ଦିନ ନହେଲେ ବି ରବିବାର ଦିନ ଏହା ୨୦ କୋଟି ଟଙ୍କାର ରୋଜଗାର କରିବ ବୋଲି ଆକଳନ କରାଯାଉଛି। ଆହୁରି ବି ଆଶା କରାଯାଉଛି ଯେ ଚଳଚ୍ଚିତ୍ରଟି ଖୁବ୍ ଶୀଘ୍ର ୫୦୦ କୋଟି ଟଙ୍କାର ବେପାରକୁ ଛୁଇଁବ।
ଫିଲ୍ମଟି ‘ଗଦର: ଏକ ପ୍ରେମ କଥା’ର ଏକ ସିକ୍ୱେଲ, ଯାହାର କାହାଣୀ ୧୯୪୭ ମସିହାରେ ଭାରତ-ପାକିସ୍ତାନ ବିଭାଜନ ଆଧାରରେ ପ୍ରସ୍ତୁତ । ୨୦୦୧ ମସିହାରେ ନିର୍ମିତ ହୋଇଥିବା ଫିଲ୍ମରେ ମୁଖ୍ୟ ଭୂମିକାରେ ସନ୍ନି ଦେଓଲ, ଅମିଷା ପଟେଲ୍ ଓ ଅମିଷାଙ୍କ ବାପା ଭୂମିକାରେ ଅମରେଶ ପୁରି ନଜର ଆସିଥିଲେ। ଫିଲ୍ମଟି ସେ ସମୟରେ ବ୍ଲକ୍ବଷ୍ଟର ହୋଇଥିବା ହେତୁ ନିର୍ଦ୍ଦେଶକ ଏହାର ଦ୍ବିତୀୟ ଭାଗ ନିର୍ମାଣ କରିବାକୁ ନିଷ୍ପତ୍ତି ନେଲେ। ଏବେ ‘ଗଦର-୨’ ମଧ୍ୟ ବ୍ଲକ୍ବଷ୍ଟର୍ ହୋଇଛି।