ଦେଶ ବିଦେଶ

କଞ୍ଝାୱାଲା ମାମଲା: ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ, ପିସିଆର୍ ଦାୟିତ୍ବରେ ଥିବା ସବୁ ପୋଲିସ କର୍ମଚାରୀ ସସପେଣ୍ଡ୍

ନୂଆଦିଲ୍ଲୀ: କଞ୍ଝାୱାଲା ହିଟ୍ ଆଣ୍ଡ୍ ରନ୍ ମାମଲାରେ ଗୃହ ମନ୍ତ୍ରଣାଳୟର ବଡ଼ ଆକ୍ସନ । ଘଟଣା ଦିନ ତିନୋଟି ପିସିଆର ଏବଂ ଦୁଇଟି ପୋଲିସ ଫାଣ୍ଡିରେ ମୁତୟନ ଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡ଼ା ସବୁ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ମଧ୍ୟ ଗୃହ ମନ୍ତ୍ରଣାଳୟ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛି।

ଏହି ମାମଲାରେ ଦିଲ୍ଲୀ ପୋଲିସ ଗୃହ ମନ୍ତ୍ରଣାଳୟ ନିକଟରେ ରିପୋର୍ଟ ଦାଖଲ କରିଛି । ରିପୋର୍ଟ ଆଧାରରେ ମନ୍ତ୍ରାଳୟ ଏହି ସୁପାରିସ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଡିସେମ୍ବର ୩୧ ରାତିରେ ଅଞ୍ଜଳି ସିଂ (୨୦) ନାମକ ଜଣେ ଯୁବତୀଙ୍କ ସ୍କୁଟିକୁ ଏକ କାର୍ ଧକ୍କା ଦେଇଥିଲା ‌। ଏହାପରେ ସେ କାର୍ ତଳେ ଲାଖି ଯାଇଥିଲେ । କାର୍ ପ୍ରାୟ ୧୨ କିଲୋମିଟର ପର୍ଯ୍ୟନ୍ତ ତାଙ୍କୁ ଘୋଷାଡି ନେବାରୁ ଅଞ୍ଜଳିଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଏପର୍ଯ୍ୟନ୍ତ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରିଛି। ଏହି ମାମଲାରେ ପୋଲିସ ପୂର୍ବରୁ ଦୀପକ ଖାନ୍ନା (୨୬), ଅମିତ ଖାନ୍ନା (୨୫), କୃଷ୍ଣ (୨୭), ମିଥୁନ (୨୬) ଏବଂ ମନୋଜ ମିତ୍ତଲଙ୍କୁ ଗିରଫ କରିଥିଲା। ପରେ ପ୍ରମାଣ ନଷ୍ଟ ଅଭିଯୋଗରେ ଆଉ ଦୁଇଜଣ ବ୍ୟକ୍ତି ଆଶୁତୋଷ ଓ ଅଙ୍କୁଷ ଖାନ୍ନାଙ୍କୁ ଗିରଫ କରାଯାଇଥିଲା।

ଗୁଜରାଟର ଫରେନସିକ୍ ବିଶେଷଜ୍ଞ ସୁଲତାନପୁରୀ ପରିଦର୍ଶନ କରି କଞ୍ଝାୱାଲା ମାମଲାରେ ପ୍ରମାଣ ଏବଂ ନମୁନା ସଂଗ୍ରହ କରିବେ। ଦିଲ୍ଲୀ ପୋଲିସର ମୁଖପାତ୍ର ସୁମନ ନାଲୱା କହିଛନ୍ତି ଯେ ନ୍ୟାସନାଲ ଫରେନସିକ୍ ସାଇନ୍ସ ୟୁନିଭରସିଟିର ପାଞ୍ଚଜଣ ଫରେନସିକ୍ ବିଶେଷଜ୍ଞଙ୍କ ଏକ ଟିମ୍ ଡିସିପି (ଆଉଟର) ହରେନ୍ଦ୍ର କେ ସିଂଙ୍କ ଅନୁରୋଧ କ୍ରମେ ସୁଲତାନପୁରୀ ଆସୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button